Latest Odisha News

ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା; ତଥାପି ଖୋଲିଲାନି ଅସଲ ଗୁମର

ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା।ଅଭିଯୁକ୍ତ ତଥା ପୂର୍ବତନ ପୁଲିସ୍ ଏଏସ୍ଆଇ ଗୋପାଳ ଦାସକୁ ଗିରଫ କରିବା ବ୍ୟତୀତ ତଦନ୍ତରେ ଆଉ କିଛି ଆଗେଇପାରିନି କ୍ରାଇମ୍‌ବ୍ରାଞ୍ଚ । ଜେରା ସେଇ ଗୋପାଳ ପାଖରେ ହିଁ ଅଟକି ଯାଇଛି । ଯେତେ ଜେରା କଲେ ବି କ୍ରାଇମ୍‌ବ୍ରାଞ୍ଚ ଅସଲ ଗୁମର ଖୋଲି ପାରୁନି ।

ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା? ଏହା ବ୍ୟକ୍ତିଗତ ଶତ୍ରୁତା ଥିଲା ନା ସୁପାରି କିଲିଂ ? ଏହା ପଛରେ କିଛି ବ୍ୟାବସାୟିକ ଅବା ରାଜନୈତିକ ଲିଙ୍କ୍ ରହିଛି କି? ଏସବୁ ପ୍ରଶ୍ନର ଉତ୍ତର ବି ମିଳିନି ।

ଏପଟେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରୁଛନ୍ତି। ସିବିଆଇ ତଦନ୍ତ ଦାବି କରୁଛନ୍ତି । ବିରୋଧୀଙ୍କ ତୁମ୍ଭିତୋଫାନ ଦେଖି ମୁଖ୍ୟମନ୍ତ୍ରୀ ବି ବିଧାନ ସଭାରେ ନିଜ ବୟାନ ରଖିଛନ୍ତି । ତଦନ୍ତ ପାଇଁ ଆମେରିକୀୟ ସଂସ୍ଥାର ସହାୟତା ନେବା ପାଇଁ ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଠି କହି ରଖିବୁ, ଅଭିଯୁକ୍ତ ଗୋପାଳ ଦାସକୁ ପୁଲିସ୍ ଗିରଫ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ତାକୁ ୧୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ଗୁଜରାଟ ନେଇ ନାର୍କୋ ଟେଷ୍ଟ ବି କରାଇଛି। ଏସ୍‌ସିବିର ମାନସିକ ଡାକ୍ତରଙ୍କ ଟିମରୁ ନେଇ ନିମହାନ୍ସର ଟିମ୍ ଯାଏ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିଛନ୍ତି।

ମାସେ ପରେ ବି ନବ ଦାସ ହତ୍ୟା ଘଟଣାର କୌଣସି ସୁରାକ ମିଳି ନ ଥିବାରୁ ବିରୋଧୀ ପ୍ରବଳ ହଂଗାମା କରିଛନ୍ତି । ଗୃହ ବାହାରେ ଓ ଭିତରେ ସରକାରଙ୍କୁ କଡା ସମାଲୋଚନା କରୁଛନ୍ତି ବିରୋଧୀ । ବିରୋଧୀ ଅଭିଯୋଗ କରୁଛନ୍ତି ଯେ କ୍ରାଇମବ୍ରାଞ୍ଚ କେବଳ ଗୋପାଳ ପାଖରେ ଅଟକି ଯାଇ ଅନ୍ୟ ଦିଗଗୁଡ଼ିକୁ ଅଣଦେଖା କରୁଛି। ତେଣୁ ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ଯାଞ୍ଚ ଚାଲିଥିବାରୁ ବିରୋଧୀ ଦଳ ଏହି ବ୍ୟବସ୍ଥାରେ ଆସ୍ଥା ରଖୁ ବୋଲି କଂଗ୍ରେସ ଓ ବିଜେପି ପରାମର୍ଶ ଦେଇଛନ୍ତି ।

 

 

Comments are closed.