ମୁମ୍ବାଇ: ପୁଣେ ଜିଲ୍ଲାର ବାରାମତୀ ଅଞ୍ଚଳରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ସେ ବାରାମତୀରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିଲା ବେଳେ ଏହି ଅଘଟଣ ଘଟିଥିଲା।
ସେ ଏବଂ ବିମାନରେ ଥିବା ଅନ୍ୟମାନେ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତେବେ ଦୁର୍ଘଟଣା ପୂର୍ବରୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଶେଷ ପୋଷ୍ଟ କରାଯାଇଥିଲା, ଯାହାକୁ କିଛି ସମୟ ପରେ ଡିଲିଟ କରିଦିଆଯାଇଥିଲା।
ଦୁର୍ଘଟଣାର କିଛି ସମୟ ପୂର୍ବରୁ ଅଜିତ ପାୱାର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେ ଲେଖିଥିଲେ, “ସ୍ୱରାଜର ଘୋଷକ ଏବଂ ‘ପଞ୍ଜାବ କେଶରୀ’ ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀ, ଯିଏ ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ, ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି! ତାଙ୍କ ଦେଶପ୍ରେମ ଆମକୁ ସର୍ବଦା ପ୍ରେରଣା ଦେବ। ସାଇମନ କମିଶନ ବିରୋଧରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେବା ସମୟରେ ପୋଲିସ ଲାଠିଚାର୍ଜ ସମୟରେ ଗୁରୁତର ଆଘାତ ପାଇବାରୁ ଲାଲା ଲଜପତ ରାୟଙ୍କର ଅକ୍ଟୋବର ୧୯୨୮ରେ ମୃତ୍ୟୁ ହୋଇଥିଲା।”
ତେବେ ଅଜିତ ପାୱାରଙ୍କ ମୃତ୍ୟୁ ଖବର ପରେ ଏହି ପୋଷ୍ଟକୁ ଡିଲିଟ କରାଯାଇଛି। ଅପରପକ୍ଷରେ ଅନୁମାନ କରାଯାଉଛି ଯେ ତାଙ୍କ ମୃତ୍ୟୁ ପରେ ଟିମ୍ ପକ୍ଷରୁ ଏହି ପୋଷ୍ଟ କରାଯାଇଥିଲା। ଏବଂ ତାଙ୍କ ମୃତ୍ୟୁ ଖବର ଜାଣିବା ମାତ୍ରେ ଏହାକୁ ଡିଲିଟ କରିଦେଇଛନ୍ତି।
Comments are closed.