Latest Odisha News

କରୋନାକୁ ଭେଟିବା ପରେ…

ପାହାନ୍ତି ପାଇବାକୁ ବୋଧେ କିଛି ସମୟ ବାକି ଥାଏ । ସମ୍ମୁଖରେ ହଠାତ୍‌ ଆର୍ବିଭୂତ ହୋଇଗଲା କିମ୍ବୁତକିମାକାର କଦର୍ଯ୍ୟ ଜନ୍ତୁଟିଏ । କଳା ମଚମଚ ବିକଟାଳ ଚେହେରା । ସମଗ୍ର ଶରୀର ସପ୍ତଫେଣିର କଂଟା ପରି କଂଟାରେ ଭରପୁର । ବାମନ ରୂପ । ରକ୍ତଲଗା ଦାନ୍ତଗୁଡିକ ବେଶ୍ ବର୍ଦ୍ଧିତ ଏବଂ ତୀକ୍ଷ୍ନ । ଛୋଟ ମୁଣ୍ଡକୁ କୁରାଳ ଚକ୍ର ସଦୃଶ ଘୂର୍ଣ୍ଣାୟମାନ ଚକ୍ଷୁ ଦୁଇଟି ବେଶ୍ ଭୟଙ୍କର । ଜନ୍ତୁଟି ଧିରେ ଧିରେ ମୋ ଆଡକୁ ମାଡ଼ି ଆସୁଥିବା ବେଳେ ଭୟରେ ମୁଣ୍ଡ ଉପରେ ରଖାଯାଇଥିବା ଭାଗବତ ବହିକୁ ବିକଳରେ ଧରିପକାଇଲି । କାହିଁକି କେଜାଣି ରାଣ ଦେଲାପରି ଜନ୍ତୁଟି ମୋଠୁ ଦୁଇହାତ ଦୂରକୁ ଘୁଂଚିଯାଇ ବିକଟ ଅଟହାସ୍ୟ କରିବାକୁ ଲାଗିଲା ।

ଖନି ମାରିଯାଉଥିବା ପାଟିରେ ପଚାରିଲି, କିଏ ତୁମେ? । ‘ ମୁଁ କରୋନା’ । କରୋନା! ଚମକି ପଡ଼ିଲି ମୁଁ । ହେଲେ ମୁଁ ତ ସରକାରଙ୍କ ଲକ୍‌ଡାଉନ୍ ନିୟମକୁ ମାନି ଘରେ ରହୁଛି । ସକାଳୁ ତୁଳସୀପତ୍ର, ବଟା ହଳଦୀ, ଭୋଜନରେ ରସୁଣ ଆଦି ଖାଇବା ସହ ରାମଦେବଙ୍କ ପ୍ରାଣାୟାମ କରୁଛି । ଦିନକୁ କୋଡିଏ ଥର ହାତ ଧୋଉଛି । ପାଖେପାଖେ ସାନିଟାଇଜର୍ । ସକାଳ ସଞ୍ଜରେ ୧୦୮ କରୋନା ନିରୋଧ ମନ୍ତ୍ର ବି ଜପୁଛି । ତା ବାଦ୍ ବି ତୁମେ ଏଠି !!!

ଏପରି ପ୍ରଶ୍ନରେ ବିଷର୍ଣ୍ଣ ଦେଖାଗଲା କରୋନା । ଥରିଲା ଥରିଲା କଣ୍ଠରେ କହିଲା, ମୁଁ ତୁମର କିଛି କ୍ଷତି କରିବାକୁ ଆସିନି । କେବଳ ମୋ ଦୁଃଖ କଥା କହିବାକୁ ଆସିଛି । ତୁମେ ଜଣେ ସ୍ତମ୍ବକାର । ମୋ ଦୁଃଖକୁ ଲେଖା ମାଧ୍ୟମରେ ସମାଜକୁ ଜଣାଇବ ବୋଲି ମୋର ଆଶା । ଚରମ ଆଶ୍ୱସ୍ତିରେ କହିଲି, ହଉ କୁହ କ’ଣ ତୁମର ଦୁଃଖ?
କରୋନା କହିବା ଆରମ୍ଭ କଲା । ଶୁଣ, ମୁଁ ଚାଇନାରେ ସୃଷ୍ଟି ହେବା ଦିନଠାରୁ ପୃଥିବୀର ସବୁ ଗଣମାଧ୍ୟମରେ କେବଳ ମୋ ଦୁର୍ଗୁଣ ଚର୍ଚ୍ଚା ଚାଲିଛି । କୋଉଦିନ କେତେ ଆକ୍ରାନ୍ତ ହେଲେ, କେତେ ଲୋକଙ୍କୁ ମୁଁ ମାରିଲି- ଏହାକୁ ମୋ ଫଟୋ ସହ ବଡ଼ବଡ଼ ଅକ୍ଷରରେ ସମ୍ମୁଖ ପୃଷ୍ଟାରେ ଛପା ହେଉଛି । କିନ୍ତୁ ମୁଁ ଯେଉଁ ମହତ କାମ କରୁଛି ସେଆଡକୁ କାହାର ଆଖି ଯାଉନି ।

ବର୍ତମାନ ବିଶ୍ୱରେ ହାହାକାର ସୃଷ୍ଟି କରୁଥିବା ତୁମେ ପୁଣି ମହତ କାମ କରୁଛ? ଏକଥା ଶୁଣିଲେ ଯେ କେହି ବି ହସିବ । ଏପରି ପ୍ରଶ୍ନରେ ବେଶ୍ ଉତେଜିତ ହୋଇଉଠିଲା କରୋନା । କହିଲା-ମୁର୍ଖ! ଦିନକୁ ଦିନ କଳକାରଖାନା, ଯାନବାହନ ବଢ଼ାଇ ପୃଥିବୀର ବାୟୁମଣ୍ଡଳକୁ ବେଶ୍‌ ପ୍ରଦୂଷିତ କରିସାରିଛ ତୁମେମାନେ । ତୁମମାନଙ୍କ ଆଚରଣ ଏବଂ ବ୍ୟଭିଚାରରେ ପ୍ରକୃତି ମା’ ଏବେ ଅଣନିଶ୍ୱାସୀ । ତା ଦୁଃଖକୁ ସହି ନପାରି ମୁଁ ଏବେ ମଣିଷଙ୍କ ଶ୍ୱାସନଳୀକୁ ରୋଧ କରି ତଂଟିଚିପି ମାରୁଛି । ତୁମେ କୁହ ମୋ ଭୟରେ ଦେଶରେ ତାଲା ବନ୍ଦ ହେଲା । କଳକାରଖାନା,
ଯାନବାହନ ବନ୍ଦ ହେବା ଫଳରେ ବାୟୁମଣ୍ଡଳର ପ୍ରଦୂଷଣ କମିଛି କି ନାହିଁ? ଯେଉଁ କାମଟି ବିଶ୍ୱବାସୀଙ୍କ ଦ୍ୱାରା ହୋଇପାରୁ ନଥିଲା, ମୁଁ ଏହି ମାସକ ଭିତରେ ତାହା କରି ଦେଖାଇଛି । ଏହା କ’ଣ ମୋର ମହତ
କାମ ନୁହେଁ?

କରୋନା କହୁଥାଏ, ମୁଁ ଶୁଣୁଥାଏ । ମୋର ‘ଦ୍ୱିତୀୟ ମହତ କାମ ଶୁଣ । ମୋତେ ଡରି ଏବେ ସବୁଲୋକ ଘରେ ରହିବା ପରଠାରୁ ପ୍ରକୃତିର ପର୍ଯ୍ୟାବରଣରେ ପରିବର୍ତନ ଆସିଛି ନା ନାହିଁ ଦେଖ । ଗଙ୍ଗା ପାଣି ଏବେ ସ୍ପଷ୍ଟିକ ପରି ସ୍ୱଚ୍ଛ ଏବଂ ପାନୀୟଯୋଗ୍ୟ । ମଣିଷକୁ ଡରି ବହୁ ବର୍ଷ ହେଲା ଅଜ୍ଞାତବାସରେ ଥିବା ବନ୍ୟ ପଶୁପକ୍ଷୀମାନେ ଏବେ ଆନନ୍ଦରେ ବାହାରେ ବୁଲି ସେମାନଙ୍କୁ ଭୟଗ୍ରସ୍ତ କରାଇ ଆସୁଥିବା ମଣିଷମାନଙ୍କୁ ଖୋଜି ନପାଇ ଆଶ୍ଚର୍ଯ୍ୟ ହେଉଛନ୍ତି । ହରିଦ୍ୱାରର ଗଙ୍ଗାନଦୀରେ ବନ୍ୟହସ୍ତୀମାନେ ଏବେ ବେଶ୍ ଆରାମରେ ଜଳକ୍ରୀଡ଼ା କରୁଛନ୍ତି । ପୂର୍ବରୁ
ଆଦୌ ଦେଖାଯାଉ ନଥିବା ଶାଳିଆପତନି ବେଶ୍ ନିର୍ଭୟରେ ବୁଲୁଛି କେରଳର କାଲିକଟ ରାସ୍ତାରେ । ମୁମ୍ବାଇ ମେରାଇନ୍ ଡ୍ରାଇଭ୍ ର ଡଲଫିନ୍‌ ହେଉ ଅବା ଋଷିକୁଲ୍ୟ ମୁହାଣର ଅଲିଭ୍ ରିଡ୍‌ଲେ, ନୋଇଡା ଜିଆଇପି
ମଲ୍ ବାହାରେ ବୁଲୁଥିବା ନୀଳଗାଈ ହେଉ ଅବା ଚଣ୍ଡିଗଡ଼ର ଜେବ୍ରା କ୍ରସିଂ ପାର ହେଉଥିବା ସମ୍ବରଙ୍କ ଦଳ ହେଉ- ସମସ୍ତେ ଏବେ କେବଳ ମୋ ସକାଶେ ଖୁସି ମନାଇ ପ୍ରକୃତିକୁ ଭରପୁର ଉପଭୋଗ କରୁଛନ୍ତି ।
ଏହାର ବାହାଦୁରି ମୋ ଖାତାକୁ ଆସିବ ନା ନାହିଁ?

କରୋନା କଥାକୁ ମୁଁ ତନ୍ମୟତାର ସହ ଶୁଣୁଥାଏ । କରୋନା ଏବେ ପ୍ରଶ୍ନିଳ ଢ଼ଙ୍ଗରେ ପଚାରିଲା-ମାଳିକା ବର୍ଣ୍ଣିତ ସତ୍ୟ ଯୁଗକୁ ତୁମେ ଦେଖିଛ? ‘ନାଁ, ଉତର ଦେଲି’ । ବର୍ତମାନ ମୋ ସକାଶେ ସତ୍ୟ ଯୁଗର ସାମାନ୍ୟ ଝଲକ ଦେଖିବାକୁ ମିଳୁଛି କି ନାହିଁ ଦେଖ । ଚୋରି, ଡକାୟତି, ରାହାଜାନୀ ଏବେ ନାହିଁ କହିଲେ ଚଳେ । ମଠ-ମନ୍ଦିର-ମସ୍‌ଜିଦ୍‌, ଯାହାକୁ ନେଇ ନିଜ ନିଜ ଭିତରେ ମଣିଷମାନେ ବାଡିଆପିଟା ହେଉଥିଲେ ସେଥିରେ ଏବେ ତାଲା ପଡିଛି । ଘର ପାଲଟିଛି ମନ୍ଦିର, ଯାହା ବାସ୍ତବିକ ହେବା କଥା । ସମସ୍ତେ ଏବେ ଘରେ ରହି ରାମାୟଣ ଦେଖୁୂଛନ୍ତି । ପୂର୍ବରୁ ଚିହ୍ନୁ ନଥିବା ପାଖ ପଡିଶାକୁ ଚିହ୍ନୁଛନ୍ତି । ଘରେ ଘରେ କୀର୍ତନ । ଶଙ୍ଖ ଆଉ ଘଂଟର ମଧୁର ନିନାଦ । ଏବେ ନା ଅଛି ଭଲ ଖାଇବାର ଲୋଭ ନା ଅଛି ସୁନା ରୂପା ବା ଭଲ ଡ୍ରେସ୍ ପିନ୍ଧି ନିଜକୁ ସଜାଇ ହେବାର ମୋହ ।

କଡ଼ା ନାସ୍ତିକଟିଏ ବି ଏବେ ମୋ ଭୟରେ ସଭିଙ୍କ ଅଜାଣତରେ ଈଶ୍ୱରଙ୍କୁ ମୁଣ୍ଡିଆଟେ ମାରିବାକୁ ବାଧ୍ୟ ହେଉଛି । ଏଭଳି ଏକ ପରିସ୍ଥିତିକୁ ସୃଷ୍ଟି କରିବା ପାଇଁ ମୋ ବ୍ୟତୀତ ବିଶ୍ୱର ଆଉ କୋଉ ସାଧୁସନ୍ଥ ବା ପ୍ରତାପୀ ନେତା ସମର୍ଥ ହୋଇପାରିଥାନ୍ତେ କହିଲ ? ମୁଁ ଯଦି ଆସି ନଥାନ୍ତି, ତମ ସନାତନ ଧର୍ମର ‘ନମସ୍କାର’କୁ କେଉଁ ଦେଶ ବ୍ୟବହାର କରୁଥାନ୍ତା? ମୁଁ ନଥିଲେ ଆମେରିକା ସମେତ ବିଶ୍ୱର ୫୫ଟି ରାଷ୍ଟ୍ର ଭାରତ ପାଖରେ ହାଇଡ୍ରୋକ୍ଲୋରୋକୁଇନ୍ ବଟିବା ପାଇଁ ହାତ ପତାଉ ନଥାନ୍ତେ କି ଚାଇନାରୁ ଗଣ୍ଠିଲିପତ୍ର ଧରି ଭାରତକୁ ଚାଲି ଆସିବା ପାଇଁ ଶତାଧିକ ନାମିଦାମୀ କମ୍ପାନୀ ଏବେ ମସୁଧା କରୁନଥାନ୍ତେ ।

ଭାରତ ଯେ ଦିନେ ବିଶ୍ୱଗୁରୁ ହେବ-ତୁମ ଦେଶର ମହାତ୍ମାମାନଙ୍କ ଏ ଭବିଷ୍ୟବାଣୀକୁ ସଠିକ୍ ରୂପରେଖ ଦେବା ପାଇଁ ଏହା ଯେ ମୋର କରୋନା ବା କଳ୍‌କୀ ଅବତାର-ଏ କଥାକୁ ତୁମେମାନେ ବୁଝିବା ଉଚିତ୍ । ଦ୍ରୁତ ଅଭିବର୍ଦ୍ଧନଶୀଳ ମଣିଷମାନଙ୍କର ଭାରରେ ପୃଥିବୀମାତା ଅସହ୍ୟ ଏବଂ ମଣିଷର ପାପ ବୁଦ୍ଧିରେ ପ୍ରକୃତିରାଣୀ ଆଜି କ୍ରନ୍ଦନରତା । ଏଇ ପରିସ୍ଥିତିରେ ବିଶ୍ୱରୁ କୋଟିଏ କି ଦିକୋଟି ଲୋକଙ୍କ ଜୀବନ ବଦଳରେ ଯଦି ତୁମମାନଙ୍କୁ ସ୍ୱଚ୍ଛ ବାୟୁମଣ୍ଡଳଯୁକ୍ତ ପୃଥିବୀ, ସୁନ୍ଦର ପର୍ଯ୍ୟାବରଣ ଏବଂ ଶୁଦ୍ଧ ଚେତନାର ଅଧିକାରୀ ଥିବା ବହେ ଲୋକ ପ୍ରାପ୍ତ ହୁଅନ୍ତି
ତେବେ ଏଥିରେ ଦୁଃଖ କରିବାରେ କ’ଣ ଅଛି? ଏଥିପାଇଁ ତ ମୋତେ ପଣାପାଣି, ଧୂପଦ୍ୱୀପ ଦେଇ ସ୍ୱାଗତ କରିବା କଥା । ତୁମକୁ ରାଣ ରହିଲାମୋର ଏ ମହତ ଗୁଣକୁ ନିଶ୍ଚୟ ପ୍ରଚାର କରିବ । କ’ଣ ହଁ ନା ନାହିଁ-
ଯବାବ ଦିଅ ମୋତେ?

ନୀରବ ସମ୍ମତି ଜଣାଇବା ପରେ କୁରୁଳି ଉଠିଲା କରୋନା । ଉଲ୍ଲସିତ ଅଟ୍ଟହାସ୍ୟରେ ମୋ ନିଦଟା ଭାଙ୍ଗିଗଲା । ସେତେବେଳକୁ ଭୋର ୫ଟା; ମୋ ପ୍ରାର୍ଥନାର ସମୟ । ପ୍ରାର୍ଥନା ପରେ ଏବେ ମୁଁ ଭାବୁଛି କୋଭିଡ୍‌ ୧୯କୁ ନେଇ ବର୍ତମାନ ଯେଉଁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି, ତାହା ପ୍ରକୃତରେ କରୋନାର କୃପା ନା କୋପ??

ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ
Gmail:- srisanyasi123@gmail.com

Comments are closed.