ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ୨୦୨୫ ନଭେମ୍ବରରେ ହୋଇଥିବା ବିସ୍ଫୋରଣକୁ ନେଇ ବଡ଼ ଖୁଲାସା କରିଛି ଜାତିସଂଘ। ଜାତିସଂଘ ସୁରକ୍ଷା ପରିଷଦର ନିରୀକ୍ଷଣ ଟିମ୍ର ନୂଆ ରିପୋର୍ଟରେ ଏହି ଆକ୍ରମଣ ପଛରେ ଅଲ୍-କାଏଦା ଇନ୍ ଦ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ (AQIS)ର ହାତ ଥିବା କୁହାଯାଇଛି। ପ୍ରଥମ ଥର ପାଇଁ ଜାତିସଂଘର କୌଣସି ଦସ୍ତାବିଜରେ ଲାଲକିଲ୍ଲା ନିକଟ ଆକ୍ରମଣକୁ ସିଧାସଳଖ AQIS ସହ ଯୋଡ଼ାଯାଇଛି। ତେବେ ଭାରତରେ ଏହି ଘଟଣାର ତଦନ୍ତ ଏନ୍ଆଇଏ କରୁଛି।
ଅଗଷ୍ଟ ୨୦୨୬ରେ ସୁରକ୍ଷା ପରିଷଦରେ ଦାଖଲ ହୋଇଥିବା ଏହି ୩୮ତମ ରିପୋର୍ଟ ୨୦୨୫ ଡିସେମ୍ବର ୧୬ରୁ ୨୦୨୬ ଜୁନ୍ ୯ ପର୍ଯ୍ୟନ୍ତର ଘଟଣାକ୍ରମ ଉପରେ ଆଧାରିତ। ରିପୋର୍ଟ ଅନୁସାରେ, ପୂର୍ବରୁ ଦୁର୍ବଳ ଓ ବିଭାଜିତ ଥିବା AQIS ଏବେ ଏକ ସଂଗଠିତ ଆଞ୍ଚଳିକ ଶକ୍ତି ଭାବେ ଉଭା ହେଉଛି। ସୁରକ୍ଷା ଏଜେନ୍ସିର ନଜରରୁ ବର୍ତ୍ତିବା ପାଇଁ ଏହା ବଡ଼ ଗୋଷ୍ଠୀ ବଦଳରେ ଛୋଟ ଛୋଟ ଓ ବିଛିନ୍ନ ଟିମ୍ରେ କାର୍ଯ୍ୟ କରୁଛି। ଏହା ସହ ନିଜସ୍ୱ ଲଜିଷ୍ଟିକ୍ସ ଓ ଅର୍ଥ ଯୋଗାଣ ନେଟୱର୍କ ମଧ୍ୟ ଗଢ଼ିଥିବା ରିପୋର୍ଟରେ କୁହାଯାଇଛି। ଆଗାମୀ ଦିନରେ ବାଂଲାଦେଶରେ ମଧ୍ୟ ଏହା ନିଜର ଠିକଣା ସ୍ଥାପନ କରିବାକୁ ଚେଷ୍ଟା କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।
ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ମଧ୍ୟ ଉତ୍ତେଜନା ବଢ଼ିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତାଲିବାନ ତେହରିକ୍-ଇ-ତାଲିବାନ ପାକିସ୍ତାନ (TTP)କୁ ସମର୍ଥନ କରୁଥିବା ଅଭିଯୋଗ ରହିଛି। ଏହା ଫଳରେ ପାକିସ୍ତାନୀ ସୁରକ୍ଷାବାହିନୀ ଉପରେ ଆକ୍ରମଣ ବଢ଼ିବା ସହ ଉଭୟ ଦେଶ ମଧ୍ୟରେ ସାମରିକ ସଂଘର୍ଷ ମଧ୍ୟ ହୋଇଛି।
AQISକୁ ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଇତ୍ତେହାଦ-ଉଲ୍-ମୁଜାହିଦିନ୍ ପାକିସ୍ତାନ (IMP)ର ଆକ୍ରମଣ ସହ ମଧ୍ୟ ଯୋଡ଼ାଯାଇଛି। ଏଥିରେ ବନ୍ନୁରେ ଏକ ସୁରକ୍ଷା ଚେକ୍ପୋଷ୍ଟ ନିକଟରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ମଧ୍ୟ ସାମିଲ ରହିଛି।
ରିପୋର୍ଟରେ ଆଉ ଏକ ଚିନ୍ତାଜନକ ଦିଗ ସାମ୍ନାକୁ ଆସିଛି। ଆତଙ୍କୀ ସଂଗଠନଗୁଡ଼ିକ ଏବେ ବିଭିନ୍ନ AI ଟୁଲ୍ର ଦୁରୁପଯୋଗ କରୁଥିବା ନେଇ ଜାତିସଂଘ ଚିନ୍ତା ପ୍ରକାଶ କରିଛି। ବିଶେଷକରି ଚାଟ୍ବଟ୍ ଆଧାରିତ AIକୁ ହିଂସାତ୍ମକ କାର୍ଯ୍ୟ ସମ୍ପର୍କିତ ସୂଚନା ପାଇଁ ବ୍ୟବହାର କରାଯାଉଥିବା କୁହାଯାଇଛି। ISIL-K ମଧ୍ୟ ନିଜର ପ୍ରଚାର ସାମଗ୍ରୀକୁ ବିଭିନ୍ନ ଭାଷାରେ ଦ୍ରୁତ ଅନୁବାଦ କରିବାରେ AI ବ୍ୟବହାର କରୁଥିବା ରିପୋର୍ଟରେ ଦର୍ଶାଯାଇଛି।
ରିପୋର୍ଟ ଅନୁସାରେ, ISILର ଇଂରାଜୀ ପତ୍ରିକା ‘ଇନଭେଦ୍’ରେ ମଧ୍ୟ ବିପଜ୍ଜନକ ରାସାୟନିକ ପଦାର୍ଥ ସମ୍ପର୍କିତ ବିଷୟବସ୍ତୁ ପ୍ରକାଶ ପାଇଛି। ଏହାରୁ ସଂଗଠନଟି ରାସାୟନିକ ଓ ଜୈବିକ ଅସ୍ତ୍ର ପ୍ରତି ଆଗ୍ରହ ଜାରି ରଖିଥିବା ଆଶଙ୍କା କରାଯାଉଛି।
ରିପୋର୍ଟରେ ଆତଙ୍କବାଦୀ ପ୍ରତିବନ୍ଧ ତାଲିକାରେ ହୋଇଥିବା ପରିବର୍ତ୍ତନର ମଧ୍ୟ ଉଲ୍ଲେଖ ରହିଛି। ରିପୋର୍ଟ ଅବଧିରେ ଜାତିସଂଘର ଆତଙ୍କବାଦୀ ପ୍ରତିବନ୍ଧ ତାଲିକାରେ ୩ଟି ନୂଆ ନାମ ଯୋଡ଼ାଯାଇଥିବା ବେଳେ ୭ଟି ନାମ ହଟାଯାଇଛି। ସେହିପରି, ୨୦୨୬ ଫେବ୍ରୁଆରୀ ୨୭ରେ ଅଲ୍-ନୁସ୍ରା ଫ୍ରଣ୍ଟ, ଯାହାକୁ ହୟାତ ତହରିର ଅଲ୍-ଶାମ ନାମରେ ମଧ୍ୟ ଜଣାଯାଏ, ତାହାର ନାମ ଏହି ତାଲିକାରୁ ସମ୍ପୂର୍ଣ୍ଣ ହଟାଯାଇଥିଲା।
