Latest Odisha News

BREAKING NEWS

ପ୍ରକୃତି ସେବାରେ ୯୦ ବର୍ଷୀୟ ବୃଦ୍ଧ, ଗଛ ଲଗାଇବା ତାଙ୍କର ନିଶା

କାମାକ୍ଷାନଗର : ନଇଁ ପଡ଼ିଛି ଅଣ୍ଟା, ଲୋଚାକୋଚା ହୋଇଯାଇଛି ଚର୍ମ, କାନକୁ ବି ଆଉ ଠିକରେ ଶୁଭା ଯାଉନି । ଶରୀରର ଇନ୍ଦ୍ରୀୟ ଗୁଡିକ ଆଉ ବୋଲ ମାନୁନାହିଁ । ହେଲେ ପ୍ରକୃତିର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ଆଉ ଗଛ ଲଗାଇବା ନିଶାରେ ଲାଗି ପଡିଛନ୍ତି ମିଟୁ । ପିଲାଟି ଦିନରୁ ଗଛ ଲଗାଇବା ପ୍ରେମରେ ସେ ବାଇଆ । ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ସୁଦ୍ଧା ଆଜିବି କାମ କରିବାର ସ୍ପୃହା ରଖିଛନ୍ତି ବୃଦ୍ଧ ମିଟୁ ସାହୁ ।

ଏମିତି ଅନେକ ଜଙ୍ଗଲ ସହ ବଡ଼ ବଡ଼ ବୃକ୍ଷକୁ ନିଜ ହାତରେ ଲଗାଇ ବଡ଼ କରିଛନ୍ତି ମିଟୁ । ସମାଜରେ ଅନେକ ଲୋକ କିମ୍ବା ପ୍ରକୃତି ପ୍ରେମୀ ବୃକ୍ଷ ରୋପଣ କରି ଥାଇ ପାରନ୍ତି । ମାତ୍ର ଏଭଳି ବ୍ୟକ୍ତିତ୍ୱ ଯିଏ ପ୍ରାୟ ୭୫ ବର୍ଷରୁ ଅଧିକ ବର୍ଷ ହେବ ଗଛ ଲଗାଇବା ଓ ତାର ଦାୟିତ୍ବ ବହନ କରିବା କାମରେ ଲାଗି ପଡିଛନ୍ତି ମିଟୁ । ନିଜ ଅଞ୍ଚଳରେ ଲାଗିଥିବା ବର, ଅଶ୍ୱତଥ, ନିମ୍ବ, ବେଲ, ଆମ୍ବ, ବଉଳ ଗଛ ହେଉ ଅବା ଅଁଳା, ବାହାଡ଼ା, ହରିଡା ଆଦି ଔଷଧୀୟ ବୃକ୍ଷ କିମ୍ବା ପୁଷ୍ପ ପାରିଜାତ ।

ସବୁଠି ମିଟୁ ଜେଜେଙ୍କ ସ୍ୱତନ୍ତ୍ର ଛାପ ରହିଛି । ଗାଁର ସବୁ ଲୋକଙ୍କ ପାଇଁ ଏକ ଜଣା ଶୁଣା ନାଁ ଗଛ ମଣିଷ ମିଟୁ ଜେଜେ । ସମଗ୍ର ଅଞ୍ଚଳ ତଥା ଜିଲ୍ଲାରେ ନିଜର ଏକ ଛାପ ସୃଷ୍ଟି କରିଥିବା ମିଟୁ ଜେଜେଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଓ ଲୋକପ୍ରତିନିଧି ଦାବି କରିଛନ୍ତି ।

Comments are closed.