Latest Odisha News

ଏମପିରେ କଂଗ୍ରେସ ଗ୍ୟାରେଣ୍ଟିକୁ ଟକ୍କର ଦେବ ଶିବରାଜଙ୍କ ରାକ୍ଷୀ ଉପହାର !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ପାଞ୍ଚୋଟି ନିର୍ବାଚନ ଗ୍ୟାରେଣ୍ଟି ଶାସକ ବିଜେପିର ମୁଣ୍ଡବିନ୍ଧାର କାରଣ ହୋଇଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ଏମପିର ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବହୁ ଯୋଜନା ଘୋଷଣା କରୁଛନ୍ତି।

ଏହି କ୍ରମରେ ମହିଳାମାନଙ୍କୁ ରାକ୍ଷୀବନ୍ଧନର ଉପହାର ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ସରକାରୀ ଚାକିରୀରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ ମିଳିବ।

ଏଥିସହିତ ଲାଡ଼ଲି ବେହେନ ଖାତାରେ ଅକ୍ଟୋବର ମାସରୁ ପ୍ରତି ମାସରେ ୧୨୫୦ ଟଙ୍କା ଦିଆଯିବ। ଭୋପାଳ ଜମ୍ବୁରି ମଇଦାନରେ ଲାଡ଼ଲି ବେହେନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଏହି ଉପହାର ଦେଇଛନ୍ତି।

ସେହିପରି ପ୍ରତି ମହିଳାଙ୍କର ମାସିକ ରୋଜଗାର ବଢ଼ାଇ ୧୦ ହଜାର କରିବା ତାଙ୍କ ସ୍ଵପ୍ନ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଏପରିକି ଯେଉଁ ମହିଳାଙ୍କର ଗାଁରେ ରହିବାକୁ ଜାଗା ନାହିଁ ତାଙ୍କୁ ଜାଗା ଦିଆଯିବ ବୋଲି ଘୋଷଣା ହୋଇଛି।

ବିଭିନ୍ନ ଆଳରେ ବଢିଥିବା ବିଜୁଳି ବିଲ ନିଆଯିବ ନାହିଁ ବୋଲି କହିବା ସହ ସେପ୍ଟେମ୍ବରରେ ବଢିଥିବା ବିଜୁଳି ବିଲ ସୁନ ହୋଇଯିବ। ଏଥିସହିତ ଗରିବ ମହିଳାଙ୍କ ବିଜୁଳି ବିଲ କେବଳ ୧୦୦ ଟଙ୍କା କରାଯିବାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପରିକି ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କାରେ ଉପଲବ୍ଧ କରାଯିବ ବୋଲି କୁହାଯାଇଛି। ସମ୍ମିଳନୀ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଚୌହାନ ଲାଡ଼ଲି ଲକ୍ଷ୍ମୀଙ୍କର ପୂଜା କରିବା ସହ ଲାଡ଼ଲି ବେହେନ ଙ୍କର ପାଦ ଧୋଇ ପାଣି ମୁଣ୍ଡରେ ଲଗାଇ ଆଶୀର୍ବାଦ ନେଇଥିଲେ।

ଭଉଣୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିଶାଳ ରାକ୍ଷୀର ଉପହାର ଦେଇଥିଲେ। ମଧ୍ୟପ୍ରଦେଶ ବିଜେପି ସରକାର ଗତ ଜୁନ ୧୦ ତାରିଖରେ ଲାଡ଼ଲି ବେହେନ ଯୋଜନାର ଶୁଭାରମ୍ଭ କରିଛନ୍ତି।

ସେପଟେ କର୍ଣ୍ଣାଟକରେ ପାଞ୍ଚୋଟି ଗ୍ୟାରେଣ୍ଟି ପରେ ମଧ୍ୟପ୍ରଦେଶରେ କଂଗ୍ରେସ ବହୁ ପୂର୍ବରୁ ପାଞ୍ଚୋଟି ଗ୍ୟାରେଣ୍ଟି ଦେଇ ଜୋରଦାର ପ୍ରଚାର ଚଳାଇଛି। ଯାହାକି କର୍ଣ୍ଣାଟକ ଭଳି କଂଗ୍ରେସକୁ ଏମପିରେ ଜିତାଇବ ବୋଲି ଦଳୀୟ ନେତୃତ୍ୱ ଆଶା ରଖିଛନ୍ତି।

କଂଗ୍ରେସର ପାଞ୍ଚୋଟି ଗ୍ୟାରେଣ୍ଟି ମଧ୍ୟରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ମହିଳାଙ୍କୁ ମାସିକ ୧୫୦୦ ଟଙ୍କା, ଶହେ ୟୁନିଟ ବିଜୁଳି ମୁକ୍ତ ଓ ଆଉ ଶହେ ୟୁନିଟ ଅଧା ଟଙ୍କାରେ, କୃଷକଙ୍କ ଋଣ ଛାଡ ଓ ପୁରୁଣା ପେନସନ ଯୋଜନା ଲାଗୁ ଆଦି ରହିଛି।

ତେଣୁ ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଶିବରାଜ ସରକାର କଂଗ୍ରେସର ଗ୍ୟାରେଣ୍ଟି ଭଳି ଲୋକଙ୍କୁ ଲାଭ ଦେବା ଆରମ୍ଭ କରିଛନ୍ତି। ଏପରିକି ଆମ ଆଦମୀ ପାର୍ଟି ମଧ୍ୟ ସରକାରକୁ ଆସିଲେ ଏଭଳି କିଛି କରିବାକୁ ଘୋଷଣା କରିଛି।

ଯେଉଁଥିପାଇଁ ଶିବରାଜ ସରକାର କୋୖଣସି ରିସ୍କ ନ ନେଇ ମହିଳାଙ୍କ ପାଇଁ ଏଭଳି କିଛି ଘୋଷଣା କରିଛନ୍ତି। ଯାହାକି ଏମପିରେ ରାଜନୈତିକ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.