ନୂଆଦିଲ୍ଲୀ: ବାନ୍ଦା ଜେଲରେ ଥିବା ମାଫିଆ ତଥା ରାଜନେତା ମୁକ୍ତାର ଅନସାରୀଙ୍କୁ ଏମପି/ଏମଏଲ୍ଏ କୋର୍ଟ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସମାନ ମାମଲାରେ ମୁକ୍ତାର ଅନସାରୀଙ୍କ ବଡ଼ ଭାଇ ଓ ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି ।
ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ଅପହରଣ ଓ ହତ୍ୟା ମାମଲାରେ ମୁକ୍ତାର ଅନସାରୀ ଓ ଅଫଜଲ ଅନସାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିବା ବେଳେ ଏବେ ଉଭୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟଙ୍କ ଦଣ୍ଡାଦେଶ ପରେ ଅଫଜଲ ଅନସାରୀ ଲୋକସଭା ସାଂସଦ ପଦ ହରାଇବା ଏକପ୍ରକାର ନିଶ୍ଚିତ ।
ସଂସଦର ନିୟମ ଅନୁସାରେ, କୌଣସି ସଦସ୍ୟଙ୍କୁ ୨ ବର୍ଷ କିମ୍ବା ତାଠୁ ଅଧିକ ଜେଲ୍ ଦଣ୍ଡାଦେଶ ହେଲେ ସେ ସ୍ୱୟଂ ଅଯୋଗ୍ୟ ହୋଇଯିବେ । ୨୦୧୯ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ହେବା ପରେ ତାଙ୍କ ସାଂସଦ ପଦ ଚାଲି ଯାଇଥିଲା ।
Comments are closed.