Latest Odisha News

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ

ଭୁବନେଶ୍ଵର: ଦଳ ଛାଡିବା ପରେ ବିଜେଡି ବିରୋଧରେ ମମତା ମହାନ୍ତଙ୍କ ବିସ୍ଫୋରକ ବୟାନ । ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ । ୪ରେ ତୁମ ହିସାବ କରାଯିବ ବୋଲି ମମତାଙ୍କୁ ବବି କହିଥିଲେ ବୋଲି କହିଛନ୍ତି ମମତା । ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ ଥିଲା, ଦଳ ପଚାରୁଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଦଳ ମୋତେ ଅଣଦେଖା କରୁଥିବା ଅନୁଭବ କଲି ବୋଲି କହିଛନ୍ତି ମମତା ।

ମମତା ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଦଳୀୟ କି ସରକାରୀ କାର୍ଯ୍ୟକ୍ରମରେ ମୋତେ ଡାକୁନଥିଲା ଦଳ । ମୋ ଘର କଡ଼ରେ ଲକ୍ଷ୍ମୀ ବସ୍‌ ଉଦ୍‌ଘାଟନ କଲେ । କିନ୍ତୁ କାର୍ଯ୍ୟକ୍ରମକୁ ମୋତେ ଡାକିଲେନି । ମୋତେ ଅଣଦେଖା ନେଇ ସମସ୍ତଙ୍କୁ ଜଣାଇଛି କିନ୍ତୁ କେହି ଶୁଣିନାହାନ୍ତି । ଏମିତିକି ୪ ତାରିଖ ହେଉ, ତୋତେ ରାଜ୍ୟସଭାରୁ କଢ଼ାଯିବ ବୋଲି ମୋତେ କୁହାଯାଇଛି । ବବି ଦାସ କହିଥିଲେ ଯେ, ୪ ତାରିଖରେ ତୁମର ବିଚାର କରାଯିବ । ସେଥିପାଇଁ ଯେଉଁଠି ସମ୍ମାନ କି ସୁଯୋଗ ନାହିଁ, ସେଠି ରହିବାକୁ ଚାହିଁଲିନି ବୋଲି କହିଛନ୍ତି ମମତା । ତେବେ ମମତାଙ୍କ ଅଭିଯୋଗ ନେଇ ଏଯାବତ୍ ପ୍ରଣବ ପ୍ରକାଶ ଦାସଙ୍କ କୌଣସି ପ୍ରତିକ୍ରିୟା ମିଳିନି ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖରେ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । ଯାହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ ମମତା । ଯେଉଁଥିରେ ମମତା ଲେଖିଥିଲେ, ବିଜେଡିରେ ସେ ଅଲୋଡା ହୋଇପଡିଥିଲେ । ଦଳରେ ତାଙ୍କର ଆବଶ୍ୟକତା ସେ ଅନୁଭବ ନକରିବାରୁ ସେ ଦଳ ତ୍ୟାଗ କରୁଥିବା କହିଥିଲେ । ବିଜେଡି ଛାଡିବାର ଗୋଟିଏ ଦିନ ପରେ ବିଜେପିରେ ସାମିଲ ହୋଇଥିଲେ ମମତା । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଜେପି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ମମତା ।

Comments are closed.