Latest Odisha News

ପୁଣି ଅଲିମ୍ପିକ୍ସ ଫିଭର

ନୁଆଦିଲ୍ଲୀ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଆରମ୍ଭ ହୋଇଯିବ ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସ । ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡା ପାଇଁ ସଜେଇ ହୋଇଛି ପ୍ୟାରିସ ମହାନଗରୀ । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା କ୍ରୀଡା ମହାକୁମ୍ଭ ପାଇଁ କ୍ରୀଡାପ୍ରେମୀଙ୍କ ରୋମାଂଚ ବଢିବାରେ ଲାଗିଛି । ତୃତୀୟ ଥର ପାଇଁ ପ୍ୟାରିସ ନଗରୀରେ ଆୟୋଜିତ ହେବ ଅଲିମ୍ପିକ୍ସ । ୧୯୦୦ ମସିହାରେ ଅଲିମ୍ପିକ୍ସର ଦ୍ୱିତୀୟ ସଂସ୍କରଣ ପ୍ୟାରିସରେ ଆୟୋଜିତ ହୋଇଥିଲା । ପୁଣି ୧୯୨୪ ମସିହାରେ ଅଲିମ୍ପିକ୍ସ ଆୟୋଜିତ କରିଥିଲା ଫ୍ରାନ୍ସ ରାଜଧାନୀ । ମାନେ ପ୍ରାୟ ୧୦୦ ବର୍ଷ ପରେ ପୁଣି ପ୍ୟାରିସ ନଗରୀକୁ ଫେରିଛି ଅଲିମ୍ପିକ୍ସ ।

ଏଥର ତିନି ବର୍ଷ ବ୍ୟବଧାନରେ ପୁଣି ଆୟୋଜିତ ହେଉଛି ଅଲିମ୍ପିକ କ୍ରୀଡା । ୨୦୨୦ରେ ଟୋକିଓରେ ଅଲିମ୍ପିକ୍ସ ଆୟୋଜିତ ହେବାର ଥିଲେ ମଧ୍ୟ କୋରୋନା ମହାମାରୀ ଯୋଗୁଁ ଏହାକୁ ବର୍ଷେ ଘୁଂଚାଇ ଦିଆଯାଇ ୨୦୨୧ରେ ଆୟୋଜିତ କରାଯାଇଥିଲା । କୋଭିଡ ଯୋଗୁଁ ବିନା ଦର୍ଶକରେ ଖେଳାଯାଇଥିଲା ଟୋକିଓ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡା ପ୍ରତିଯୋଗିତା । ଏଥର କିନ୍ତୁ ମହାମାରୀ ନାହିଁ । ତେଣୁ ଏଥରର ଅଲିମ୍ପିକ୍ସର ବିଭିନ୍ନ ଇଭେଂଟ ପାଇଁ ଦର୍ଶକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ଜୁଲାଇ ୨୬ରୁ ଅଗଷ୍ଟ ୧୧ ଯାଏଁ ଆୟୋଜିତ ହେବ ପ୍ୟାରିସ ଅଲିମ୍ପିକ୍ସ । ତେବେ ଉଦଘାଟନୀ ସମାରୋହ ପୂର୍ବରୁ ଫୁଟବଲ, ରଗବୀ ସେଭେନ, ତୀରନ୍ଦାଜୀ ଓ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଯିବ ।

ଏଥର ପ୍ୟାରିସ ଅଲିମ୍ପିକ୍ସରେ ୩୨ଟି କ୍ରୀଡାରେ ୩୨୯ଟି ଇଭେଂଟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବେ କ୍ରୀଡାବିତ । ଗତ ଟୋକିଓ ଅଲିମ୍ପିକ୍ସ ଅପେକ୍ଷା ଏଥର ୧୦ଟି ଇଭେଂଟ କମ୍ ରହିବ । ପ୍ୟାରିସ ଅଲିମ୍ପିକ୍ସର ୩୨୯ ଇଭେଣ୍ଟ ମଧ୍ୟରୁ ୨୮ଟି ହେଉଛି କୋର୍‌୍ ସ୍ପୋର୍ଟସ ବର୍ଗରେ ଆସୁଛି । ଏକ ପ୍ରତିଯୋଗିତାମୂଳକ କ୍ରୀଡା ଭାବେ ସ୍ୱୀକୃତ ହେଲା ପରେ ପ୍ରଥମ ଥର ପାଇଁ ବ୍ରେକଡ୍ୟାନସିଂ ପ୍ୟାରିସ ଅଲିମ୍ପିକ୍ସରେ ପଦାର୍ପଣ କରିବ । ସ୍କେଟବୋର୍ଡିଂ, ସ୍ପୋର୍ଟ କ୍ଲାଇମ୍ବିଂ ଓ ସର୍ଫିଙ୍ଗକୁ ମାତ୍ର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ସ୍ଥାନ ମିଳିଛି । ଆଥଲେଟିକ୍ସରେ ସର୍ବାଧିକ ୪୮ ଇଭେଂଟରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦିତା ହେବ ।

ପ୍ୟାରିସ ଅଲିମ୍ପିକ୍ସରେ ୧୮୪ଟି ଦେଶର ୧୦ ହଜାର ୫ ଶହ କ୍ରୀଡାବିତ ଅଂଶଗ୍ରହଣ କରିବେ । ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ସର୍ବାଧିକ ୫୮୮ କ୍ରୀଡାବିତ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବେ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଯୋଗୁଁ ଋଷିଆ ଓ ବେଲାଋଷକୁ ଆନ୍ତର୍ଜାତିକ ଅଲିମ୍ପିକ କମିଟି ସସପେଣ୍ଡ୍ କରିଛି । କିନ୍ତୁ ଏ ଦୁଇ ଦେଶର ଆଥଲେଟମାନେ ଇଂଡିଭିଜୁଆଲ୍ ନ୍ୟୁଟ୍ରାଲ୍ ଆଥଲେଟ୍ ବା ବ୍ୟକ୍ତିଗତ ନିରପେକ୍ଷ କ୍ରୀଡାବିତ ଭାବେ ଏଥର ଅଲିମ୍ପିକ୍ସରେ ଭାଗ ନେବେ । ଏହାଛଡା ରିଫ୍ୟୁଜି ଅଲିମ୍ପିକ ଟିମର ସଦସ୍ୟ ଭାବେ ୩୬ କ୍ରୀଡାବିତ ପ୍ୟାରିସ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିବେ । ଭାରତ ଏଥର ଅଲିମ୍ପିକ୍ସକୁ ୧୦୦ ଜଣିଆ କ୍ରୀଡାବିତଙ୍କ ଟିମ୍ ପଠାଇବ ।

୨୦୧୨ ପରେ ପୁଣି ଥରେ ୟୁରୋପ ମହାଦେଶରେ ଆୟୋଜିତ ହେଉଛି ଅଲିମ୍ପିକ୍ସ । ୨୦୧୨ରେ ଲଣ୍ଡନ ନଗରୀ ଥିଲା ଅଲିମ୍ପିକ୍ସର ଆୟୋଜକ । ଦିନକୁ ଦିନ ଅଲିମ୍ପିକ କ୍ରୀଡା ଆୟୋଜନ ବ୍ୟୟବହୁଳ ହୋଇ ଯାଉଥିବାରୁ ଖର୍ଚ୍ଚ କାଟ ପାଇଁ ପ୍ରଶଂସନୀୟ ପଦକ୍ଷେପ ନେଇଛି ପ୍ୟାରିସ ଅଲିମ୍ପିକ୍ସ ଆୟୋଜନ କମିଟି । ପ୍ୟାରିସରେ ପୂର୍ବରୁ ଥିବା କିଛି ଷ୍ଟାଡିୟମ ଓ କ୍ରୀଡା  ଭିତ୍ତିଭୂମିର ନବୀକରଣ କରାଯାଇଛି । ଏଥିସହ ନିର୍ମାଣ କରାଯାଇଛି କିଛି ଅସ୍ଥାୟୀ ଷ୍ଟାଡିୟମ । ପ୍ୟାରିସ ନଗରୀରେ ଥିବା ବଡ ବଡ ସାର୍ବଜନୀନ ଛକ ଓ ପାର୍କ ଅସ୍ଥାୟୀ ଷ୍ଟାଡିୟମରେ ପରିଣତ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ମୋଟ ୩୫ଟି ଭେନ୍ୟୁରେ ପ୍ରତିଯୋଗିତା ଆୟୋଜିତ ହେବ । ଅଧିକାଂଶ ଭେନ୍ୟୁ ପ୍ୟାରିସ ଓ ଏହାର ଆଖପାଖରେ ରହିଥିବା ବେଳେ ଆଉ କିଛି ଲିୟନ, ମାର୍ସେ,ନିସ୍ ପରି ପ୍ୟାରିସଠାରୁ ଦୂରବର୍ତ୍ତୀ  ସହରରେ ରହିଛି । ଅନେକ ଦୃଷ୍ଟିରୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସ୍ମରଣୀୟ ହେବାକୁ ଯାଉଛି ।

 

Leave A Reply

Your email address will not be published.