Latest Odisha News

BREAKING NEWS

ନାଗାଲାଣ୍ଡରେ ତେଜୁଛି ଉତ୍ତେଜନା, ଜୋର ଧରିଲା ଆଫସ୍ପା ପ୍ରତ୍ୟାହାର ଦାବି

ନାଗାଲାଣ୍ଡ : ନାଗାଲାଣ୍ଡ ଗଣହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ଉତ୍ତେଜନା । ବିବାଦୀୟ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ ବା ଆଫସ୍ପାକୁ ହଟାଇବାକୁ ଜୋର ଧରିଛି ଦାବି । ଏହି ଆଇନକୁ ହଟାଇବା ଦାବିରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓଙ୍କ ସହ ସ୍ବର ମିଳାଇଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା । ହତ୍ୟା ଘଟଣା ଘଟିବା ପରେ ବିଭିନ୍ନ ନାଗା ସଙ୍ଗଠନକୁ ନେଇ ଗଠିତ କୋନ୍ୟକ ୟୁନିଅନ ୫ ଦଫା ଦାବିରେ ଅଟଳ ରହିଛି । ବିବାଦୀୟ ଆଫସ୍ପାକୁ ହଟାଇବା ଲାଗି ସଙ୍ଗଠନ ଦାବି କରିଛି । ଯେଉଁମାନେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ସଂଘ ଦାବି କରିଛି ।

ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଜରିଆରେ ହତ୍ୟା ଘଟଣାର ମୁକ୍ତ ଓ ସ୍ବାଧୀନ ତଦନ୍ତ ସହ ରାଜ୍ୟ ସରକାର ଗଠନ କରିଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମରେ ନାଗା ନାଗରିକ ସମାଜର ଦୁଇ ଜଣଙ୍କୁ ସାମିଲ କରିବାକୁ ଦାବି ହୋଇଛି । ସେହିପରି ଆଇନ ଅନୁସାରେ ଦୋଷୀ ସାମରିକ କର୍ମଚାରୀଙ୍କୁ ଦଣ୍ଡ ଦେବା, ଘଟଣାରେ କି କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ମାସକ ମଧ୍ୟରେ ପ୍ରକାଶ କରିବାକୁ ସଂଘ କେନ୍ଦ୍ର ନିକଟରେ ଦାବି କରିଛି । ସେପଟେ ଏହି ଘଟଣାରେ ଆଉ ୪ ଆହତଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି । ଆସନ୍ତାକାଲି କଂଗ୍ରେସର ଏକ ପ୍ରତିନିଧି ଦଳ ନାଗାଲାଣ୍ଡ ଗସ୍ତରେ ଯିବ ।

Comments are closed.