Latest Odisha News

ନୋବେଲ ଶାନ୍ତି ପୁରସ୍କାର ପାଇବେ ବେଲାଋଷର ମାନବାଧିକାର କର୍ମୀ ଏବଂ ଋଷ-ୟୁକ୍ରେନର ଦୁଇଟି ସଂଗଠନ

ଷ୍ଟକହୋମ୍:  ବିଶ୍ବର ସବୁଠୁ ପ୍ରତିଷ୍ଠିତ ସମ୍ମାନ ନୋବେଲେ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ନରଓ୍ବେର ନୋବେଲ କମିଟି 2022 ପାଇଁ ନୋବେଲ ଶାନ୍ତି ପୁରସ୍କାର ବେଲାଋଷର ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ୍ ଏଲେସ ବାଲିୟାତସ୍କିଙ୍କ ନାମ ଘୋଷଣା କରିଛି । ଏହା ସହ ଋଷର ମାନବାଧିକାର ସଂଗଠନ ମେମୋରିୟଲ ଓ ୟୁକ୍ରେନର ମାନବାଧିକାର ସଂଗଠନ ସେଣ୍ଟର ଫର ସିବିଲ ଲିବର୍ଟିଜକୁ ମଧ୍ୟ ଏହି ପୁରସ୍କାର ମିଳିତ ଭାବେ ପ୍ରଦାନ କରାଯିବ ।

କମିଟି ପକ୍ଷରୁ ନାମ ଘୋଷଣା ବେଳେ କୁହାଯାଇଛି ଯେ ନୋବେଲ ଶାନ୍ତି ପୁରସ୍କାର ବିଜେତାମାନେ ନିଜ ନିଜ ଦେଶରେ ନାଗରିକଙ୍କ ମାନବିକ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଯୁଦ୍ଧ ଅପରାଧ କ୍ଷେତ୍ରରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଏହି ବିଜେତା ମାନେ ଆଗକୁ ଆସିଛନ୍ତି । ସରକାରୀ କଳର ଅପବ୍ୟବହାର କ୍ଷେତ୍ରରେ ନୋବେଲ ଶାନ୍ତି ବିଜେତା ବ୍ୟକ୍ତି ଏବଂ ସଂଗଠନ ଲୋକମାନଙ୍କ ପାଇଁ ସରକାରଙ୍କ ସହ ଲଢ଼ିଛନ୍ତି, ସେମାନଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟଳୟରେ ଯୁକ୍ତିଯୁକ୍ତ ତଥ୍ୟ ଉପସ୍ଥାପନ କରିବା ପାଇଁ ସହାୟକ ହୋଇଛନ୍ତି । ସେମାନେ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ବର୍ଷ ବର୍ଷ ଧରି ନିସ୍ବାର୍ଥପର ଭାବରେ କାର୍ଯ୍ୟ କରିଛନ୍ତି । ତେଣୁ ଯୁଗ୍ମଭାବେ ଏହି ଦୁଇଟି  ସଂଗଠନ ଏବଂ ଏଲେସଙ୍କୁ ଚୟନ କରାଯାଇଛି ।

ରୁଷିଆର ମାନବିକ ଅଧିକାର ସଂଗଠନ 1987 ମସିହାରୁ ରୁଷିଆରେ ମାନବିକ ଅଧିକାର ପାଇଁ ଲୋକଙ୍କୁ ସହାୟତା କରିଆସୁଛି । ସୋଭିଏତ ୟୁନିୟନ ଭାଙ୍ଗିବା ପୂର୍ବରୁ ଏହି ସଂଗଠନ ଲୋକଙ୍କ ମାନବିକ ଅଧିକାରକୁ ସମ୍ମାନ ଦେବା ସହ ଆଜି ପର୍ଯ୍ୟନ୍ତି ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କରୁଛି । ସେହିପରି ୟୁକ୍ରେନର ମାନବିକ ଅଧିକାର ସଂଗଠନ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ସାଧାରଣ ଲୋକଙ୍କ ମାନବିକ ଅଧିକାର ସୁରକ୍ଷା ପାଇଁ ରାତି ଦିନ କାର୍ଯ୍ୟ କରୁଛି । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ଲୋକଙ୍କୁ ନ୍ୟାୟ ଦେବାପାଇଁ ଲଢ଼େଇ କରୁଛି ।

Comments are closed.