Latest Odisha News

BREAKING NEWS

ଏମ୍‌ସ ଭୁବନେଶ୍ବରରେ ଅତ୍ୟାଧୁନିକ ଥ୍ରୀଡି ଲାପ୍ରୋସ୍କୋପିକ୍ ପ୍ରକ୍ରିୟା ସମ୍ପର୍କିତ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ଲାପ୍ରୋସ୍କୋପିକ୍ ୟୁରୋଲୋଜି ସମ୍ପର୍କରେ ଅଧିକ ଜାଣିବା ଏବଂ ଏହାର ବିଭିନ୍ନ ଦିଗ ଉପରେ ଅତ୍ୟାଧୁନିକ ଗବେଷଣାଲବ୍ଧ ତଥ୍ୟ ସମ୍ପର୍କରେ ଅବଗତ ହେବା ପାଇଁ ଏମ୍‌ସ ଭୁବନେଶ୍ବରର ୟୁରୋଲୋଜି ବିଭାଗ ପକ୍ଷରୁ ଉନ୍ନତ ଥ୍ରୀଡି ଲାପ୍ରୋସ୍କୋପିକ୍ ୟୁରୋଲୋଜି ପ୍ରକ୍ରିୟା ସମ୍ପର୍କିତ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଛି । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦେଶର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନରୁ ଚିକିତ୍ସକ, ଗବେଷକ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଅଧ୍ୟାପକମାନଙ୍କ ପକ୍ଷରୁ ବିଭିନ୍ନ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ପେସ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ମେଡଟ୍ରୋନିକ୍ ସଂସ୍ଥା ସହଯୋଗରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ‌ରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଏମ୍‌ସ ଭୁବନେଶ୍ୱର ୟୁରୋଲୋଜି ବିଭାଗର ଡାକ୍ତର ପ୍ରଶାନ୍ତ ନାୟକ, ଡାକ୍ତର ମନୋଜ ଦାସ ଏବଂ ଡାକ୍ତର ସ୍ବର୍ଣ୍ଣେନ୍ଦୁ ମଣ୍ଡଳ ଏକାଧିକ ଅସ୍ତ୍ରୋପଚାର କରିଥିଲେ । ଯାହାକି ବେଶ୍‌ ଶିକ୍ଷଣୀୟ ହେବା ସହ ଅଂଶଗ୍ରହଣକାରୀଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସିତ ହୋଇଥିଲା । ଡାକ୍ତର ଭାସ୍କର ରାଓ, ଡାକ୍ତର ନିତାଶା ରୟଙ୍କୁ ନେଇ ଗଠିତ ଆନାସ୍ଥେସିଆ ଟିମ୍‌ ସହିତ ଅପରେସନ୍ ଥିଏଟରର ନର୍ସିଂ ଏବଂ ବୈଷୟିକ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିଲେ । ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ପ୍ରଫେସର ଡକ୍ଟର ବି. ଗୀତାଞ୍ଜଳି ୟୁରୋଲୋଜି ବିଭାଗର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହିତ ଏଭଳି ଶିକ୍ଷଣୀୟ କାର୍ଯ୍ୟକ୍ରମ ରୋଗୀଙ୍କ ପାଇଁ ଅଧିକ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି ।

ବିଭିନ୍ନ ୟୁରୋଲୋଜିକାଲ୍ ରୋଗରେ ପୀଡିତ ରୋଗୀଙ୍କ ଉନ୍ନତ ଚିକିତ୍ସା ପାଇଁ ବିଭାଗ ନିୟମିତ ଭାବରେ ଏହିପରି କାର୍ଯ୍ୟକଳାପ ଜାରି ରଖିବ ବୋଲି ଡାକ୍ତର ଗୀତାଞ୍ଜଳି ସୂଚନା ଦେଇଛନ୍ତି । ଏହି କ୍ଷେତ୍ରରେ ଉନ୍ନତ ଚିକିତ୍ସା ତଥା ଗବେଷଣା ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିବାରୁ ୟୁରୋଲୋଜି ବିଭାଗ ପକ୍ଷରୁ ନିର୍ଦ୍ଦେଶିକା ଡ. ଗୀତାଞ୍ଜଳିଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.