Latest Odisha News

BREAKING NEWS

କଟକ ଏବଂ ବରଗଡ଼ରୁ ପୁଣି ନକଲି ଔଷଧ ଜବତ

ଭୁବନେଶ୍ୱର: ପୁଣି ଜବତ ହୋଇଛି ନକଲି ଔଷଧ । ଆଜି କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ନକଲି ଔଷଧ ଜବତ କରାଯାଇଛି । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ସନ୍ଦେହାତ୍ମକ ଔଷଧ ପ୍ରସ୍ତୁତିରେ ଲିପ୍ତ ସଂସ୍ଥାକୁ ଔଷଧର ପରୀକ୍ଷା ବିବରଣୀ ସହ ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଥିଲା । ତାଙ୍କଠାରୁ ମିଳିଥିବା ତଥ୍ୟର ବୈଧତା ତନଖି କରି ପ୍ରାୟ ୧୧ ପ୍ରକାର ସନ୍ଦେହାତ୍ମକ ଔଷଧ କଟକ ପୁରୀଘାଟସ୍ଥିତ ଏମ୍.ଏଚ୍. ଫାର୍ମାସୁଟିକାଲ୍ ଷ୍ଟୋରରୁ ଜବତ କରାଯାଇଛି ।

ଜବତ ଔଷଧର ମୂଲ୍ୟପ୍ରାୟ ୨୩.୨୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହିସବୁ ଔଷଧ ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଥିଲା । ଏହା ଛଡ଼ା ବରଗଡର ଅଶୋକ ମେଡିକାଲ ଷ୍ଟୋରରୁ ମଧ୍ୟ ସନ୍ଦେହାତ୍ମକ ଔଷଧ ଜବତ କରାଯାଇଛି । ଅଶୋକ ମେଡିକାଲରୁ ଜବତ ଔଷଧକୁ ସନ୍ଦେହାତ୍ମକ ଭିତ୍ତିରେ ପୂର୍ବରୁ ଅଲଗାକରି ତାହାର ବିକ୍ରି ବନ୍ଦ କରାଯାଇଛି ।

ସେ ଆହୁରି କହିଛନ୍ତି, ଓଡ଼ିଶାର ପ୍ରବର୍ତ୍ତନ ଟିମଙ୍କୁ ଔଷଧ ଆସୁଥିବା ରାଜ୍ୟର ପ୍ରବର୍ତ୍ତନ ବ୍ୟବସ୍ଥା ସହ ଯୋଗାଯୋଗ ସଘନ କରିବାକୁ କୁହାଯାଇଛି । ଏହାଦ୍ୱାରା ନକଲି ଔଷଧର ଆମଦାନୀ ଓ ଯୋଗାଣକୁ ବନ୍ଦ କରାଯାଇ ପାରିବ । ଧରା ପଡ଼ିଥିବା ନକଲି ଔଷଧ ପ୍ରସ୍ତୁତକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ଵରାନ୍ୱିତ ହେବ । ଔଷଧ ପ୍ରବର୍ତ୍ତନ ଟିମମାନେ ବଜାରରେ ଉପଲବ୍ଧ ଔଷଧ ଗୁଡିକର ଯାଞ୍ଚ ବ୍ୟାପକ କରିବା ସହ କୌଣସି ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟ ଦୂଷ୍ଟିକୁ ଆସିବା ମାତ୍ରେ ବିକ୍ରି ବନ୍ଦ ନିର୍ଦ୍ଦେଶ ଜାରି କରିବେ ।

Leave A Reply

Your email address will not be published.