Latest Odisha News

BREAKING NEWS

ମସ୍କୋରେ କ’ଣ କରୁଛନ୍ତି ଡୋଭାଲ?

ନୂଆଦିଲ୍ଲୀ: ତେଲ, ଟାରିଫ, ଏସ୍-400କୁ ନେଇ ଚର୍ଚ୍ଚା। ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ମଧ୍ୟରେ ଋଷରେ ଭାରତର ଜେମସ ବଣ୍ଡ ଅଜିତ ଡୋଭାଲ୍। ବିଶ୍ବରେ ଭୂ-ରାଜନୈତିକ ସ୍ଥିତି ସମ୍ବେଦନଶୀଳ ମୋଡରେ ଥିବା ବେଳେ ଋଷରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଋଷ ନେତାଙ୍କ ସହ ରଣନୈତିକ ସହଯୋଗୀତା ଓ ଦ୍ବିପାକ୍ଷିକ ସଂପର୍କ ସୁଧାରିବା ନେଇ ଡୋଭାଲ ଆଲୋଚନା କରିବେ। ଆମେରିକା ରାଷ୍ଟ୍ରପତି ଏକାସାଙ୍ଗରେ ଋଷ ଓ ଭାରତକୁ ଧମକ ଦେଉଛନ୍ତି। ଏଭଳି ସ୍ଥିତିରେ ଅଜିତ ଡୋଭାଲଙ୍କ ପାଇଁ ଭାରତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଆମେରିକା ଓ ଋଷ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ବଡ଼ ଚ୍ୟାଲେଞ୍ଜ ହେବ।

ଟ୍ରମ୍ପଙ୍କ ଧମକ… ଡୋଭାଲଙ୍କ ଗସ୍ତ

ସମ୍ବେଦନଶୀଳ ଭୂ-ରାଜନୈତିକ ସ୍ଥିତି ବେଳେ ଋଷ ଗସ୍ତରେ ଯାଇଛନ୍ତି ଡୋଭାଲ। ଋଷଠାରୁ ଭାରତ ଅଶୋଧିତ ତୈଳ କିଣିବା ନେଇ କ୍ଷୁବ୍ଧ ଟ୍ରମ୍ପ। ଭାରତ ତେଲ କିଣି ଋଷ ୟୁକ୍ରେନ ଯୁଦ୍ଧ ପାଇଁ ଫଣ୍ଡିଂ କରୁଥିବା ଟ୍ରମ୍ପ କହିଛନ୍ତି। ଅଶୋଧିତ ତେଲ କିଣିବା ବନ୍ଦ ନକଲେ ଭାରତ ଉପରେ ଆମେରିକା ଅତ୍ୟଧିକ ଟାରିଫ ଲଗାଇବ ବୋଲି ବି ଧମକ ଦେଇଛନ୍ତି। ସେପଟେ ଋଷକୁ ୟୁକ୍ରେନ୍ ସହ ଯୁଦ୍ଧରେ ଶୀଘ୍ର ଅସ୍ତ୍ରବିରତି ଘୋଷଣା କରିବାକୁ କହିଛନ୍ତି। ଯୁଦ୍ଧବିରତି ନକଲେ କଡା କଟକଣା ଲଗାଇବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ। ଏଭଳି ସ୍ଥିତିରେ ଅଜିତ ଡୋଭାଲଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି।

କ’ଣ ହେବ ଆଲୋଚନା?

ପୂର୍ବରୁ ଭାରତ ଉପରେ 25ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା କରି ସାରିଛନ୍ତି ଡୋନାଲଡ ଟ୍ରମ୍ପ। ଏହାପରେ ଭାରତ ଭଲ ସହଯୋଗୀ ନୁହେଁ ଏବଂ 24ଘଣ୍ଟା ମଧ୍ୟରେ ଭାରତ ଉପରେ ଅଧିକ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଟ୍ରମ୍ପ। ତେବେ ଖୋଦ ଆମେରିକା ଋଷ ସହ ବମ୍ପର ବିଜନେସ କରୁଛି। ଏପରିକି 2022ରେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଆମେରିକା ଚାହୁଁଥିଲା ଭାରତ ଋଷଠାରୁ ଶସ୍ତାରେ ତେଲ କିଣୁ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେଣୁ ଡୋଭାଲଙ୍କ ଋଷ ଗସ୍ତ ସମୟରେ ଅଶୋଧିତ ତେଲ କିଣା ନେଇ ଆଲୋଚନା ହୋଇପାରେ।

ଏସ୍-400 ନେଇ ହୋଇପାରେ ଚର୍ଚ୍ଚା

ଋଷ ଗସ୍ତ ସମୟରେ ଅଜିତ ଡୋଭାଲ ନିଜ ଋଷ ପ୍ରତିପକ୍ଷଙ୍କ ସହ ପ୍ରତିରକ୍ଷା ଡିଲ ନେଇ ଆଲୋଚନା କରିପାରନ୍ତି। ଭାରତ ଅଧିକ ଏସ୍-400 ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିବା, ଏହାର ରକ୍ଷଣାବେକ୍ଷଣକୁ ନେଇ ମଧ୍ୟ ଆଲୋଚନା ହୋଇପାରେ। ଋଷ ଭାରତର ବଡ଼ ପ୍ରତିରକ୍ଷା ସହଯୋଗୀ। 2018ରେ ଭାରତ ଋଷଠାରୁ 5ଟି ଏସ୍-400 ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ କିଣିବାକୁ ଡିଲ୍ କରିଥିଲା। ଏହାର ଦାମ୍ ପ୍ରାୟ 40ହଜାର କୋଟି ଟଙ୍କା ଥିଲା। ଏହା ମଧ୍ୟରୁ ଭାରତକୁ 3ଟି ମିଳି ସାରିଥିବା ବେଳେ ବାକି ଦୁଇଟି ଏସ୍-400 ସ୍କ୍ବାଡ୍ରନର ଡେଲିଭେରୀ ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ବିଳମ୍ବିତ ହେଉଛି। ତେବେ ଆସନ୍ତା ବର୍ଷ ମଧ୍ୟରେ ଏହା ମିଳିବା ନେଇ ସଂକେତ ମିଳୁଛି। ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନୀ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବାରେ ଏସ୍-400 ସଫଳ ହୋଇଥିଲା।

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ମସ୍କୋ ଗସ୍ତ କରିଛନ୍ତି ଅଜିତ ଡୋଭାଲ। ଏହାପୂର୍ବରୁ ସେ ଚୀନର ଏସସିଓ ବୈଠକରେ ଋଷ ଅଧିକାରୀଙ୍କୁ ଭେଟିଥିଲେ। ଋଷ ଅଧିକାରୀଙ୍କ ସହ ତାଲିବାନକୁ ନେଇ ବି ଆଲୋଚନା ହୋଇପାରେ। ନିକଟରେ ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ମାନ୍ୟତା ଦେଇଛି ଋଷ। ସେପଟେ ଟ୍ରମ୍ପଙ୍କ ସ୍ବତନ୍ତ୍ର ଦୂତ ଷ୍ଟିଭ ଓ୍ବିଟକଫ ମଧ୍ୟ ମସ୍କୋରେ ପହଞ୍ଚିଛନ୍ତି।

Comments are closed.