ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ପୋଲିସ୍ ଭବନରେ ୭୩ତମ ସର୍ବଭାରତୀୟ ପୋଲିସ ହକି ଚମ୍ପିଆନସିପ୍ ୨୦୨୫ ର କର୍ଟେନ୍ ରେଜର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଚମ୍ପିଆନସିପ୍ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ଠାରେ ଏପ୍ରିଲ ୭ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହ ସେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫ର “ଲୋଗୋ ଏବଂ ମାସ୍କଟ-ଆଶା” କୁ ଲୋକାର୍ପଣ କରିଛନ୍ତି ।
ସୂଚନାଥାଉକି, କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରୁ ଗୁରୁତର ଆହତ ଅବସ୍ଥାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର କର୍ମଚାରୀମାନେ ଏକ ହାତୀ ଶାବକ (ହାତୀ ଛୁଆ)କୁ ଉଦ୍ଧାର କରିଥିଲେ । ପରେ ତାକୁ ସେଠାରୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଥିଲା । ତାର ଏହି ସଂଘର୍ଷମୟ କାହାଣୀ ଉପରେ “ଆଶା” ଆଧାରିତ । ଯିଏକି ବର୍ତ୍ତମାନ ନନ୍ଦନକାନନରେ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଅଛି ।
ଏହି ମାସକଟ୍ “ଆଶା” ଦୟା, ସାହସ ଓ ପରିବେଶ ସଂରକ୍ଷଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିନିଧିତ୍ୱ କରୁଛି ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ ।
ଓଡ଼ିଶା ପୋଲିସ ଏହି ଚମ୍ପିଆନସିପ୍ କୁ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଥିବାରୁ ଖୁରାନିଆ ଖୁସି ବ୍ୟକ୍ତ କରିଥିଲେ । ଏଥି ନିମନ୍ତେ ସେ ସର୍ବଭାରତୀୟ ପୋଲିସ୍ କ୍ରୀଡା ନିୟନ୍ତ୍ରଣ ବୋର୍ଡ କୁ ଧନ୍ୟବାଦ ଜଣାଇଥିଲେ ।
ଏଥିରେ ୨୬ଟି ପୁରୁଷ ଦଳ ଓ ୯ଟି ମହିଳା ଦଳ ଅଂଶଗ୍ରହଣ କରିବେ । ମୋଟ ୪୮ଟି ମ୍ୟାଚ୍ ଖେଳାଯିବ । ସିଆଇଏସଏଫ୍, ସିଆରପିଏଫ୍, ବିଏସଏଫ୍, ଆଇଟିବିପି ଓ ଏସଏସବି ଭଳି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଦଳଗୁଡ଼ିକ ଏହି ପ୍ରତିଯୋଗିତାର ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଆୟୋଜନ କମିଟିର ଉପସଭାପତି ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ସଶସ୍ତ୍ର ) ରାଜେଶ କୁମାର, ଆୟୋଜନ କମିଟିର ସମ୍ପାଦକ ତଥା ଆଇଜି(ତାଲିମ) ଅନୁପ କୁମାର ସାହୁ, ସମସ୍ତ ଟିମର ମ୍ୟାନେଜର ଏବଂ ଅଧିନାୟକ, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ
Comments are closed.