Latest Odisha News

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ: ‘ଜଗନ୍ନାଥ ସେନା’ ଆବାହକ ପୋଲିସ ଦ୍ୱାରା ଅଟକ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ପରଖି ସ୍ଥାନୀୟ ଟାଉନ ପୋଲିସ ଥାନା ପକ୍ଷରୁ ଜଗନ୍ନାଥ ସେନା’ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଥାନାରେ ଅଟକ ରଖାଯାଇଛି ।

ଆଜି ସକାଳୁ ଟାଉନଥାନା ପୋଲିସ ତାଙ୍କୁ ନିଜର ବାସଭବନରୁ ଆଣି ଟାଉନଥାନାରେ ଅଟକ ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମାପ୍ତ ହେବା ପରେ ତାଙ୍କୁ ଛାଡ଼ି ଦିଆଯିବ ବୋଲି ପୋଲିସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୋସିଆଲ ମିଡ଼ିଆରେ ଟିପ୍ପଣୀ ଦେଇ ପ୍ରିୟଦର୍ଶନ ପଟ୍ଟନାୟକ କହିଥିଲେ, ମୁଖ୍ୟମନ୍ତ୍ରୀ ଯଦି ଏତେ ଆଶଙ୍କାରେ ରହିଛନ୍ତି ତେବେ ସେ ପୁରୀ ଆସିବା କଥା ନୁହେଁ ।

କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ମୁଖ୍ୟମନ୍ତ୍ରୀ ପୁରୀରେ ଆଜି ମହିଳା ମାନଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦, ୦୦୦ ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ର ସଦସ୍ୟାମାନେ ଅଂଶଗ୍ରହଣ କରୁଛନ୍ତି ।

ଏହି ଅବସରରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ର ନୂତନ ସଦସ୍ୟା ମାନଙ୍କୁ ୧୫,୦୦୦ ଟଙ୍କାର ଚେକ୍ ପ୍ରଦାନ କରିବା ସହିତ ମୋବାଇଲ୍ ଫୋନ ଲାଗି ପ୍ରତ୍ୟେକ ଏସଏଚଜି ସଦସ୍ୟାଙ୍କୁ ୩,୦୦୦ ଟଙ୍କା ପ୍ରଦାନ କରିବେ । ଏଥି ସହିତ ପ୍ରତି ବ୍ଲକସ୍ତରରେ ରହିଥିବା ଫେଡ଼େରେସନ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

“ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ହେଉଛି ମହିଳା ମାନଙ୍କୁ ସଶକ୍ତିକରଣ କରିବା ସହିତ ସେମାନଙ୍କୁ ଆର୍ଥିକସ୍ତରରେ ସ୍ୱାବଲମ୍ବୀ କରିବା,” ବୋଲି କହିଛନ୍ତି ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ।

ଏହି କାର୍ଯ୍ୟକ୍ରମସ୍ଥଳରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.