Latest Odisha News

BREAKING NEWS

କୋଟାରେ ଜୀବନ ହାରିଲେ ଆଉ ୨ ଛାତ୍ର

ଜୟପୁର: ଆତ୍ମହତ୍ୟାର ହବ୍ ପାଲଟିଛି ରାଜସ୍ଥାନର କୋଟା । ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଲାଣି । ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଆତ୍ମହତ୍ୟା ଜନିତ ଖବର । କୋଟାରେ NEET କୋଚିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି । ଦୁଇ ମୃତକ ହେଉଛି ୧୭ ବର୍ଷୀୟ ଆବିଷ୍କାର ଶମ୍ବାଜୀ କାସଲେ ଓ ୧୮ ବର୍ଷୀୟ ଆଦର୍ଶ ରାଜ । ଆବିଷ୍କାର କୋଚିଂ ସେଣ୍ଟରର ଷଷ୍ଠ ମହଲାର ଜୀବନ ହାରିଥିବା ବେଳେ ଆଦର୍ଶ ରହୁଥିବା ତାଙ୍କ ଭଡା ଘରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ କୋଟାରେ କୋଚିଂ ନେଉଥବା ୨୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବାରମ୍ବାର ଆତ୍ମହତ୍ୟା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଥିବାରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ କୋଟାରେ ଥିବା କୋଚିଂ ସେଣ୍ଟରେ ପରୀକ୍ଷା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ କେଉଁ କାରଣରୁ 2 ଛାତ୍ର ଜୀବନ ହାରିଛନ୍ତି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ ।

ମିଳିଥିବା ଖବର ଅନୁଯାୟୀ, ଘଟଣାଟି ଘଟିଛି ଗତକାଲି ମଧ୍ୟାହ୍ନ ୩ଟା ୧୫ ମିନିଟରେ । ପରୀକ୍ଷା ଦେବାର କିଛି ସମୟ ପରେ ଜଓ୍ବାର ନଗର ସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ବିଲ୍ଡିଂର ଷଷ୍ଠ ମହଲାକୁ ଯାଇଥିଲେ ଆବିଷ୍କାର ଶମ୍ବାଜୀ କାସଲେ । ଷଷ୍ଠ ମହଲାର ବାଲକୋନିରୁ ତଳକୁ ଡେଇଁବା ପରେ ସ୍ଥାନୀୟ ଲୋକେ ଛାତ୍ର ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଉଥିଲେ କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା । ଆବିଷ୍କାର ଶମ୍ବାଜୀ କାସଲେଙ୍କ ମୃତ୍ୟୁର ୪ ଘଣ୍ଟା ପରେ ୧୮ ବର୍ଷୀୟ ଆଦର୍ଶ ରାଜ ରାତି ପ୍ରାୟ ୭ ଟା ସମୟରେ କୁହ୍ନାଡି ପୋଲିସ ଷ୍ଟେସନ ପରିସରରେ ନିଜ ଭଡା ଘରେ ଜୀବନ ହାରିଥିଲେ। ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ମୃତ ଛାତ୍ରଙ୍କ ସମ୍ପର୍କୀୟ ଭାଇ ଭଉଣୀ ଘରେ ପହଞ୍ଚିଥିଲେ । ଏହାପରେ ଘରର କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ପରେ ତାଲା ଭାଙ୍ଗି ଦେଖିବା ପରେ ଆଦର୍ଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ନେଇଥିଲେ । କିନ୍ତୁ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ ଆବିଷ୍କାର ଶମ୍ବାଜୀ କାସଲେଙ୍କ ଘର ମହାରାଷ୍ଟ୍ର ଲାଟୁର ଜିଲ୍ଲାରେ । ସେ ଯୁକ୍ତ ୨ର ଛାତ୍ର । ସେ ନିଟ୍‌ ୟୁଜି ପାଇଁ ଗତ ତିନି ବର୍ଷ ହେଲା କୋଚିଂ ନେଉଥିଲେ । ସେ ଏକ ଭଡା ଘରେ ରହୁଥିଲେ । ତାଙ୍କର ବାପା ମାଆ ସରକାରୀ ସ୍କୁଲରେ ପାଠ ପଢାନ୍ତି । ସେହିପରି ଆଦର୍ଶ ରାଜ ବିହାରର ରୋହତସ ଜିଲ୍ଲାର ବାସିନ୍ଦା । ସେ କୋଟାସ୍ଥିତ ଏକ କୋଚିଂ ସେଣ୍ଟରରେ NEET UG ପାଇଁ ଏକ ବର୍ଷ ହେଲା ପ୍ରସ୍ତୁତି କରୁଥିଲେ । ସେ ତାଙ୍କ ଭଉଣୀ ଏବଂ ସମ୍ପର୍କୀୟ ଭାଇଙ୍କ ସହ ଭଡା ଘରେ ରହୁଥିଲେ ।

Leave A Reply

Your email address will not be published.