Latest Odisha News

ଉଡନ୍ତା ବିମାନରେ ହେଲା ହାର୍ଟ ସର୍ଜରୀ, ଦେବଦୂତ ସାଜିଲେ ଡାକ୍ତର

ନୂଆଦିଲ୍ଲୀ: କୁହାଯାଏ ଡାକ୍ତର ହେଉଛନ୍ତି ମନୁଷ୍ୟ ପାଇଁ ଦ୍ଵିତୀୟ ଭଗବାନ । କାରଣ ମନୁଷ୍ୟ ଯେତେବେଳେ ମୃତ୍ୟୁ ସହିତ ସଂଘର୍ଷ କରିଥାଏ ସେତେବେଳେ ଡାକ୍ତର ଭଗବାନଙ୍କ ରୂପ ନେଇ ମନୁଷ୍ୟକୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । ଏଭଳି ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ଭିସ୍ତାରା ଏୟାରଲାଇନ୍ସରେ । ଉଡନ୍ତା ବିମାନ ଭିତରେ ହୃଦୟ ରୋଗରେ ପୀଡିତ ୨ ବର୍ଷର ଶିଶୁର ଜୀବନ ବଞ୍ଚାଇଛନ୍ତି ଦିଲ୍ଲୀ ଏମ୍ସର ୫ ଡାକ୍ତର । ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ଖବର ଅନୁସାରେ, ଗତକାଲି ଭିସ୍ତାରା ଏୟାରଲାଇନ୍ସ(UL-814) ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ହେଲେ ଉଡନ୍ତା ବିମାନରେ ହଠାତ୍‌ ୨ ବର୍ଷୀୟ ଶିଶୁର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ହଠାତ୍‌ ଶିଶୁଜଣକ ଚେତାଶୂନ୍ୟ ହୋଇଯାଇଥିଲା । ଏହାପରେ ବିମାନରେ ଯାତ୍ରୀମାନେ ଭୟଭୀତ ହେବା ସହିତ ହେଲଥ ଏମରଜେନ୍ସି ଘୋଷଣା କରାଯାଇଥିଲା । ହେଲେ ଏହି ସମୟରେ ଭଗବାନଙ୍କ ରୂପ ନେଇ ଉଭା ହୋଇଥିଲେ ଦିଲ୍ଲୀ ଏମ୍ସର ୫ ଜଣ ଡାକ୍ତର । ଅର୍ଥାତ ସୌଭାଗ୍ୟବଶତଃ ଉକ୍ତ ବିମାନରେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ମଧ୍ୟ ଯାତ୍ରା କରୁଥିଲେ । ସେହି ୫ ଜଣ ଡାକ୍ତର ସଙ୍ଗେ ସଙ୍ଗେ ଶିଶୁର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ସେତେବେଳେ ଛୁଆର ନାଡିର ସ୍ପନ୍ଦନ ବନ୍ଦ ହୋଇଯାଇଥିବା ବେଳେ ହାତ ଗୋଟ ମଧ୍ୟ ଥଣ୍ଡା ହୋଇଯାଇଥିଲା । ନିଶ୍ବାସ ପ୍ରଶ୍ବାସ ମଧ୍ୟ ବନ୍ଦ ହୋଇଯାଇଥିଲା । ଏହାସହିତ ହାତ ଏବଂ ଆଙ୍ଗୁଠି ନୀଳ ହୋଇଯାଇଥିଲା । ତେବେ ଏଭଳି ପରିସ୍ଥିତିରେ ମଧ୍ୟ ହାର ମାନିନଥିଲେ ଡାକ୍ତର । ତୁରନ୍ତ ସିପିଆର ଆରମ୍ଭ କରି କମ ଚିକିତ୍ସା ଉପକରଣ କରି ଚିକିତ୍ସା ଆରମ୍ଭ କରିଥିଲେ । ଶିଶୁର ଚେତା ଫେରାଇବା ପାଇଁ ୪୫ ମିନିଟ ଧରି ଆପ୍ରାଣ ଚେଷ୍ଟା କରି ଜୀବନ ବଞ୍ଚାଇଥିଲେ ଡାକ୍ତର । ଏହାପରେ ନାଗପୁରରେ ବିମାନକୁ ଲ୍ୟାଣ୍ଡିଂ କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ଶିଶୁଟି ସ୍ଵାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

ଦିଲ୍ଲୀ ଏମ୍ସର ଟ୍ବିଟ ଅନୁସାରେ, ଉକ୍ତ ବିମାନରେ ଉପସ୍ଥିତ ଥିବା ସେହି ୫ଜଣ ଡାକ୍ତର ହେଉଛନ୍ତି ଦିଲ୍ଲୀ ଏମ୍ସର ଆନେସ୍ଥେସିଆ ବିଭାଗର ବରିଷ୍ଠ ଡାକ୍ତର ନବଦୀପ କୌର, ହୃଦୟ ବିଶେଷଜ୍ଞ ଡାକ୍ତର ନମନଦୀପ ସିଂ, ରେଡିଓଲୋଜି ବିଭାଗର ଡାକ୍ତର ରିସବ ଜୈନ, ଡାକ୍ଚର ଐଶିଖା ଏବଂ ଡାକ୍ତର ଅଭିଚ୍ଛଲ୍ଲା ଟକ୍ସାକ । ଏମ୍ସର ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ଟ୍ବିଟ ହେବା ପରେ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

 

Comments are closed.