ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ କାରଣରୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏଥିରେ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମସ୍ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ୍ ୟୁନିଟ୍ କାର୍ଯ୍ୟକାରୀ ହୋଇଛି । ଅସହ୍ୟ ଗ୍ରୀଷ୍ମ କାରଣରୁ ଦେଖାଯାଉଥିବା ଅଂଶୁଘାତ ତଥା ଅନ୍ୟାନ୍ୟ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଏମ୍ସରେ ଏହି ଉତ୍ସର୍ଗୀକୃତ ୟୁନିଟ୍ କାର୍ଯ୍ୟ କରିବ ।
ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ଏନେଇ ସୃଷ୍ଟି ହେଉଥିବା ସମ୍ଭାବ୍ୟ ଆପତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ବତନ୍ତ୍ର ଅଂଶୁଘାତ ୟୁନିଟ୍ ବିଶେଷ ସହାୟକ ହେବାନେଇ ଆଶାବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ । ଆବଶ୍ୟକୀୟ ଚିକିତ୍ସା ସୁବିଧା ସହିତ ବିଭିନ୍ନ ବିଭାଗର ଡାକ୍ତରଙ୍କ ପକ୍ଷରୁ ଏହି ୟୁନିଟ୍ରେ ସେବା ପ୍ରଦାନ କରାଯିବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି ।
ସେହିପରି ପ୍ରଖର ଖରାରେ ନିହାତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ଜରୁରୀ ପରିସ୍ଥିତିରେ ଦିନବେଳା ବାହାରକୁ ଯିବା ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଯେପରିକି ସାଙ୍ଗରେ ଛତା, ଓଦା ଗାମୁଛା କିମ୍ବା ଟାୱେଲ୍ ଏବଂ ପାଣି ବୋତଲ ଭଳି ସାମଗ୍ରୀ ନେବାକୁ ଡ. ବିଶ୍ବାସ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ଆୟୁଷ ବିଭାଗରେ କାର୍ଯ୍ୟକ୍ଷମ ଛଅ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର ଅଂଶୁଘାତ ୟୁନିଟ୍ ଗତ ସପ୍ତାହରୁ କାର୍ଯ୍ୟକ୍ଷମ ହୋଇଥିବା ଏମ୍ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି । ଏଯାବତ୍ ଏମସ୍ ଭୁବନେଶ୍ବର ପକ୍ଷରୁ ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଅଂଶୁଘାତ ପୀଡ଼ିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଗଲାଣି । ଜେନେରାଲ୍ ମେଡିସିନ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି ଏବଂ ଆୟୁଷ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକରେ ଏହି ୟୁନିଟ୍ର ସଫଳ ପରିଚାଳନା କାର୍ଯ୍ୟଶୈଳୀ ପ୍ରସ୍ତୁତି ସୁନିଶ୍ଚିତ କରାଯାଇଥିଲା ।
ମେଡିସିନ୍ ବିଭାଗ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ ବେହେରାଙ୍କୁ ଅଂଶୁଘାତ ୟୁନିଟ୍ ର ନୋଡାଲ୍ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି । ଏହି ୟୁନିଟ୍ରେ ଆବଶ୍ୟକୀୟ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆର୍ଏସ ଆଦି ଗଚ୍ଛିତ ରଖାଯାଇଛି । ସେହିପରି ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରୀ କର୍ମଚାରୀମାନେ ସଜାଗ ଅଛନ୍ତି ।
ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଏମ୍ସ ଭୁବନେଶ୍ୱର ସର୍ବଦା ନିଜର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ଏଥିସହିତ ଏହି ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଚଣ୍ଡ ତାତିର ଅବଧି ମଧ୍ୟରେ ଲୋକମାନେ ସେମାନଙ୍କ ସୁସ୍ଥତାକୁ ପ୍ରାଥମିକତା ଦେବା ଆବଶ୍ୟକ ।
Comments are closed.