Latest Odisha News

BREAKING NEWS

‘ପାକିସ୍ତାନରେ ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାକୁ ବୃଦ୍ଧି’

ଇସଲାମାବାଦ: ପାକିସ୍ତାନରେ ‘ଅଟାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା’କୁ ବୃଦ୍ଧି ପାଇଛି। ଏପରି ଲିଟର କଥା ଆମେ କହୁନୁ ବରଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସାଧାରଣତଃ ଅଟାର ଓଜନ କିଲୋଗ୍ରାମରେ ମପାଯାଏ ଏବଂ ତରଳ ପଦାର୍ଥ ଲିଟରରେ ମପାଯାଏ। କିନ୍ତୁ ଗୁରୁବାର ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ବେଳେ ଏପରି ମନ୍ତବ୍ୟ ଦେଇ ଟ୍ରୋଲର ଶିକାର ହୋଇଛନ୍ତି।

ଇମ୍ରାନ କହିଛନ୍ତି, “ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ଅଧିକ ସମସ୍ୟା ଦେଉଥିବା ଖାଦ୍ୟ ହେଉଛି ଅଟା। କାରଣ ଅଟାର ମୂଲ୍ୟ କ୍ରମଶ ବୃଦ୍ଧି ପାଇବାରେ ଲାଗିଛି। ଆମ ଯୁଗରେ ୧ କିଲୋଗ୍ରାମ ଅଟାର ମୂଲ୍ୟ ଥିଲା ୫୦ ଟଙ୍କା, କିନ୍ତୁ ଆଜି ଏହା କରାଚିରେ ୧୦୦ ଲିଟରରୁ ଅଧିକ ହୋଇଛି।”

ଇମ୍ରାନ ଖାନ ସମ୍ବୋଧିତ କରୁଥିବା ବେଳେ କହିଛନ୍ତି ଯେ ଯଦି ଆମେ ଦେଶକୁ ଅସନ୍ତୋଷ ଏବଂ ଅରାଜକତାରୁ ରକ୍ଷା କରିବାକୁ ଚାହୁଁ, ତେବେ ତୁରନ୍ତ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଘୋଷଣା କରିବାର ଆବଶ୍ୟକତା ରହିଛି। ଇମ୍ରାନ ଖାନ ଦେଶ ସାମ୍ନାରେ ବହୁତ ଗମ୍ଭୀର ପ୍ରସଙ୍ଗ ରଖିଛନ୍ତି। ସେ କହିଛନ୍ତି ଯେ ମୋର ଦ୍ୱିତୀୟ ଭୟ ହେଉଛି, ଯଦି ଦେଶରେ ରାଜନୈତିକ ସ୍ଥିରତା ନଥାଏ ତେବେ କୌଣସି ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ଥିରତା ହୋଇପାରିବ ନାହିଁ।

ବିଶେଷ କରି ଆର୍ଥିକ ବଜାରରେ ପାକିସ୍ତାନ ଭିତରେ ଓ ବାହାରେ ବର୍ତ୍ତମାନର ସରକାରଙ୍କର କୌଣସି ବିଶ୍ୱସନୀୟତା ନାହିଁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ପାକିସ୍ତାନର ପ୍ରମୁଖ ଇଂରାଜୀ ଦୈନିକ ଦ ଡାଉନ୍ ଅନୁଯାୟୀ ଇମ୍ରାନ ଖାନ କହିଛନ୍ତି ଯେ ଗଠବନ୍ଧନ ସରକାର ଯେତେବେଳେ ପ୍ରଥମ ଥର କ୍ଷମତାକୁ ଆସିଥିଲା ସେତେବେଳେ ସେ ଦାବି କରିଥିଲେ ଯେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କାର୍ଯ୍ୟକ୍ରମ ଶେଷ ହେବା ପରେ ଅର୍ଥନୈତିକରେ ସ୍ଥିରତା ଆସିବ, କିନ୍ତୁ ଆଜିର ପରିସ୍ଥିତି ଲୋକଙ୍କ ସାମ୍ନାରେ ଅଛି।

ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ମାଧ୍ୟମରେ ଏହି ସଙ୍କଟରୁ ଓହରିବାର ଏକମାତ୍ର ଉପାୟ ବୋଲି ପିଟିଆଇ ଅଧ୍ୟକ୍ଷ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି, ନିର୍ବାଚନରେ ​​ବିଳମ୍ବ ହେଲେ କେବଳ ଦେଶ ପାଇଁ କ୍ଷତି ହେବ। ଯଦି କେହି ଭାବନ୍ତି ଯେ ନିର୍ବାଚନରେ ​​ବିଳମ୍ବ ହେତୁ ଆମେ [ପିଟିଆଇ] କ୍ଷତିର ସମ୍ମୁଖୀନ ହେଉଛୁ, ତେବେ ମୁଁ ଦାବି କରିପାରିବି ଯେ ପାକିସ୍ତାନ ଇତିହାସରେ କୌଣସି ରାଜନୌତିକ ଦଳର ପିଟିଆଇ ଭଳି ଲୋକପ୍ରିୟତା ନଥିଲା। ପାକିସ୍ତାନକୁ ପୁଣିଥରେ ଏକ କରିବାର କ୍ଷମତା ଯଦି କାହାର ଥାଏ, ସେ ହେଉଛି ଏକମାତ୍ର ଫେଡେରାଲ ପାର୍ଟି ପିଟିଆଇ।

Leave A Reply

Your email address will not be published.