Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନାଭିସ୍; ପ୍ରେସମିଟରେ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ଦିନ ୩ଟା ୩୦ ସମୟରେ ଏକ ପ୍ରେସମିଟ୍ ଡ଼କାଇ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ ।

ସେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, “ଜନସାଧାରଣ ବିଜେପିକୁ ସରକାର ଗଠନ କରିବାକୁ ଭୋଟ ଦେଇଥିଲେ । ଜନସାଧାରଣ ବିଜେପି-ଶିବସେନା ମେଣ୍ଟକୁ ସରକାର ଗଠନ କରିବା ଲାଗି ନିର୍ବାଚନରେ ବହୁମତ ପ୍ରଦାନ କରିଥିଲେ । ମାତ୍ର ଶିବସେନା ସଂଖ୍ୟା ଖେଳ ଖେଳିଲା । ଆମେ ଅନୁଭବ କଲୁ ଯେ, ଶିବସେନା ଆଗକୁ ଆହୁରି କିଛି ଲାଗି ଅଡ଼ିବସିବ । ତେଣୁ ଆମେ ସେହି ଦଳ ସହିତ ସମ୍ପର୍କ ଛିନ୍ନ କରିଥିଲୁ ।”

ସରକାର ଗଠନ କରିବାକୁ ଶିବସେନା-ଏନସିପି ଓ କଂଗ୍ରେସ ମଧ୍ୟରେ ଯେଉଁ ମେଣ୍ଟ ହୋଇଛି ତାକୁ ନେଇ ସେ କହିଛନ୍ତି, ଗୋଟିଏ ଗାଡ଼ିର ତିନି ଚକା ସଦୃଶ ଶିବସେନା-ଏନସିପି ଓ କଂଗ୍ରେସ ଦଳ । ସବୁ ଚକାର ମୁହଁ ଭିନ୍ନ ଭିନ୍ନ ଦିଗକୁ ରହିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ଶକ୍ତି ପରୀକ୍ଷା ହେଉଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଥମେ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ଏନସିପି ନେତା ଅଜିତ ପାୱାର । ଅଜିତଙ୍କ ସହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ପ୍ରାୟ ଏକଘଣ୍ଟା ଧରି ଆଲୋଚନା କରିବା ପରେ ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।

ଦେବେନ୍ଦ୍ର ଫଡ଼ନାଭିସ୍ ଆହୁରିମଧ୍ୟ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପୂର୍ବରୁ ଶିବସେନା ମଧ୍ୟ କହିଥିଲା ଯେ, ଯେଉଁଦଳ ଆମକୁ ମୁଖ୍ୟମନ୍ତ୍ରୀ ପଦବୀ ଦେବ ଆମେ ତାହା ସହିତ ରହିବୁ ।

Leave A Reply

Your email address will not be published.