Latest Odisha News

BREAKING NEWS

ବଳ ବଢ଼ାଉଛନ୍ତି ବିଜୟ, ପୁଅ ଅରବିନ୍ଦ ହେବେ ପ୍ରାର୍ଥୀ !

କେନ୍ଦ୍ରାପଡ଼ା: ଓଡ଼ିଶା ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା ବିଜୟ ମହାପାତ୍ର । ଅଶୀ ଓ ନବେ ଦଶକରେ ଓଡ଼ିଶା ରାଜନୀତିରେ ଥିଲା ବିଜୟ ଦବଦବା । ଏକଦା ବିଜୁ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ବିଜୟଙ୍କୁ କୁହା ଯାଉଥିଲା ସୁପର ସିଏମ୍ । ବିଜୁବାବୁଙ୍କ ଦେହାନ୍ତ ପରେ ନବୀନଙ୍କୁ ଓଡ଼ିଶା ଆଣି ବିଜୁ ଜନତା ଦଳ ଗଠନରେ ଥିଲା ବିଜୟ ମହାପାତ୍ରଙ୍କ ପ୍ରମୁଖ ଭୂମିକା । ପରବର୍ତ୍ତୀ ସମୟରେ ରାଜନୈତିକ ଚକ୍ରବ୍ୟୁହରେ ଫସି ବିଜେଡି ଛାଡ଼ି ବିଜେପିରେ ଅଛନ୍ତି ବିଜୟ ।

ହେଲେ ତାଙ୍କ ମନ, ପ୍ରାଣ ପଦ୍ମ ଦଳ ପାଖରେ ନଥିବା ଭଳି ଲାଗୁଛି । ବିଜେପିର ଏକାଧିକ ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହୁଥିବା ବିଜୟ ମହାପାତ୍ର ବଦଳାଇବେ କି ଦଳ ? ୨୦୨୪ ପୂର୍ବରୁ ବିଜୟ ବିଜେଡିକୁ ବାହୁଡ଼ିବେ ନା ଆମ୍ ଆଦମୀ ପାର୍ଟିରେ ଯୋଗ ଦେବେ ? ଏବେ ସେନେଇ ପାଟକୁରା ସହ ମହାକାଳପଡ଼ାରେ ଖୁବ୍ ଚର୍ଚ୍ଚା ହେଉଛି ।

ଆଜି ପାଟକୁରାରେ ବିଜୟ ମହାପାତ୍ର ବନ୍ଧୁ ମିଳନ କରିଥିବା ବେଳେ ମଞ୍ଚରେ ବିଜେପିର ନାଁ କି ନିଶାନ ନାହିଁ । ଯାହା ବିଜୟଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ ଚର୍ଚ୍ଚାକୁ ଆଉ ଟିକିଏ ଖୋରାକ୍ ଯୋଗାଇଛି । ତେବେ ପୂର୍ବରୁ ବିଜୟଙ୍କ ରାଜନୈତିକ କାର୍ଯ୍ୟକ୍ରମରେ ଦେଖା ଯାଉ ନଥିବା ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଆଜି ଦେଖିବାକୁ ମିଳିଥିଲା । ତେବେ ବାପା ଅପେକ୍ଷା ପୁଅକୁ ନେଇ ଚର୍ଚ୍ଚା ଅଧିକ ହେଉଥିବା ବେଳେ ଅରବିନ୍ଦ ବିଜେଡିରେ ମିଶିବେ କି ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି, ସେ ବିଜେଡିରେ କିଏ ଅଛି ଜାଣିନି ।

୨୦୨୪କୁ ନଜରରେ ରଖି ବିଜୟ କରିଥିବା ବଡ଼ ଯୋଜନା ବିଷୟରେ କିଛି କହିନଥିବା ବେଳେ ପୁଅ ଅରବିନ୍ଦ କହିଛନ୍ତି, ଏଇଟା ବଡ଼ ପରିବାର, ବଡ଼ ଯୋଜନା ଚାଲିଛି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ।

ତେବେ ବିଜୟଙ୍କ ବଡ଼ ଯୋଜନା କଣ ? ବିଧାନସଭା ବଦଳରେ ଲୋକସଭା ଆସନରେ ପ୍ରାର୍ଥୀ ହେବେ କି ବିଜୟ ? ନା ପୁଅଙ୍କୁ ଲୋକସଭା ପ୍ରାର୍ଥୀ କରିବେ ? ବିଜୟ ଯଦିଓ ଏନେଇ କିଛି କହୁନାହାନ୍ତି ତଥାପି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ମାହାଙ୍ଗା ଓ ସାଲେପୁର ଅଞ୍ଚଳର ଶୁଭେଚ୍ଛୁ ଯୋଗ ଦେବା ବଡ଼ ସଂକେତ ଦେଉଛି ।

Leave A Reply

Your email address will not be published.