Latest Odisha News

ନିଲମ୍ବନ ନେଇ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ, କହିଲେ ‘କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ’

ଭୁବନେଶ୍ୱର: ମୁଁ ଦଳ ବିରୋଧୀ କୌଣସି କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ପ୍ରେସମିଟରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ କିଛି କୁଚକ୍ରୀ ଚକ୍ରାନ୍ତ କରୁଛନ୍ତି । କଂଗ୍ରେସ କର୍ମୀ ଦଳକୁ କୁଚକ୍ରୀଙ୍କ ଚକ୍ରାନ୍ତରୁ ବଞ୍ଚାନ୍ତୁ ।

ଚିରଞ୍ଜୀବ କହିଛନ୍ତି, ମୁଁ କଂଗ୍ରେସ ପରିବାରର ଲୋକ । ପିଲା ଦିନେ ଜେଜେ ବାପା କଂଗ୍ରେସ ବାବଦରେ କହିଥିଲେ । ଦଳର ସଂଗଠନକୁ ସୁଦୃଢ଼ କରିବା ଲାଗି ବାପାଙ୍କ ଅବଦାନ ଥିଲା । କଂଗ୍ରେସକୁ ମଜଭୁତ କରିବା ଲାଗି ସବୁବେଳେ ଚେଷ୍ଟା କରିଛି । ରକ୍ତରେ ବେଇମାନି କରିବା ନାହିଁ ।

ମେ ୮ରେ ଜୟଦେବ ଭବନରେ ଗୋଟିଏ ସେମିନାର ହୋଇଥିଲା । ସେଥିରେ କଂଗ୍ରେସର ସୁବର୍ଣ୍ଣ ଯୁଗ ନେଇ ଆଲୋଚନା ହୋଇଥିଲା । ସେଠି କହିଥିଲି, କଂଗ୍ରେସ ଦେଉଥିବା ୯ରୁ ୯୦ ସ୍ଲୋଗାନକୁ ବାସ୍ତବରେ ପରିଣତ କରିବା ପାଇଁ ତୃଣମୂଳ ସ୍ତରକୁ କଂଗ୍ରେସର ନେତାଙ୍କୁ ଯିବାକୁ ପଡ଼ିବ । ଦଳୀ ପ୍ରାର୍ଥୀ ବିଳମ୍ବରେ ଘୋଷଣା କରାଯାଏ ।

ପ୍ରସ୍ତାବ ଦେଇଥିଲି ନିର୍ବାଚନର ୬ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା ହେଉ । ସୁଯୋଗ ଦିଆଯାଉ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ । ଏହା ଯଦି ଦଳ ବିରୋଧୀ କାର୍ଯ୍ୟ, ତାହାଲେ ଆଉ କିଛି କହିବାର ନାହିଁ । ସେମିନାରରେ କହିଥିବା ମନ୍ତବ୍ୟ ଯୋଗୁଁ ଦଳ ଝାରସୁଗୁଡ଼ାରେ ୪ ହଜାର ଭୋଟ୍ ପାଇଲା । ତେବେ ପଦ୍ମପୁର ଓ ଧାମନଗର ଉପନିର୍ବାଚନରେ ଦଳର ଭୋଟ୍ ହାର୍ କାହିଁକି କମିଲା ଓ କିଏ ଦାୟୀ ?

ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱରେ ନିର୍ବାଚନ ଲଢ଼ା ଯାଇଥିଲା । ୨୦୧୯ ପରେ ୫ଟି ଉପନିର୍ବାଚନ ହୋଇଛି । ତିର୍ତ୍ତୋଲକୁ ବାଦ୍ ଦେଲେ ସବୁଠି ଦଳର ପ୍ରାର୍ଥୀ ୪ ପ୍ରତିଶତରୁ କମ୍ ଭୋଟ୍ ପାଇଛନ୍ତି । ତିର୍ତ୍ତୋଲରେ ଭୋଟ୍ ହାର ୧୬ରୁ ୧୮ ପ୍ରତିଶତକୁ ବଢ଼ିଥିଲା । ଜଗତସିଂହପୁର ମ୍ୟୁନିସିପାଲିଟି କଂଗ୍ରେସ ହାତେଇଛି । କଂଗ୍ରେସ ଦଳକୁ ସଂଗଠିତ କରିବାକୁ ମୁଁ ଉଦ୍ୟମ କରିଛି ।

ପଦ ପଦବୀରେ ରହି ନିଜ ସ୍ୱାର୍ଥ ହାସଲ ଚାହିଁଲେ ଦଳ ଉଠି ପାରିବ ନାହିଁ । ଗାଁ ଗାଁରେ ବୁଲି କଂଗ୍ରେସର ବାର୍ତ୍ତାକୁ ପହଞ୍ଚାଇବାକୁ ପଡ଼ିବ ବୋଲି କହିଥିଲି । କିଛି କୁଚକ୍ରୀ ମୋତେ ଦଳରୁ ଦୂରେଇ ଦେବାକୁ ଚାହୁଁଛନ୍ତି । ତେବେ କୁଚକ୍ରୀ କିଏ ? ସାମ୍ବାଦିକଙ୍କ ସେ ପ୍ରଶ୍ନର ଉତ୍ତର ରଖି ନାହାନ୍ତି ଚିରଞ୍ଜୀବ । କହିଛନ୍ତି, ଯେଉଁମାନେ ଚକ୍ରାନ୍ତ କରୁଛନ୍ତି ସେମାନେ ୧୯୯୬-୯୮ରୁ ୨୫ ବର୍ଷ ହେଲାଣି ସେମାନେ ନିର୍ବାଚନ ଜିତି ନାହାନ୍ତି ।

Leave A Reply

Your email address will not be published.