Latest Odisha News

ଗୁରୁଦିବସକୁ ଆନ୍ଦୋଳନରତ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ‘କଳାଦିବସ’ ଭାବେ ପାଳନ

ଭୁବନେଶ୍ୱର: ଦାବି ପୂରଣ ଲାଗି ଗତ ଅଗଷ୍ଟ ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରତ ବ୍ଲକ ଗ୍ରାଣ୍ଟଶିକ୍ଷକମାନେ ଗୁରୁଦିବସକୁ କଳାଦିବସ ରୂପେ ପାଳନ କରିଛନ୍ତି । ତେବେ ଦାବୀ ପୂରଣ ହେବାକୁ ଓଡ଼ିଶା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଶିକ୍ଷକମାନେ ଏପରି ପନ୍ଥା ଅବଲମ୍ବନ କରିଛନ୍ତି ବୋଲି ସୂଚନା ମିଳିଛି ।

“ବିଭିନ୍ନ ଛାତ୍ର ସଂଗଠନମାନେ ଆମକୁ ସମର୍ଥନ କରୁଛନ୍ତି ଏପରିକି ଅନେକ ଛାତ୍ରଗୋଷ୍ଠୀ ଆମ ସହିତ ଆନ୍ଦୋଳନରେ ଅଛନ୍ତି । ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ସହିତ ଆମର ସମସ୍ତ ଦାବି ପୂରଣ ହେବା ଯାଏ ଆମେ ଆନ୍ଦୋଳନ ଜାରି ରଖିବୁ,” ବୋଲି କହିଛନ୍ତି ନିଖିଳ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ-କର୍ମଚାରୀ ସଂଘ ମିଳିତ ମଞ୍ଚର ସଦସ୍ୟ ରମାକାନ୍ତ ମହାପାତ୍ର ।

ସାରା ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜମାନଙ୍କରେ ଆଜି ବେଶ୍ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳିତ ହେଉଥିବା ବେଳେ ଏହି ଆନ୍ଦୋଳନରତ ଶିକ୍ଷକମାନେ ଏଥିରୁ ବଞ୍ଚିତ ହୋଇଛନ୍ତି ।

ତେବେ ଅଗଷ୍ଟ ୨୦ ତାରିଖ ଦିନ ଆନ୍ଦୋଳନରତ ଶିକ୍ଷକ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇ ଦାବି ପୂରଣ ହେବାର ଚୂଡ଼ାନ୍ତ ରୂପ ନେଇଥିଲା । ଏହି ଆଲୋଚନା ବୈଠକରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଗାମୀ ବୈଠକରେ ଦାବି ପୂରଣ ହେବା ନେଇ ଗୁରୁତ୍ୱ ଦେବାକୁ ଆଶ୍ୱାସନା ମଧ୍ୟ ଦେଇଥିଲେ । ସେହି ବୈଠକରେ ମନ୍ତ୍ରୀ ମଧ୍ୟ ଶିକ୍ଷକମାନଙ୍କୁ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ ।

ଦାବି ପୂରଣ କରିବାକୁ ଗତ ଏପ୍ରିଲ ମାସରେ ଅନେକ ଶିକ୍ଷକମାନେ ମ୍ୟାଟ୍ରିକ ଓ +୨ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇନଥିବା ସହିତ ବିଭିନ୍ନ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.