ରାଞ୍ଚି: ଝାଡ଼ଖଣ୍ଡର ଦୁମକାରେ ସ୍ପେନର ଜଣେ ମହିଳା ପର୍ଯ୍ୟଟକଙ୍କ ଗଣଦୁଷ୍କର୍ମ ମାମଲା ମନରୁ ଲିଭିନଥିବା ବେଳେ ସାମ୍ନାକୁ ଆସିଛି ଏଭଳି ଆଉ ଏକ ଘଟଣା। ପଲାମୁ ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ 21 ବର୍ଷିୟ ଯୁବତୀ ଏହି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଯୁବତୀଙ୍କ ଘର ଛତିଶଗଡ଼ରେ ଥିବା ବେଳେ ସେ ଝାଡ଼ଖଣ୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ।
ପୀଡିତାଙ୍କ ନିଜ ସହକର୍ମୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋମବାର ପୋଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିଥିବା ବେଳେ ଉକ୍ତ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ଏବଂ ତୃତୀୟ ଜଣଙ୍କୁ ଖୋଜା ଚାଲିଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣା ପାଲାମୁର ବିଶ୍ରାମପୁର ଥାନା ପରିସରରେ ଘଟିଛି। ପୋଲିସ କହିବା ଅନୁସାରେ ଶନିବାର ପୀଡିତା ଛତିଶଗଡରୁ ତାଙ୍କ 3 ପୁରୁଷ ସହକର୍ମୀଙ୍କ ସହ ଝାଡଖଣ୍ଡର ବିଶ୍ରାମପୁରରେ ଏକ ଇଭେଣ୍ଟରେ ଷ୍ଟେଜ୍ ସୋରେ ଅଭିନୟ କରିବାକୁ ଆସିଥିଲେ। ସେମାନେ ଅର୍କେଷ୍ଟ୍ରା ରେ କାମ କରୁନ୍ତି। କୌଣସି କାରଣରୁ ଏଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଲା ନାହିଁ, ତେଣୁ ପୀଡିତା ତାଙ୍କ ସାଙ୍ଗମାନଙ୍କ ସହିତ ସମାନ କାରରେ ଅନ୍ୟ ଏକ କାର୍ଯ୍ୟକ୍ରମ ପାଇଁ ଚାଲିଗଲେ। ଏହି ଘଟଣା ହୁସେନାବାଦରେ ଘଟିଥିବା ବେଳେ ରାସ୍ତାରେ ପୀଡିତାଙ୍କୁ ତାଙ୍କ ସାଥୀମାନେ ମଦ୍ୟପାନ କରାଇ ଚେତାଶୂନ୍ୟ କରାଇଥିଲେ।
ଅଭିଯୋଗ ହୋଇଛି ଯେ ଏହା ପରେ ପୀଡିତାଙ୍କ ତିନି ସହ-କଳାକାର ତାଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ କରିବା ପରେ ତିନିଜଣ ପୀଡିତାଙ୍କୁ ରାସ୍ତାରେ ଛାଡିଦେଇଥିଲେ। ରାସ୍ତାରେ ଯାଉଥିବା ଯାତ୍ରୀମାନେ ପୀଡିତାଙ୍କୁ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ପୀଡିତାଙ୍କ ଚେତା ଫେରି ପାଇବା ପରେ ପୋଲିସ ପୀଡିତାଙ୍କ ବିବୃତ୍ତି ଆଧାରରେ ଏଫ୍ଆଇଆର୍ ପଞ୍ଜିକରଣ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଚଢାଉ କରାଯାଇ ଗିରଫ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ଅଭିଯୁକ୍ତ ଫେରାର ରହିଛି। ପୋଲିସ ଅଭିଯୁକ୍ତକୁ ତଲାସ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
Comments are closed.