ଅଜାତି
ଅମରେଶ ବିଶ୍ୱାଳ
। ୧ ।
ପନ୍ଦର ବର୍ଷର ବ୍ୟବଧାନ ପରେ ହଠାତ ଦିନେ ଭୁବନେଶ୍ୱର ବସଷ୍ଟାଣ୍ଡରେ ଦେଖା ହୋଇଗଲା ପାର୍ବତୀ ଅପା । ସେ ଏକା ନଥିଲା। ସାଙ୍ଗରେ ଥିଲେ ତା ପିଲାମାନେ । ସୁଶାନ୍ତକୁ ଦେଖି କୁରୁଳି ଉଠିଲା ପାର୍ବତୀ ଅପା । ରଙ୍କ ପାଇଲା ପରି କିଛି କ୍ଷଣ କୁଣ୍ଢେଇ ପକାଇଲା ତାକୁ । ସେ ଏମିତି ହେଲା, ଯେମିତି ଏଇମାତ୍ର ବାହାହୋଇ ଶାଶୂଘରୁ ଫେରିଥିବା ଝିଅଟିଏ ତା ଏକମାତ୍ର ଭାଇକୁ ଦେଖି ପକାଇଛି ।
ସୁଶାନ୍ତ ନିର୍ବିକାର । ଅବେଳରେ ଓ ଅଜାତିରେ ଘର ଛାଡିଥିବା ଝିଅଟିଏ କ’ଣ କୋଉ ମଣିଷର ମନରେ ବସାବାନ୍ଧି ରହିପାରେ ? ରହିପାରେ । ପୁଣି ନ ରହି ବି ପାରେ । ସୁଶାନ୍ତ କିନ୍ତୁ ଠିକ କରିଥିଲା, ପାର୍ବତୀ ଅପା କଥା ସେ କେବେ ଭାବିବ ନାହିଁ । ଦିନେ ତାକୁ ସିଏ ଭାବୁଥିଲା ତା ଜୀବନର ଆଦର୍ଶ । କିନ୍ତୁ ଏବେ ? ପାର୍ବତୀ ଅପା ଜୀବନରେ ଘଟିଥିଲା ଅନେକ ଘଟଣା ଅନେକ ଦୁର୍ଘଟଣା । ପ୍ରକୃତରେ ଯିଏ ବାପ ଭାଇଙ୍କ ନାକ କାଟି, ମୁଣ୍ଡ ତଳକୁ କରି, ସମସ୍ତଙ୍କୁ ଅସୁବିଧାରେ ପକାଇ ନିଜ ସଂସାର ନେଇ ଛୁ ମନ୍ତର ମାରିଲା, ତାକୁ ନେଇ ସମୟ ନଷ୍ଟ କରିବାକୁ ସୁଶାନ୍ତର ତିଳେମାତ୍ର ଆଗ୍ରହ ନଥିଲା ।
କିନ୍ତୁ ତା ଆଗରେ ଠିଆ ହୋଇଥିଲା ପନ୍ଦର ବର୍ଷ ତଳର ପାର୍ବତୀ ଅପା । ପାର୍ବତୀ ଅପାର ଆବଭାବରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ଯାହା କିଛି ପରିବର୍ତ୍ତନ ହୋଇଛି କେବଳ ତା ଚେହେରାରେ । ମୁଣ୍ଡ ବାଳ କେରାଏ ପାଚି ଗଲାଣି । ପାଟିରେ କଳେ ପାନକୁ ଗାଈ ପରି ପାକୁଳି କରୁଥିଲା ସେ । ସେମିତି ନେଫେଡି ପରି ହେଁ ହେଁ ଭାବ ।
ପାର୍ବତୀ ଅପା କହିଲା- ଆଲୋ ହେଇଲୋ ଆମ ସୁଶିଆ । ଆରେ ୟାକୁ ଚିହ୍ନି ପାରୁନେଇ ମୁଁ । ଏଡୁଟେ ହେଲାଣି… ଏଇନା କ’ଣ କରୁଚୁ ବେ ତୁ ଟୋକା? ତୋ ପାଇଁ କନିଆଁ ଦେଖା ହେଲାଣିଟି? ପିଲାଟା ବଡ କଷ୍ଟରେ ପାଠ ପଢିଚି । ଛୁଆଦିନେ କେତେ କାଖେଇକି ବୁଲେଇଚିରେ ତତେ… ବଢି ଖାଇବାକୁ ୟାର ବଡ ସରାଗ । ଦାଦା ଯୋଉ ମାଡ ଦିଅନ୍ତି… ବଡ ଚାଲାକ କିନ୍ତୁ ମୋ ଭାଇଟା… ଥରେ ଏକାଏକା ତା ମାମୁଘରୁ ପଳେଇ ଆଇଲା… କେଡୁଟେ ହେଇଥିଲା କି, ଏଇ ଷଷ୍ଠଶ୍ରେଣୀରେ ପଢୁଥିଲା…
। ୨ ।
ବିଦ୍ୟାଧରକୁ ଯେ ଘରେ ଗୁରୁତ୍ୱ ଦିଆଯାଉ ନଥିଲା, ତାହା ନୁହେଁ । ତା ତିଆରି ଇଟାରେ ଆମର ଘର ଠିଆ ହୋଇଥିଲା । ଅନେକଥର ସେ ଆମ ଘର ପାଇଁ ପଇସା ପତ୍ର ସାହାଯ୍ୟ କରିଥିଲା । ହରିଜନ (ଅନ୍ୟ ଜାତି)ର ହୋଇଥିଲେ ବି ଆମ ଘରେ ତାକୁ କେହି କମ ଶ୍ରଦ୍ଧା କରୁନଥିଲେ । କିନ୍ତୁ ତା ଭିତରେ ଯେ କେମିତି ଗୋଟେ ବିଷାକ୍ତ ସଂପର୍କ ଧୀରେ ଧୀରେ ଚରି ଚାଲିଥିଲା ସେ ଟେର କାହା ପାଖରେ ନଥିଲା । ଦୋଷ କାହାର ଥିଲା ସେତେବେଳେ ବଡବଡିଆ ଆଲୋଚନା ପର୍ଯ୍ୟାଲୋଚନା କରୁଥିଲେ । ସେଥିରେ ଆମ ଛୁଆମାନଙ୍କର କୌଣସି ଭାଗିଦାରୀ ନଥିଲା । ଏପରି ପରିସ୍ଥିତି ଭିତରେ ବଡବାପା କିନ୍ତୁ ଥିଲେ ଚୁପ । ସେ କ’ଣ କହିବାକୁ ଚାହୁଁଛନ୍ତି ତା ଟେର କେହି ପାଉନଥିଲେ । ପ୍ରଥମେ ପ୍ରଥମେ ଏ ସଂପର୍କଟାକୁ କେବଳ ସାହି ପଡିଶାଙ୍କ ଚର୍ଚ୍ଚା ବୋଲି ଘର ଲୋକେ ଭାବୁଥିଲେ । କିନ୍ତୁ ଭିତରେ ଭିତରେ ସତକୁ ସତ ସଂପର୍କଟା ଜମାଟ ବାନ୍ଧି ସାରିଥିଲା । ଆଉ ସତକୁ ସତ ଦିନେ ସମସ୍ତଙ୍କ କାନ ନାକ କାଟି ଦେଇ, ସାହି ପଡିଶାଙ୍କ ଚର୍ଚ୍ଚା ପାଇଁ ଅଧିକ ଖୋରାକ ଯୋଗାଇ ଦେଇ, ପାର୍ବତୀ ଅପା ହଠାତ ଛୁ ମନ୍ତର ମାରିଲା ବିଦ୍ୟାଧର ସାଙ୍ଗରେ । ସେଇ ସ୍କୁଲକୁ ଯାଇଛି ଯେ ଯାଇଛି ଆଉ ଫେରିନାହିଁ ।
କଥାଟା ଜଣା ପଡିଲା ସଂଧ୍ୟାକୁ, ଯେତେବେଳେ ପାର୍ବତୀ ଅପା ଆଉ ଫେରିଲା ନାହିଁ । ଘର ଲୋକେ ଭାବିଲେ ସାଙ୍ଗଫାଙ୍ଗ ଘରେ ରହି ଯାଇଥିବ ବୋଧେ । କିନ୍ତୁ ବୁଝାବୁଝି କଲା ପରେ ସମସ୍ତେ ସନେ୍ଦହ କଲେ ଯେ, ସେ ନିଶ୍ଚୟ ବିଦ୍ୟାଧର ସାଙ୍ଗରେ ପଳେଇ ଯାଇଛି । କଥାଟା ପ୍ରଘଟ ହୋଇଯିବା ପରେ ଅବସ୍ଥା ଅସମ୍ଭାଳ ହୋଇଗଲା ଜାଣ । ଘର କୋଣଠାରୁ ଆରମ୍ଭ କରି ସାହି ପଡିଶା ଓ ଛକ ବଜାର ପର୍ଯ୍ୟନ୍ତ ସବୁଠି ଟୁପୁରୁ ଟାପୁରୁ । ଆମେ ପିଲାଏ କେବଳ ଏତିକି ଜାଣୁଥାଉ, ପାର୍ବତୀ ଅପା ଗୋଟେ ବଡ ଅପରାଧ କରିଛି ।
ଚର୍ଚ୍ଚା ତ ହେଲା, କିନ୍ତୁ ତା ପରର ଅବସ୍ଥା ଥିଲା ଅତ୍ୟନ୍ତ ଦୁଃଖଦାୟକ । ଏହି ଘଟଣାକୁ ନେଇ ଚଉପାଢିରେ ମିଟିଂ ବସିଲା । ମୋର ଭଲକରି ମନେଅଛି, ସେଦିନର ସେ ଜହ୍ନମଖା ସଂଧ୍ୟାରେ ନିମାଇଁ ମାମଲତକାର ଯେମିତି ରକ୍ତମୁଖା ହୋଇଯାଇଥାନ୍ତି । ମାତାଲ ଷଣ୍ଢ ପରି ସେ ଖାଲି ଖୁରି ଖାଉଥାନ୍ତି । ସେ ଖାଲି ଖୋଜୁଥାନ୍ତି ଶତ୍ରୁକୁ । ପଥର ଖୁଂଟ ପରି ବଡବାପା ଓ ବାପା ବସିଥାନ୍ତି ଚଉପାଢି ଦାଣ୍ଡରେ । ସତେ ଯେମିତି ଝିଅ ତାଙ୍କର ଅଜାତିରେ ଗଲାପରେ ସେମାନେ ରାତାରାତି ପାଲଟି ଯାଇଛନ୍ତି ଅଛୁଆଁ । ସେମାନଙ୍କ ଛାଇ କାହା ଉପରେ ପଡିଲେ ସବୁ ଅନର୍ଥ ହୋଇଯିବ । ନିର୍ବିକାର ବଡବାପାଙ୍କୁ ଏମିତି କାକୁସ୍ଥ ଅବସ୍ଥାରେ ମୁଁ ଆଗରୁ କେବେ ଦେଖିନଥିଲି ।
ମିଟିଂ ଆରମ୍ଭ ହେଲା ମାତ୍ରକେ ନିମାଇଁ ମାମଲତାକାର ଗର୍ଜନ ଆରମ୍ଭ କଲେ- ଆମ ଘରେ ହରିଜନ (ଛୋଟଲୋକେ) ପଶିଗଲେରେ… ଜାତି କୁଳ ସବୁ ବୁଡିଲା… ଆଉ ଏଠି ରହିହେବ ନାହିଁ । ଚାଲ ଆମେ ସବୁ ଯାଇ ହରିଜନ ସାହିରେ ରହିବା… ନା କ’ଣ କହୁଛ ରତ୍ନାକର ବାବୁ ?
ରତ୍ନାକର ବଡବାପାଙ୍କ ନାଁ । ନିମାଇଁ ମାମଲତକାରଙ୍କ ଏ ଭର୍ତ୍ସନାରେ ବଡବାପା କେବଳ ଏତିକି କହିଲେ- ପିଲାଟି ତ ମୋର ଭୁଲ କରିଛି, ସାହିଭାଇ ଯାହା ଦଣ୍ଡ ଦେବେ ସବୁ ମାନିବି ।
ଏତକ ଶୁଣି କେବଳ ନିମାଇଁ ମାମଲତକାର ନୁହେଁ, ସେଠି ଉପସ୍ଥିତ ଥିବା ସାହିଭାଇ ସମସ୍ତେ ଗର୍ଜି ଉଠିଲେ । ରଙ୍ଗା ମାମଲତାକାର କହିଲେ- ଆଉ କ’ଣ ବାକି ଅଛି ଯେ କରିବୁ… ତମେ ତ ସାତଖଣ୍ଡ ଗାଁରେ ଆମ ନାକ କାଟିଦେଲ । ଏବେ ଆଉ ଭୁଲ ମାଗିଲେ କ’ଣ ହେବ ? ଏଭଳି ଝିଅ ଜନ୍ମ ହେଲା ମାତ୍ରକେ ସେଇ ଏନ୍ତୁଡି ଶାଳରେ ହିଁ ବେକ ଚିପି ମାରିଦେବାର ଥିଲା…
ବଡବାବା ତଳକୁ ମୁହଁ କରି, ଅତି କୁଣ୍ଠିତ କଣ୍ଠରେ କହିଲେ- ହଁ ଠିକ କହିଛନ୍ତି…
କିନ୍ତୁ ନିମାଇଁ ମାମଲତକାର ଭର୍ତ୍ସନା କରି ଗୁମର ଖୋଲିଲା ପରି କହିଲେ- ସିଏ କ’ଣ ମାରିବ… ସେଟା କ’ଣ ତା ପିଲା? ଏଠୁ ସେଠୁ ପିଲା ମାଗି ଆଣି ପାଳିଲେ ଯାହା ହେବା କଥା… ମୁଁ ସେତେବେଳେ ହଜାରେଥର ମନା କରିଚି, କିରେ ଚିହ୍ନାପର୍ଚରେ ପିଲାପିଲି କାହାର ଆଣେନା… ପୁଣି ଯଦି ଆଣିଲୁ, ପୁଅଟିଏ ହେଲେ ଆଣିଥାନ୍ତୁ… ଆଣିଲା ଯେ ଏମିତି ଗୁଣମନ୍ତିଟିଏ… ସିଏ ସାଇଭାଇଙ୍କ ମୁଣ୍ଡ ତଳକୁ କରି କୁଆଡେ ଘର ଛାଡି ପଳେଇଲା… ଛି ଛି ଛି…
ବଡବାପା ମୁଣ୍ଡପାତି ସବୁ ସହିଲେ । ସେତେବେଳେ ସେ ଲାଗୁଥିଲେ, ବର୍ଷ ବର୍ଷ ଧରି ଅଲାଜୁକ ଅବସ୍ଥାରେ ଠିଆ ହୋଇ ରହିଥିବା ଏକ ଜରାଜୀର୍ଣ ପୁରାତନ ଘରଢିଅ ପରି । ଯାହା ଉଜୁଡି ଯାଇଛି, କିନ୍ତୁ ସଗର୍ବେ ଠିଆ ହୋଇଛି ଏକ ପ୍ରାଚୀନ ବଂଶ ପରଂପରାକୁ ନେଇ ।
ବଡବାପା କହିଲେ- ପିଲାଟାକୁ ଆଣିଛି ଯେତେବେଳେ ସେ ତ ମୋର । ତା ପାଇଁ ଯାହା ସହିବାକୁ ହବ ସହିବି…
ଏ ସବୁ ଆଲୋଚାନା ପର୍ଯ୍ୟାଲୋଚନା, ମାମଲତାକାରଙ୍କ ସମାଲୋଚନା ଆମ ପିଲାଙ୍କ ମୁଣ୍ଡକୁ ଢୁକୁ ନଥାଏ । ବାଡ କଡରେ ମୁହଁ ଅନ୍ଧାରକୁ ଆଡ ହୋଇ ବସିଥିବା ବୋଉ କଇଁ କଇଁ ହୋଇ କାନ୍ଦି ପକାଇଲା । ଏଡେ ଏଡେ ହେଲା ପର୍ଯ୍ୟନ୍ତ ଆମେ ଜାଣିନଥାଉ ଯେ, ପାର୍ବତୀ ଅପା ବଡବାପାଙ୍କ ନିଜ ଝିଅ ନୁହେଁ ବୋଲି । ତା ହେଲେ ସେ କାହା ଝିଅ ?
କଥାଟା ଗୁମୁରି ଗୁମୁରି ଆଉ କିଛି ଲୋକଙ୍କ ମଧ୍ୟରେ ବୁଲୁଥିବା ବେଳେ, ରଙ୍ଗା ମାମଲତକାର ନିମାଇଁ ମାମଲତକାରଙ୍କ ଆଡେ ଅନେଇ କହିଲେ- ମାଲିକେ, ଦଣ୍ଡବିଧାନଟା ଶୀଘ୍ର କରନ୍ତୁ… ଯିଏ ଯୁଆଡେ କାମରେ ବାହାରି ଯିବା । ଇଏ ବାରଘର ପଶାଙ୍କୁ ନେଇ ଏତେ ସମୟ କିଏ ନଷ୍ଟ କରିବ ହୋ…
ସାରା ଚଉପାଢିରେ ଭାତ-ଅନ୍ଧାର ରାତିର ନିରବତା । ପୂରା ପରିବେଶ ଉପରେ ଫିକା ଜହ୍ନ ଆଲୁଅର ଛାପି ଚାପିକିଆ ରାଜୁତି । ଫିକା ଫିକା ଆଲୁଅରେ ସମସ୍ତେ ଚାହୁଁଥାନ୍ତି ଅନ୍ୟର ମୁହଁରେ ଫୁଟୁଥିବା ଭାବ ଟିକକ ଦେଖିବାକୁ । ପଢିବାକୁ । ଜାଣିବାକୁ ଚହୁଁଥାନ୍ତି, ରଙ୍ଗା ମାମଲତକାରଙ୍କ ଦଣ୍ଡବିଧାନ ପାଇଁ ଏ ଘୋଷଣା ପରେ, କେମିତି ଅଛି ବଡବାପା ଓ ବାପାଙ୍କ ମୁହଁର ପରିସ୍ଥିତି । ସମସ୍ତେ କେବଳ ଅନେଇଥାନ୍ତି ନିମାଇଁ ମାମଲାତକାରଙ୍କୁ ।
କୋର୍ଟ ଅର୍ଡର ଶୁଣେଇଲା ପରି ନିମାଇଁ ବାବୁ ଶୁଣାଇଲେ- ଝିଅର ଏ କୁକର୍ମ ପାଇଁ ରତନାକୁ ଏଇଠି, ଏଇ ଚଉପାଢି ଦାଣ୍ଡରେ ନାକ ଘସିବାକୁ ପଡିବ । କାନ ଧରି ଦଶଥର ଉଠୁବସ ହେବାକୁ ପଡିବ । ଆଉ ଆଜିଠାରୁ, ଏଇ ମୁହୂର୍ତ୍ତରୁ ତମେ ସାଇରୁ ବାହାର ହେଲ । ନିଆଁ ପାଣି ସବୁ ବନ୍ଦ…
ସାରା ସଭା ଥମ । ସେଇ ଫିକା ଜହ୍ନ ଆଲୁଅରେ ବି ଯେମିତି ସମସ୍ତେ ସମସ୍ତଙ୍କ ମୁହଁକୁ ସ୍ପଷ୍ଟ ଦେଖିପାରୁଛନ୍ତି, ସେଇ ଦୃଷ୍ଟିରେ ଜଣେ ଅନ୍ୟ ଜଣକୁ ଦେଖୁଥାନ୍ତି । ସମସ୍ତ ଦୃଷ୍ଟି ନିବଦ୍ଧ ବଡବାପାଙ୍କ ଉପରେ । ରଙ୍ଗା ମାମଲତକାର କହିବାକୁ ଚାହୁଁଥିଲେ, ଏତକ ଦଣ୍ଡ ହେଲାନାହିଁ । ଆଉଟିକେ କଡା ଦରକାର ଥିଲା । କିନ୍ତୁ ନିମାଇଁ ମାମଲତକାର ଚୁପ ରହିଲେ । କାହା ପାଟିରୁ କଥା ବାହାରୁ ନାହିଁ । କେବଳ ନିଦେ୍ର୍ଧଶ ପାଳନକୁ ସମସ୍ତଙ୍କ ଅପେକ୍ଷା । ରଙ୍ଗା ମାମଲତକାର କହିଲେ- ଆଉ ଡେରି କାହିଁକି ରତ୍ନାକର ବାବୁ…?
ରଙ୍ଗା ମାମଲତାକାରଙ୍କ ପାଟିରୁ କଥା ନସରୁଣୁ, ବାଉନୁ ବର୍ଷର ବଡବାପା, ସାରା ସମାଗମ ଭିତରେ, ବିଚ ଚଉପାଢିରେ ଠିଆ ହୋଇ ଦୁଇ ହାତରେ ନିଜର ଦୁଇ କାନକୁ ଧରି ସାରିଥିଲେ । ତା ପରେ ଚାଲିଲା ଉଠବସ । ରଙ୍ଗା ମାମଲତକାର ଗଣୁଥାନ୍ତି- ଏଏକ… ଦୁଇଇ… ତିଇଇନି…
ଦାଣ୍ଡ ବାଡ କଡରେ ବସି ସଭା ଦେଖୁଥିବା ବୋଉ, କଇଁ କଇଁ ହୋଇ କାନ୍ଦି ପକାଇଲା । ନିଜ ବଂଶର ଏପରି ଧୂଳିଧୁସରିତ ଅବସ୍ଥା ତା ଆଖିରେ ଯାଉ ନଥିଲା । ବାପା, ଚଉପାଢିରେ ମୁହଁ ପୋତି ପୋକଖିଆ କାଠଖୁଣ୍ଟ ପରି ଠିଆ ହୋଇଥାନ୍ତି । ତା ଛଡା ତାଙ୍କ ପାଖରେ ଆଉ କିଛି ଉପାୟ ନଥାଏ । ସେ ନିଜ ଶିକ୍ଷକ ଜୀବନରେ ଏମିତି କେତେ ଛାତ୍ରଛାତ୍ରୀଙ୍କୁ କାନ ଧରେଇ ଉଠବସ କରିଛନ୍ତି । କିନ୍ତୁ ଆଜି ନିଜ ବଡଭାଇ…
ଆମେମାନେ ଏ ସବୁ ଘଟଣା କିଛି ବୁଝି ପାରୁନଥାଉ । ସେତେବେଳେ ମତେ ବଡ ବିରକ୍ତ ଲାଗୁଥାଏ ପାର୍ବତୀ ଅପା ଉପରେ । ଭାବୁଥାଏ, ଏଇ ସାଙ୍ଗେ ସାଙ୍ଗେ ପାର୍ବତୀ ଅପା ଆସି ସଭାରେ ପହଞ୍ଚି ଯାଆନ୍ତା କି ! ଅନ୍ତତଃପକ୍ଷେ ବଡବାପାଙ୍କୁ ଆଉ ଦାଣ୍ଡରେ ନାକ ଘସିବାକୁ ପଡନ୍ତା ନାହିଁ ।
କିନ୍ତୁ ପାର୍ବତୀ ଅପା ଆସିଲା ନାହିଁ । ସେ ଆସିଥିଲେ ହୁଏତ ଆଉ କିଛି ନୂଆ ଦୃଶ୍ୟ ସୃଷ୍ଟି ହୋଇଥାନ୍ତା । ବଡବାପାଙ୍କ ଉଠ ବସ ସରିଲା । ସାରା ସାହିଭାଇ ନିରବ ଦ୍ରଷ୍ଟା ସାଜିଛନ୍ତି ଏ ଘଟଣାର । କାହା ପାଟିରେ ଭାଷା ନାହିଁ କି କାହା ମନରେ ପ୍ରତିବାଦ ପାଇଁ ଆଗ୍ରହ ନାହିଁ । ରଙ୍ଗା ମାମଲତକାର ପୁଣି ତାତ୍ସଲ୍ୟ କଲେ- ଏବେ ନାକଘଷା ଆରମ୍ଭ ହେଉ, ଆଉ ଡେରି କାହିଁକି ?
ବଡବାପା ଆଉ କାଳବିଳମ୍ବ ନକରି ତଳେ ବସି ଧୂଳିଦାଣ୍ଡରେ ନାକ ଘସିବାକୁ ପ୍ରସ୍ତୁତ ହେଲେ । ତାଙ୍କ ଆଖିରେ ଧାର ଧାର ଲୁହ । ପାଖରେ ତଳକୁ ମୁହଁ ପୋତି ବସିଥିବା ବାପା ଆଉ ସହିପାରିଲେ ନାହିଁ । କହିଲେ- ଆଜ୍ଞାମାନେ, ଭାଇ ତ ଉଠୁବସ ହେଲେ, ମୁଁ ନାକ ଘସି ପାପର ପ୍ରାୟଶ୍ଚିତ କରୁଛି । ମୋ ବୁଢା ଭାଇଙ୍କୁ ଆଉ ଏତେ କଷ୍ଟ ଦିଅନ୍ତୁ ନାହିଁ ।
ସମସ୍ତେ ଚାହିଁଲେ ନିମାଇଁ ମାମଲତାକାରଙ୍କୁ । ନିମାଇଁ ମାମମଲାତକାର ଚାହିଁଲେ ରଙ୍ଗା ମାମଲତାକାରଙ୍କୁ । ରଙ୍ଗା ମାମଲତକାର କହିଲେ- ଠିକ ଅଛି, ଝିଅ କଲା ପାପର ପ୍ରାୟଶ୍ଚିତ କରିବେ ଉଭୟ ବାପା ଓ ଦାଦା… ଭଲ କଥା…
ସଭାରେ ରୁଣ୍ଡିଭୁତ ଲୋକଙ୍କ ପାଇଁ ଏ ଦୃଶ୍ୟ ହଠାତ ଅଧିକ ରୋଚକ ହୋଇଗଲା । ଏବେ ଆଉଜଣେ ପାର୍ଟିଆରର ଆକ୍ଟିଂ ଦେଖିବେ ସେମାନେ । ବାଃ ! ଚମକ୍ରାର !
ବାପା ସେତେବେଳକୁ କଛାଭିଡି ଚଉପାଢିର ଧୂଳିଦାଣ୍ଡରେ ନାକ ଲଗେଇ ସାରିଲେଣି । ନାକ ଘସିସାରି ମୁହଁ ଉଠେଇଲା ବେଳକୁ ମୁହଁସାରା ଧୂଳିଧୁସରିତ । ବଡବାପା ସହିପାରିଲେ ନାହିଁ । ଗାମୁଛାରେ ବାପାଙ୍କ ମୁହଁ ପୋଛିଦେଇ କଇଁ କଇଁ ହୋଇ କାନ୍ଦିପକାଇଲେ ।
ଲୋକମାନେ ଏ ଦୃଶ୍ୟକୁ ଏମିତି ଅଭିଭୁତ ହୋଇ ଦେଖୁଥାନ୍ତି, ଯେମିତି ମଂଚ ଉପରେ ଚାଲିଛି ବିରଳ ଭାତୃଭାବର ଏକ ଅନ୍ତଥରା ଦୃଶ୍ୟ । ବୋଉର କାନ୍ଦ ବଢି ଯାଇଥିଲା ।
ସେଦିନ ସଭା ସରିଲା ବେଳକୁ ରାତି ଏଗାର । ଆମଘରେ ଖିଆପିଆ ନାହିଁ । ସମସ୍ତେ ଯିଏ ଯେଉଁଠି ବସିଛନ୍ତି ସେଇଠି କାନ୍ଦବୋବାଳିରେ ବ୍ୟସ୍ତ । ତା ପରଦିନଠାରୁ ଆମ ଘରକୁ କେହି ଆସିବା ବନ୍ଦ, ଆଉ ଆମେ କାହା ଘରକୁ ଯିବା ବନ୍ଦ । ନିଆଁ ପାଣି ସବୁ ଅଟକ । ଭାଗ୍ୟ ଭଲ, ଆମ ବାଡିରେ ନିଜର କୁଅଟିଏ ଥିଲା । ନହେଲେ ସେତେବେଳେ ପିଇବାକୁ ପାଣି ଟୋପାଏ ବି ମିଳିନଥାନ୍ତା ।
। ୩ ।
ତା ଭିତରେ ଅନେକ ଦିନ ବିତିଗଲା । ଗାଁ ପାଖ ଗଣ୍ଡାରେ ଅନେକ ପାଣି ବହି ଯାଇଥିଲା । ଡୋଲିପୁର ଗାଁ ମ୍ୟୁନିସିପାଲିଟିରେ ପରିଣତ ହୋଇଥିଲା । ପାର୍ବତୀ ଅପା ପଢୁଥିବା ଗାର୍ଲସ ହାଇସ୍କୁଲରେ ପିଲା ଓ ଶିକ୍ଷକଙ୍କ ସଂଖ୍ୟା ବଢି ଯାଇଥିଲା । ସ୍କୁଲ ୟୁନିଫର୍ମ ବି ବଦଳି ଯାଇଥିଲା । ଆମ ଗାଁ ହରିଜନ ସାହିରୁ ଦୁଇ ଦୁଇ ଜଣ ସରପଞ୍ଚ ହୋଇସାରିଥିଲେ । ରଙ୍ଗା ମାମଲତକାରର ବଡପୁଅ ତାଙ୍କରି ସାହିର ଜଣେ ନାବାଳିକାକୁ ଧରି ଛୁ’ମନ୍ତର ମାରିଛି । ଗଲାସନ ନିମାଇଁ ମାମଲତକାରର ଦେହାନ୍ତ ହୋଇଛି । ସାହିରେ ନୂଆ ଟୋକା ମାମଲତକାର ହୋଇଛନ୍ତି । ଚଉପାଢିର ପ୍ରଭାବ ଧୀରେ ଧୀରେ କମିଆସିଛି । ସମସ୍ତଙ୍କ ଘରେ ନଳକୂଅ, ଗ୍ୟାସ ଆଉ ଟିଭି ଫ୍ରିଜ । କିନ୍ତୁ ଏବେବି ଆମ ଘରକୁ ସାହି ଲୋକ ଆସୁନାହାନ୍ତି । ବାହାରେ ଦେଖିଲେ ସାହି ଟୋକାଙ୍କ ସହ କଥା ହୁଏ । କିନ୍ତୁ ଗାଁରେ ନୁହେଁ । ଏମିତି ଏମିତି ପନ୍ଦର ବର୍ଷ ଭିତରେ ଅନେକ କିଛି ବଦଳି ଯାଇଛି । ଆଉ ତାଆରି ଭିତରେ ସମସ୍ତେ ପାର୍ବତୀ ଅପାକୁ ଭୁଲି ଯାଇଛନ୍ତି । ତା ଖବର ଆଉ କାହା ପାଖରେ ନାହିଁ । ଏପରିକି ଏବେକା ପିଲାଙ୍କୁ ପାର୍ବତୀ ଅପା କଥା କହିଲେ ସେମାନେ ସେ ସବୁ କିଛି ବୁଝି ପାରନ୍ତି ନାହିଁ । କଲେଜ ପଢା ପିଲା ଭାବନ୍ତି, ଇଏ କୋଉ ପୁରାଣର ଗୋଟେ ଚରିତ୍ର । ପ୍ରକୃତ କଥା କହିଲେ, ଇତିମଧ୍ୟରେ ପାର୍ବତୀ ଅପା ଆଉ କାହା ପାଇଁ ଏକ ଖବର ହୋଇ ରହିନଥିଲା ।
ପାର୍ବତୀ ଅପା ଗାଁ ଛାଡିବାର ଦିନକେଇଟା ଭିତରେ ବିଛଣାରେ ପଡି ପଡି ବଡବାପା ଚାଲିଗଲେ । ତାଙ୍କ ବାଦ ତାଙ୍କ ବଂଶରେ ଆଉ କେହି ନଥିଲେ । ଶେଷଆଡକୁ ସେ ଖାଲି ପାର୍ବତୀ ପାର୍ବତୀ ହେଉଥିଲେ । ଘରେ ବଡବଡିଆମାନେ କହିଲେ, ସମସ୍ତଙ୍କ ନାକ କାନ କାଟିଦେଇ ତ ସେ ଅଲକ୍ଷଣୀ କୁଆଡେ ଚାଲିଗଲା । ତାକୁ ପୁଣି କାହିଁକି ଖୋଜୁଛ ? ବଡଭାଇ, ବଡବାପାଙ୍କୁ ମୁଖାଗ୍ନି ଦେଇଥିଲା । ବଡବାପାଙ୍କ ଏକାଦଶାହ ଦିନ ତାଙ୍କ ଦା’ମଣ୍ଡପ ପାଖରେ ମୁଁ ସମସ୍ତଙ୍କ ଅଜାଣତରେ ପାର୍ବତୀ ଅପାର ସମସ୍ତ ଜିନିଷପତ୍ର ନେଇ ଫିଙ୍ଗିଦେଇ ଆସିଥିଲି । ମୁଁ ଚାହୁଁଥିଲି, ଯିଏ ଏତେ ହନ୍ତସନ୍ତ କରି ସମସ୍ତଙ୍କୁ ଛାଡି ଚାଲିଗଲା, ତାର କୌଣସି ସ୍ମୃତି ଆମ ଘରେ ଆଉ ନରହୁ ।
। ୪ ।
ବସ ହର୍ଣ ଦେଲା । ପାର୍ବତୀ ଅପା ସେତେବେଳୁ କ’ଣ ସବୁ କିଣିବାକୁ ଯାଇଥିଲା । ତା ପିଲାଏ ବି ଯାଇଥିଲେ । ସୁଶାନ୍ତ କେବଳ ବ୍ୟାଗପତ୍ରକୁ ଜଗି ବସିରହିଥିଲା । ପାର୍ବତୀ ଅପା ଆସିଲା ପରେ ସୁଶାନ୍ତ ପ୍ରକୃତିସ୍ଥ ହେଲା । ମେଞ୍ଚାଏ ଚେନାଚୁର, ବିସ୍କୁଟ, ମିଠା ଆଉ ଫଳ ଗୋଟେ ଜରିରେ ପୂରାଇ ସୁଶାନ୍ତ ହାତରେ ଧରାଇ ଦେଲା ପାର୍ବତୀ ଅପା । କହିଲା- କୋଉଠି ରହୁଛୁ, କେମିତି ରହୁଛୁ, ୟାକୁ ରଖିଥା ଖାଇବୁ…
ଏତକ କହୁ କହୁ ପାର୍ବତୀ ଅପା ସୁଶାନ୍ତ ମୁଣ୍ଡ ଆଉଁସି ପକାଇଲା । ସୁଶାନ୍ତ ଆଉ କିଛି କହିବା ଅବସ୍ଥାରେ ନଥିଲା । ସ୍ନେହ ଶ୍ରଦ୍ଧା ପାଖରେ ମଣିଷର ପାଟି ଚୁପ ପଡିଯାଏ । ସୁଶାନ୍ତକୁ ଲାଗିଲା ପାର୍ବତୀ ଅପାକୁ ଅନେକ କିଛି ପଚାରିବାର ଥିଲା । ତା’ଠାରୁ ଅନେକ କିଛି ଜାଣିବାର ଥିଲା । ପଚାରିବାର ଥିଲା, କାହିଁକି ସେ ଏମିତି କଲା । ବାପା ଭାଇଙ୍କୁ, ସାଇଭାଇଙ୍କ ପାଖରେ କାହିଁକି ଏମିତି ନିନ୍ଦିତ କଲା । ଜାଣିବାର ଥିଲା, ସେ ଏବେ କେମିତି ଅଛି । କୋଉଠି ରହୁଛି । କେମିତି ଚଳୁଛି । କେବେ ଥରେ ସେ ଗାଁ କଥା ମନେ ପକାଇଛି ନା ନାହିଁ !
କିନ୍ତୁ କିଛି କହିବା ଆଗରୁ ପାର୍ବତୀ ଅପା ତା ବ୍ୟାଗ ପତ୍ର ଧରି ବସ୍କୁ ଉଠି ସାରିଥିଲା । ବସ ଝର୍କାରୁ କହିଲା- ଘରଆଡେ ଆସିବୁ ବୋଲି ତ କହିପାରିବିନି । ବାପ ଗୋସାପଙ୍କ ମୁଣ୍ଡ ତଳକୁ କରି ମୁଁ ସିନା ପଳାଇ ଆସିଲି, ତୁ ଆଉ କାହିଁକି ଆସିବୁ… ମୁଁ ମୋ ଭାଗ୍ୟକୁ ନେଇ ପଡିରହିଛି । ତମେମାନେ ସବୁ ଭଲରେ ଥାଅ ।…
ପାର୍ବତୀ ଅପା ଆଖିରେ ପେଜୁଆ ଲୁହ ଜକେଇ ଆସିଥିଲା । ଅନ୍ୟମନସ୍କ ଭାବରେ ସେ ତା ବ୍ୟାଗ ଅଣ୍ଡାଳୁଥିଲା । ସେ ଆହୁରି କିଛି ଜାଣିବାକୁ ଚାହୁଁଥିଲା । ବୋଧେ ପଚାରିବାକୁ ଚାହୁଁଥିଲା- କେମିତି ଅଛି ତୋ ବୋଉ ? ବାପା ମଲାବେଳେ କିଏ ତାଂକୁ ଦେଲା ମୁଖାଗ୍ନି ? କିନ୍ତୁ ଏ ସବୁ ପଚାରିବାକୁ ତା ପାଖରେ ବୋଧେ ସାହସ ନଥିଲା । ସାହସ ନଥିଲା ନା ତା’ର ଇଚ୍ଛା ନଥିଲା ? ନା, ସେ ପଥର କଡର ଅଜାତିଆ ସାପ ପରି ଡରି ଯାଇଥିଲା ? ପ୍ରକୃତରେ ପାର୍ବତୀ ଅପାର ଆଉ ସାହସ ନଥିଲା, ତା ଆଖିରୁ ଏହା ସ୍ପଷ୍ଟ ପଢି ହେଉଥିଲା ।
ପାର୍ବତୀ ଅପାର ବସ ଛାଡିଲା । ପିଲାମାନେ ହାତ ହଲେଇ ବାଏ ବାଏ କହିଲେ । ସୁଶାନ୍ତ କେବଳ ଚାହିଁଥାଏ ପାର୍ବତୀ ଅପାକୁ । ସେ ଲୁଚି ଲୁଚି ଆଖିରୁ ଲୁହ ପୋଛୁଥାଏ । ସିଧାସଳଖ ଚାହିଁବାକୁ ସତେଯେମିତି ତା’ର ଜୋର ନାହିଁ ।
Comments are closed.