ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଅଶ୍ୱିନୀ କୁମାର ମାର୍ଚ୍ଚ ୩୧ରେ ଆଇପିଏଲରେ ପ୍ରଥମ ମ୍ୟାଚ ଖେଳିଛନ୍ତି। ଏହି ବାମହାତୀ ପେଶ ବୋଲର ନିଜର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷରେ ନିଜର ପ୍ରଦର୍ଶନ ଦେଖାଇଛନ୍ତି। ମୁମ୍ବାଇର ଓ୍ୱାଙ୍ଖେଡ଼େ ଷ୍ଟାଡିୟମରେ ୩ ଓଭରରେ ୨୪ ରନ୍ ଦେଇ ୪ଟି ଓ୍ୱିକେଟ ହାସଲ କରି ସେ କେକେଆରର ବ୍ୟାଟିଂ ଧାରାକୁ ଧ୍ୱସ୍ତ କରି ଦେଇଥିଲେ। ଏହି ପ୍ରଦର୍ଶନ ସହ ସେ ଆଇପିଏଲ ଡେବ୍ୟୁରେ ସର୍ବୋତ୍କୃଷ୍ଟ ବୋଲିଂ ରେକର୍ଡ କରି ଇତିହାସ ରଚିଛନ୍ତି। ତାଙ୍କ ଦମ୍ରେ ମୁମ୍ବାଇ ପ୍ରଥମ ବିଜୟ ହାସଲ କରିଥିବା ବେଳେ ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ମନୋନୀତ କରାଯାଇଛି। କିନ୍ତୁ ଏହି ସଫଳତା ପଛରେ ତାଙ୍କ ସଂଘର୍ଷର କାହାଣୀ କ’ଣ, ଆସନ୍ତୁ ଜାଣିବା।
ଅଶ୍ୱିନୀ କୁମାର ୨୦୦୧ ମସିହା ଅଗଷ୍ଟ ୨୯ରେ ମୋହାଲିର ଝାଞ୍ଝେରୀ ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। ବାଲ୍ୟାବସ୍ଥାରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ତାଙ୍କୁ ସମ୍ଭାଳିବା ସହ କ୍ରିକେଟରେ ସଫଳତା ପାଇବାର ସ୍ୱପ୍ନ ପୂରଣ କରିବାରେ ବଡ଼ ଭୂମିକା ଲିଭାଇଥିଲେ। ମାଆଙ୍କ ଅକ୍ଲାନ୍ତ ପରିଶ୍ରମ ପରିବାର ଚଳାଇବା ସହ ଅଶ୍ୱିନୀଙ୍କ କ୍ରିକେଟ ଯାତ୍ରାକୁ ସମ୍ଭବ କରିଥିଲା।
କ୍ରିକେଟର ହେବା ପରେ ମଧ୍ୟ ତାଙ୍କ ସମସ୍ୟା କମି ନଥିଲା। ଏକ ସମୟରେ ତାଙ୍କ କ୍ୟାରିୟର ସଙ୍କଟରେ ପଡ଼ିଥିଲା। ଗୋଟିଏ ଗମ୍ଭୀର ଆଘାତ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ଲାଗୁଥିଲା ସେ ଆଉ କ୍ରିକେଟ ଖେଳି ପାରିବେ ନାହିଁ। ଏହି ଆଘାତ ଯୋଗୁଁ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମୈଦାନରୁ ଦୂରେଇ ରହିଥିଲେ। କିନ୍ତୁ ଚିକିତ୍ସା ଓ କଠୋର ପରିଶ୍ରମ ଦ୍ୱାରା ସେ ଏହାରୁ ମୁକ୍ତି ପାଇ ପୁଣି କ୍ରିକେଟକୁ ଫେରିଥିଲେ। ଏହାପରେ ସେ କେବେ ପଛକୁ ଫେରି ଚାହିଁ ନାହାନ୍ତି।
ଅଶ୍ୱିନୀ ଶେର-ଏ-ପଞ୍ଜାବ ଟି-୨୦ କପ୍ରେ ୬ଟି ମ୍ୟାଚରେ ୧୧ଟି ଓ୍ୱିକେଟ ନେଇ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ। ଏହାପରେ ୨୦୨୨ରେ ସୈୟଦ ମୁଶ୍ତାକ ଅଲୀ ଟ୍ରଫିରେ ପଞ୍ଜାବ ପାଇଁ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ୪ଟି ଟି-୨୦ ମ୍ୟାଚରେ ୩ଟି ଓ୍ୱିକେଟ ନେଇଛନ୍ତି, ଯେଉଁଥିରେ ତାଙ୍କ ଇକୋନୋମି ରେଟ୍ ଓଭର ପିଛା ୮.୫ ରନ୍ ରହିଛି। ଏହା ଅଧିକ ଲାଗିପାରେ, କିନ୍ତୁ ଡେଥ ଓଭରରେ ବୋଲିଂ କରୁଥିବା ଏହି ଖେଳାଳିଙ୍କ ପାଇଁ ଏହା ପ୍ରଶଂସନୀୟ। ସେ ପଞ୍ଜାବ ପାଇଁ ୨ଟି ଫାଷ୍ଟ-କ୍ଲାସ ଓ ୪ଟି ଲିଷ୍ଟ-ଏ ମ୍ୟାଚ ମଧ୍ୟ ଖେଳିଛନ୍ତି।
ଗତ ଆଇପିଏଲ ସିଜନରେ ଅଶ୍ୱିନୀ ପଞ୍ଜାବ କିଙ୍ଗ୍ସର ଅଂଶ ଥିଲେ, କିନ୍ତୁ ତାଙ୍କୁ ଖେଳିବାର ସୁଯୋଗ ମିଳି ନଥିଲା। ୨୦୨୫ ଆଇପିଏଲ ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି । ଓ୍ୱାଙ୍ଖେଡ଼େରେ ଡେବ୍ୟୁ ସୁଯୋଗ ଦେଇଛି। ଏହି ସୁଯୋଗର ଫାଇଦା ଉଠାଇ ସେ ପ୍ରଥମ ବଲରେ କେକେଆର ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଆଉଟ କରି ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ରେକର୍ଡ କରିଥିଲେ। ଏହା ସହ ସେ ରିଙ୍କୁ ସିଂ, ମନୀଷ ପାଣ୍ଡେ ଓ ଆନ୍ଦ୍ରେ ରସେଲ ଭଳି ଖେଳାଳିଙ୍କୁ ଆଉଟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
Comments are closed.