Latest Odisha News

ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୋଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି :ବିଜେପି

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ରାଜ୍ୟରେ ଚାଲିଛି ଫାଶିବାଦୀ ସରକାର । ଚଳିତବର୍ଷ ପ୍ରଥମ ୬ ମାସ ଭିତରେ ୧୧୪୯ ମହିଳାଙ୍କ ମଧ୍ୟରୁ ୬୦୪ଟି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି ହୋଇଛି । ଗତକାଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ ସ୍ୱୀକାର କରିଛନ୍ତି । ଗତକାଲି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକତନ୍ତୋଇ ଗାଁରେ ରହୁଥିବା ଜଣେ ଦଳୀତ ନାବାଳିକା ସହ ଦୁଷ୍କର୍ମ ହେବା ପରେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ।

ସେହିପରି ବହୁଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡ ଭଳି ଘଟଣା ପରେ ବି ରାଜ୍ୟସରକାର ନା ବିଧାନସଭା ଭିତରେ ନା ବାହାରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି । ଏପରିକି ଗଣତନ୍ତ୍ରର ମନ୍ଦିର ବିଧାନସଭା ଭିତରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା ପ୍ରସଙ୍ଗରେ ଶାସକ ଦଳ କୌଣସି ଆଲୋଚନା କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟସରକାର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀ ଯାହାଙ୍କର ମୌଳିକ ଦାୟୀତ୍ୱ ମହିଳାଙ୍କୁ ସୁରକ୍ଷା ଦେବା ସେ ଓଲଟା ବିଧାନସଭାରେ କହୁଛନ୍ତି କି ମହିଳା ଦୁଷ୍କର୍ମ ଉପରେ ବିରୋଧୀ ରାଜନୀତିକରଣ ବନ୍ଦ କରନ୍ତୁ । ଯିଏ ମହିଳାମାନଙ୍କ ସମ୍ମାନ, ସୁରକ୍ଷା ଏବଂ ପ୍ରତିଷ୍ଠା ପାଇଁ ଲଢୁଛନ୍ତିି ସେ ରାଜନୀତି କରୁଛନ୍ତି ନା ଯେଉଁମାନେ କ୍ରମାଗତ ଭାବେ ବଢୁଥିବା ମହିଳା ଦୁଷ୍କର୍ମକୁ ଅଣଦେଖା କରି ଦୁବୃତଙ୍କୁ ସୁରକ୍ଷା ଦେଉଛନ୍ତି ସେମାନେ ରାଜନୀତି କରୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

ଓଡିଶାରେ ପୋଲିସ ଏବଂ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜୁ ଜନତା ଦଳକୁ ସୁରକ୍ଷା ଦେଉଛନ୍ତି । ଅନେକ ସମୟରେ ଥାନା ଅଧିକାରୀମାନେ ଏତଲା ରଖୁ ନାହାଁନ୍ତି । ସେହିପରି ଅନେକ ସ୍ଥାନରେ ବିଜେଡିର ପ୍ରଭାବଶାଳୀ ନେତାଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ କାର୍ଯ୍ୟ କରୁଛି । ସ୍ମିତାରାଣୀ ଘଟଣାରେ ତଦନ୍ତକୁ ବାଟବଣା କରିବା ପାଇଁ ପୋଲିସ ପ୍ରଶାସନ ତଥ୍ୟ ପ୍ରମାଣ ନଷ୍ଟ କରିଛି । ଏହି ଘଟଣାରେ ବିଜେଡିର ପ୍ରଭବଶାଳୀ ନେତା, ବିଧାୟକ, ମନ୍ତ୍ରୀ , ରାମକୋ ଅଧିକାରୀଙ୍କ ସହ ତୃତୀୟ ମହଳାର ଲିଙ୍କ ଥିବା ଯୋଗୁଁ ଶାସକ ଦଳ ନିର୍ଦ୍ଦେଶରେ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରିଛି ।

ଅପରପକ୍ଷରେ ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୋଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ଯିଏ ବିଜେଡିର କ୍ଷମତାର ବାଟରେ ଆସିବ ତାଙ୍କୁ ରାସ୍ତରୁ ହଟେଇବା ପାଇଁ ସବୁ ପ୍ରକାର ଅପଉଦ୍ୟମ ରାଜ୍ୟ ସରକାର କରୁଛନ୍ତି । ଏଥି ପାଇଁ ଯେତେ ମହିଳା ନାବାଳିକା ବଳି ପଡନ୍ତୁ ପଛେ କିନ୍ତୁ ସରକାରଙ୍କ ନିର୍ମଳ ଭାବମୂତି ବଜାୟ ରଖିବା ପାଇଁ ବିଜେଡିର ବଡପଣ୍ଡାମାନେ ଉଦ୍ୟମ ଚଲାଇଛନ୍ତିି । ଦିନକୁ ୭ ଜଣ ନାବାଳିକା ଦୁଷ୍କର୍ମରେ ଶିକାର ହେଉଥିବାବେଳେ ବିଜେଡିର ମୁଖପାତ୍ରମାନେ ‘ସବୁ ଠିକି ଚାଲିଛି , ସରକାର ତାଙ୍କ କାମ କରୁଛନ୍ତି, ପୋଲିସ ନିଷ୍କ୍ରିୟ ନାହିଁ ’ କହି ବାଃ ବାଃ ମାରୁଛନ୍ତି ।

ସରକାର ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଅନକେ ଫାଷ୍ଟ ଟ୍ରାକ କୋର୍ଟ ବସାଇଛନ୍ତି କିନ୍ତୁ ଅପରପକ୍ଷେ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କୁ ଶାସକ ଦଳର ନେତା ସୁରକ୍ଷା ଦେଇଚାଲିଛନ୍ତି । ଅନେକ ସ୍ଥାନରେ ଶାସକ ଦଳ ଚାପ ପକାଇ ଦୁଷ୍କର୍ମ ପୀଡିତାଙ୍କୁ ଭୟ ଦେଖାଇ , ଧମକ ଦେଇ ଏତଲା ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି । ଅନେକ ଘଟଣାରେ ଦୁଷ୍କର୍ମ ପୀଡିତା ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ଏପରି ଆଉ କେତେଦିନ ଚାଲିବ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର କଠୋର ଆଇନ ଆଣିବାରେ କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.