Latest Odisha News

ଭିମ୍‌ସାର୍‌ରେ ପୁଣି ଜୁନିଅର ଛାତ୍ରଙ୍କୁ ରାଗିଂ; ଅଶ୍ରାବ୍ୟ ଭାଷାରେ ଗାଳି ସହ ଦେଲେ ମାନସିକ ନିର୍ଯାତନା

ବୁର୍ଲା:  ଯେତେ କଡ଼ା ନିୟମ ଓ ତାଗିଦ୍ କଲେ ବି ଭିମ୍‌ସାର୍‌ରେ(ବୀର ସୁରେନ୍ଦ୍ର ସାଏ  ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ) ରାଗିଂ ଥମୁନି। ଏବେ ପୁଣି ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର।

ଅଭିଯୋଗ ଅନୁସାରେ, ଚତୁର୍ଥ ବର୍ଷର ଜଣେ ଛାତ୍ର ଓ ଶେଷ ବର୍ଷର ଜଣେ ଛାତ୍ର ପ୍ରଥମ ବର୍ଷର ଛାତ୍ରମାନଙ୍କୁ ରାଗିଂ କରିଛନ୍ତି। ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବେଶ୍‌ କିଛି ସମୟ ଧରି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଏଭଳି ଘଟଣା ଘଟିଥିଲା। ଅଭିଯୋଗ ପାଇବା ପରେ ଭିମ୍‌ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି।

ଏଥର ରାଜ୍ୟର ମେଡିକାଲମାନଙ୍କୁ ନେଇ ମିଳିତ ବାର୍ଷିକ ଉତ୍ସବ ଆୟୋଜନ ଦାୟିତ୍ୱ ଭିମ୍‌ସାର୍‌କୁ ଦିଆଯାଇଛି। ଏଥିପାଇଁ ଭିମ୍‌ସାର୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିନିମନ୍ତେ ପ୍ରସ୍ତୁତି ଚାଲିଥିବା ବେଳେ ମଙ୍ଗଳବାର ଦିନ ଜୁନିୟର ଛାତ୍ରମାନେ ରାଗିଂରେ ଶିକାର ହୋଇଥିଲେ। ପୀଡ଼ିତ ଛାତ୍ରମାନେ ଲିଖିତ ଅଭିଯୋଗ କରିବା ପରେ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରାଙ୍କ ଅଧ୍ୟକ୍ଷତାରେ ଭିମ୍‌ସାର୍‌ର ଏକ ଆଣ୍ଟି ରାଗିଂ କମିଟିର ବୈଠକ ବସି ମାମଲା ସମ୍ପର୍କରେ ବିଚାରବିମର୍ଶ ହୋଇଥିଲା।

ୱାଡେନ୍ ପ୍ରଫେସର ବ୍ରଜବିହାରୀ ପଣ୍ଡାଙ୍କୁ ପଚାରିବାରୁ ସେ ରାଗିଂ ଅଭିଯୋଗକୁ ସ୍ୱୀକାର କରିଥିଲେ।। ତେବେ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ନାହିଁ। ମାମଲାରେ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

Comments are closed.