Latest Odisha News

BREAKING NEWS

ଉନ୍ମୋଚିତ ହେଲା କବି ଅଖିଳ କୁମାର ମିଶ୍ରଙ୍କ ପ୍ରଥମ ଇଂରାଜୀ କବିତା ପୁସ୍ତକ ‘ଦ ପେଣ୍ଟେଡ଼ ସାଇଲେନ୍ସ’

ଭୁବନେଶ୍ୱର : ବିଶିଷ୍ଟ ଓଡ଼ିଆ କବି ଅଖିଳ କୁମାର ମିଶ୍ରଙ୍କ ପ୍ରଥମ ଇଂରାଜୀ କବିତା ସଂକଳନ ‘ଦ ପେଣ୍ଟେଡ଼ ସାଇଲେନ୍ସ’ ଲୋକାର୍ପିତ ହୋଇଛି । ଓଡ଼ିଶାର ଜଣାଶୁଣା ସାହିତ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଆୟୋଜିତ ‘ଟାଇମପାସ୍ ପୁସ୍ତକ ପର୍ବ’ ଉତ୍ସବରେ ବିଶିଷ୍ଟ ସାହିତ୍ୟିକମାନଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି ।

ନିଜର ପ୍ରଥମ ଇଂରାଜୀ କବିତା ସଂକଳନର ଉନ୍ମୋଚନ ଅବସରରେ କବି ଅଖିଳ କୁମାର ମିଶ୍ର କହିଛନ୍ତି ‘କବିତା ହେଉଛି, ପ୍ରେମ, ପ୍ରତାରଣା, ଦୁଃଖ, ସୁଖ, ନିଃସଙ୍ଗତା ତଥା ପାର୍ଥିବ ଜୀବନର ସମନ୍ୱୟ’ । କବିତାଟିଏ ଲେଖିଦେବା ଅପେକ୍ଷା କବିମନସ୍କତାରେ କବିତା ସହି ଜଡ଼ିତ ହୋଇ ରହିବା କବିଟିଏ ଲାଗି ବେଶ୍ ମହତ୍ୱପୂର୍ଣ୍ଣ ହୋଇଥାଏ’ ।

ଟାଇମପାସ୍ ପକ୍ଷରୁ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ବିଭୁ ପାଢୀ କହିଛନ୍ତି, “ ପ୍ରତ୍ୟେକ କବିଙ୍କର ପ୍ରଥମ କବିତା ସଂକଳନ ପ୍ରେମ କବିତାକୁ ନେଇ ପ୍ରକାଶିତ ହୋଇଥାଏ, ଯାହାକି କବି ଅଖିଳ କୁମାର ମିଶ୍ରଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି” । ଏହି ଇଂରାଜୀ କବିତା ସଂକଳନଟିରେ ଅନେକ ଗୁଡ଼ିଏ ସୁନ୍ଦର ପ୍ରେମ କବିତାକୁ କବି ସ୍ଥାନ ଦେଇଛନ୍ତି ବୋଲି ମୁଖ୍ୟ ଅତିଥି କବି ବିଭୁ ପାଢୀ କହିଛନ୍ତି ।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରସିଦ୍ଧ ସାହିତ୍ୟ ପ୍ରକାଶନ ସଂସ୍ଥା ଟାଇମପାସ୍ ପକ୍ଷରୁ ଏକ ମନୋରମ ସାରସ୍ୱତ ଉତ୍ସବ ‘ପୁସ୍ତକ ପର୍ବ’ ରେ ଏହି ଇଂରାଜୀ କବିତା ସଂକଳନଟି ଉନ୍ମୋଚିତ ହୋଇଛି ।
ଏହି ସାରସ୍ୱତ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କବି ସଂଗ୍ରାମ ଜେନା କହିଛନ୍ତି, “କବିଙ୍କର ଏକୁଟିଆପଣ ଏହି ପୁସ୍ତକରେ ପ୍ରାୟ ସମସ୍ତ କବିତାରେ ନୀରବ ଭାବେ ବେଶ୍ ଲୁଚି ରହିଥିବାର ଦୃଶ୍ୟ ହେଉଛି” ।

କବି ପବିତ୍ର ମୋହନ କରଙ୍କ ସଭାପତିତ୍ୱରେ ଏହି ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା । ପ୍ରକାଶକ ତଥା କବି ସରୋଜ ବଳ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ । ଏହି ସାହିତ୍ୟ ସଭାରେ ବିଶିଷ୍ଟ କବି ତଥା ସାହିତ୍ୟାନୁରାଗୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

କବି ଅଖିଳ କୁମାର ମିଶ୍ରଙ୍କ ପୂର୍ବରୁ ୫ଟି ଓଡ଼ିଆ କବିତା ସଂକଳନ ପ୍ରକାଶିତ ହୋଇଛି ଏବଂ ତାଙ୍କର ଏହି ‘ଦ ପେଣ୍ଟେଡ଼ ସାଇଲେନ୍ସ’ କବିତା ପୁସ୍ତକ ହେଉଛି ପ୍ରଥମ ଇଂରାଜୀ କବିତା ସଂକଳନ ।

କବି ଅଖିଳ କୁମାର ମିଶ୍ର ୧୯୯୯ ମସିହାରେ ଭାରତୀୟ ଆଲାଏଡ ସେବାରେ ଯୋଗଦେବା ପରେ ଗ୍ରେଡ଼ ଏ ଭାରତୀୟ ସୂଚନା ବିଭାଗ ପ୍ରଶାସନିକ ସେବାରେ ନିଯୁକ୍ତ ହୋଇଛନ୍ତି ।

ସେ ବିଭିନ୍ନ ସରକାରୀ ଗଣମାଧ୍ୟମ ସଂସ୍ଥା ଦିଲ୍ଲୀର ଅଲ ଇଣ୍ଡିଆ ରେଡ଼ିଓ, ନାଗାଲାଣ୍ଡର ଏଆଆର/କୋହିମା, ଅଲ ଇଣ୍ଡିଆ ରେଡ଼ିଓ କଟକ ଏବଂ ଡ଼ିଡ଼ି କୋଲକାତାରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।

ସେ ମଧ୍ୟ ଓଡ଼ିଶା ଫିଲ୍ମ ସେନସର ବୋର୍ଡ଼ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଦୂରଦର୍ଶନ ନିୟୁଜ ଭୁବନେଶ୍ୱର ଏବଂ ଏଆଆର ଗୌହାଟୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

ଏବେ କବି ଅଖିଳ କୁମାର ମିଶ୍ର ଦିଲ୍ଲୀ ଅବସ୍ଥାପିତ ହୋଇ ମ୍ୟାନେଜମେଣ୍ଟ ଡ଼େଭଲପମେଣ୍ଟଇନଷ୍ଟିଚ୍ୟୁଟ, ଗୁରୁଗ୍ରାମ ଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.