ଆଜିକଥା ସେଦିନ ଦିଶିଥିଲା ତାଙ୍କୁ

ଆଜିକଥା ସେଦିନ ଦିଶିଥିଲା ତାଙ୍କୁ

ଦାଶ ବେନହୁର

ଲୁହ ତାଙ୍କ ଆଖିରେ ନ ଥିଲା । ହେଲେ ଶେଷବେଳକୁ ସେ କାନ୍ଦୁଥିଲେ ଅହରହ । ଛାତି ଭିତରେ ହିଁ ଲହୁଲୁହାଣ ହୋଇ ଚାଲିଥିଲେ । କିଏ ଥିଲା ସେ କଥା ବୁଝିବାକୁ? ଆଖି ଆଗରେ ଭାଙ୍ଗି ପଡ଼ୁଥିଲା ସ୍ୱପ୍ନର ସ୍ୱରାଜ୍ୟ । ଅହିଂସା, ଅପରିଗ୍ରହ, ହିନ୍ଦୁ-ମୁସଲମାନ ଭାଇଭାବ ସବୁ ଭୂଇଁରେ ପଡ଼ି ହଜିଯାଉଥିଲା, ଛିଣ୍ଡିଯାଇଥିବା ତୁଳସୀମାଳା ପରି ।

୧୯୪୬-୪୭ ଭାରତ ବିଭାଜନ ବେଳର କଥା । ଗଢ଼ା ହୋଇଥିବା ଘରର ଛାତି ଉପରେ କାନ୍ଥ ଉଠାଇ ଭାଇମାନେ ଭାଗବଣ୍ଟରା କଲାବେଳେ ଭୂଇଁ ବିଦୀର୍ଣ୍ଣ ହୁଏ, ପଦାର୍ଥମାନେ ସୁଦ୍ଧା ଫାଳଫାଳ ହୁଅନ୍ତି । ହେଲେ ସବୁଠାରୁ ଯେ ମାତ୍ରଧିକ ଆଘାତ ପାଏ, ସେ ହେଉଛି ମାଆ । ଗାଁ ଲୋକେ କହୁଥିବେ- “କି ମାଆ ଇଏ? ଘରଟାକୁ ସମ୍ଭାଳି ରଖିପାରିଲାନି । ବୁଝେଇପାରିଲାନି ନିଜର ଜନ୍ମକଲା ପିଲାଙ୍କୁ!”

ଗାନ୍ଧିଜୀଙ୍କ ଅବସ୍ଥାଥିଲା ଅସହାୟ ମାଆଟିଏ ପରି । ସୁଭାଷ ବୋଷ୍ ସିନା ୧୯୪୪ରେ ଜାତିର ପିତା ବୋଲି ଘୋଷଣା କରିଦେଲେ, ହେଲେ ଅସଲରେ ସେ ଥିଲେ ମାଆ । ନିଉଛୁଣା ବିଧବା ମାଆଟିଏ ।

ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା ପାଇଁ ସେ ଥାଆନ୍ତି ନୂଆଖାଲିରେ । ଶାନ୍ତି ପଦଯାତ୍ରା ଚାଲିଥାଏ । ହିନ୍ଦୁ ମୁସଲମାନ ସଂଘାତ ଭିତରେ ସୁଦ୍ଧା ଗାଁଗାଁରେ ଲୋକେ ତାଙ୍କୁ ସାଦର ଅଭ୍ୟର୍ଥନା ଜଣାଉଥାନ୍ତି । କି ସ୍ୱତଃସ୍ଫୂର୍ତ୍ତ ସେ ଆବେଗ! ମଣ୍ଡପ ତିଆରି ହୋଇଯାଏ । ଲୋକେ ଘେରିଯାଇ ଫୁଲମାଳ ଦିଅନ୍ତି । ଶ୍ରଦ୍ଧା ଜଣାନ୍ତି ।

ଗାନ୍ଧିଜୀଙ୍କର ସବୁଠି ନାହିଁ ନାହିଁ । କାହିଁକି ଏ ମଣ୍ଡପ? କାହିଁକି ଏ ଫୁଲମାଳ? ଦୟାକରି ଏ ସବୁ ବନ୍ଦକର । ହେଲେ ଶୁଣୁଛି କିଏ? ମହାତ୍ମା ଆସିଛନ୍ତି ।

ବାଟରେ ପଡ଼ିଥିଲା ଦେବୀପୁର । ସେଠାକାର ଆୟୋଜନ କିନ୍ତୁ ଥିଲା ସ୍ୱତନ୍ତ୍ର । ଫୁଲ, ରଙ୍ଗିନ୍ କାଗଜ, ରେଶମୀ ଫିତା, ଜରି, ଚକମକିଆ କନା ଲଗେଇ ତିଆରି ହୋଇଥିଲା ଅଭ୍ୟର୍ଥନା ମଣ୍ଡପ । ଘିଅଦୀପ ଜଳୁଥିଲା ମଣ୍ଡପକୁ ଆଲୋକିତ କରି ।

ହେଲେ ସେଠାରେ ପହଞ୍ଚୁ ପହଞ୍ଚୁ ମୁହଁ ଶୁଖିଗଲା ଗାନ୍ଧିଜୀଙ୍କର । ମୁହଁପୋତି ଗମ୍ଭୀର ହୋଇ ସେ ବସି ପଡ଼ିଲେ । କ’ଣ ହେଲା? ସଙ୍ଗରେ ମନୁ ଗାନ୍ଧୀ ବି ଥିଲେ । ତାଙ୍କୁ ପଚରାଗଲା, କ’ଣ ହେଲା ବାପୁଙ୍କର!

ଗାନ୍ଧିଜୀ ନୀରବ । ମନୁ ଯାଇ ପଚାରିଲେ, କ’ଣ ଦେହ ଅସୁସ୍ଥ ଲାଗୁଚି? ଗାନ୍ଧିଜୀ ମୁହଁ ଉଠାଇ ଓଲଟି ପ୍ରଶ୍ନକଲେ- “ଟିକିଏ ବୁଝିଲୁ ଏ ଗାଁର ଲୋକସଂଖ୍ୟା କେତେ? କିଏ ଏସବୁ ଆୟୋଜନ କରିଛନ୍ତି? ଏ ଜିନିଷ ସବୁ କେଉଁଠୁ ଆସିଚି?”

ମନୁ ସଙ୍ଗେସଙ୍ଗେ ବୁଝି ଆସି ଖବର ହେଲେ । ମୁଖ୍ୟ କର୍ମକର୍ତ୍ତାଙ୍କୁ ଡକାଗଲା ।

ଗାନ୍ଧିଜୀ ପଚାରିଲେ- “ଏ ଆୟୋଜନ ପାଇଁ ଅର୍ଥ କେଉଁଠୁ ପାଇଲେ?”

ଉତ୍ତର ପ୍ରସ୍ତୁତ ଥିଲା- “ଆଜ୍ଞା! ଆପଣଙ୍କ ପାଦ ଏ ମାଟିରେ ଆଉଥରେ ପଡ଼ିବ କି ନାହିଁ ସନେ୍ଦହ, ଏଣୁ ଗାଁର ପ୍ରତ୍ୟେକ ହିନ୍ଦୁ ପରିବାର କିଛିକିଛି ଚାନ୍ଦା ଦେଇଛନ୍ତି! ପ୍ରାୟ ତିନିଶହ ଟଙ୍କା ଉଠିଥିଲା । ସେଇ ଅର୍ଥରେ ଏ ଆୟୋଜନ ହୋଇଛି ।”

ଝାଉଁଳିଗଲା ଗାନ୍ଧିଜୀଙ୍କ ମୁହଁ । ଆଖି ଛଳଛଳ ହୋଇଗଲା । କିଛି ସମୟ ସେ ପୁଣି ନିରବ ହୋଇଗଲେ । ତା’ପରେ କହିଲେ- “ତୁମେ ଏ ଯେଉଁ ସାଜସଜ୍ଜା କରିଛ, ଆଉ କିଛି ସମୟପରେ ସେ ସବୁ ମଉଳି ଯିବ । ଯେଉଁ ଘିଅଦୀପ ଜାଳିଛ, ଧୂଆଁ ହୋଇ ପବନରେ କୁଆଡେ଼ ମିଳେଇଯିବ । ଜାଣିପାରୁଛି, ମୋ କଥାକୁ ମୁଁ କାମରେ ଲଗେଇ ପାରୁନି । ସେଇ ମୋର ଦୁଃଖ । ମୋ ଲାଗି ଏମିତି ସାଜସଜ୍ଜା କରି ଗସ୍ତର ଉଦ୍ଦେଶ୍ୟକୁ ତୁମେ ବିପରୀତ ଦିଗରେ ନେଇଯାଉଛ । ଏହା ସାମ୍ପ୍ରଦାୟିକ ସମସ୍ୟାକୁ ଆହୁରି ଗୁରୁତର କରିବ । ତୁମେ କ’ଣ ଜାଣନାହିଁ ଯେ ମୁଁ ନିଆଁଘେର ଭିତରେ ବାଟ ଚାଲୁଛି?”

ପୁଣି କିଛି ସମୟ ରହି ସେ କହିଥିଲେ, “ଯଦି ପ୍ରକୃତରେ ମତେ ଭଲପାଅ, ମୋ ଅନୁରୋଧ ରକ୍ଷା କରି କାମକର । ଏତେବଡ଼ ହତ୍ୟା ବିଭୀଷିକା ଭିତରେ ଏ ସାଜସଜ୍ଜା ନିଶା ତୁମକୁ କେମିତି ଘାରିଲା? ତୁମେ ଉଚ୍ଚଶିକ୍ଷିତ । କଂଗ୍ରେସର ଜଣେ ବଡ଼ କର୍ମକର୍ତ୍ତା । ଜେଲ୍ରୁ ଏବେ ଫେରିଛ । ଖଦଡ଼ର ସାନ ଧୋତି ଚାଦର ବି ଆପଣେଇଛ । ତା’ ସତ୍ତେ୍ୱ ବିଲାତି ରେଶମ ଜରିରେ ମଞ୍ଚ ମଣ୍ଡଣି କରିଛ । ମୁଁ ତୁମ ଜରିଆରେ କଂଗ୍ରେସର ସମସ୍ତଙ୍କୁ ଦେଖିପାରୁଛି । ଆଜି ପରାଧୀନ ଦେଶରେ ତୁମେ ସେବକ ସାଜି କାମ କରୁଛ । କାଲି ସ୍ୱାଧୀନ ଦେଶରେ ପଦ ପଦବୀ ପାଇଲେ ଫୁଲହାର ପିନ୍ଧିବା ଓ ପିନ୍ଧାଇବା ଲାଗି ତୁମେମାନେ ଯେ ତଳକୁ ଖସି ନ ଯିବ, ଏ ଭରସା ମୋର ଆଉ ନାହିଁ ।”

“ମୁଁ ନିର୍ଭୟ ବୋଲି ଭାବୁଥିଲି । ହେଲେ ଆଜି ନିର୍ଭୟ ହୋଇ କହିପାରିବି ନାହିଁ ଯେ କଂଗ୍ରେସ ଯାହା ଅଛି, କାଲି ତାହା ହୋଇ ରହିବ । ଭଲ ହେଲ, ମୋ ଆଗରେ ଆଗାମୀ ଦିନର ଛବି ଆପେ ଖୋଲିଗଲା ।”

ଏତିକି କହି ଗାନ୍ଧିଜୀ ପାଖ ଗାଁକୁ ଯିବାର ଉପକ୍ରମ କଲେ । କର୍ମକର୍ତ୍ତାଙ୍କ ଭିତରେ ଭାଳେଣି । ମଣ୍ଡପ, ତୋରଣ ସବୁ କାଢ଼ି ଦିଆଗଲା । ଲିଭିଗଲା ଘିଅଦୀପ । ଫୁଲମାଳ ଚାଲିଗଲା କୁଆଡେ଼ । ଗୋଟିଏ ଖଦଡ଼ ସୂତାମାଳ ଧରି ଗାନ୍ଧିଜୀଙ୍କ ପଛରେ ଧାଇଁଲେ କର୍ମକର୍ତ୍ତା । ତାଙ୍କ ପଛେପଛେ କର୍ମୀଦଳ।

ସୂତାମାଳ ଗାନ୍ଧିଜୀ ପିନ୍ଧିଲେ । ହେଲେ ଆଉ ସଭା ହେଲାନାହିଁ । ହାତ ଯୋଡ଼ି କହିଲେ, ଯାହା କ୍ଷତି ହେଲା ସେ ସବୁ ପାଇଁ ମୁଁ ଦାୟୀ । ମୁଁ ତାହାର ପ୍ରାୟଶ୍ଚିତ କରିବା ଲାଗି ବାଟ ଖୋଜିବି । ପ୍ରାୟଶ୍ଚିତ କରିବି ।