Latest Odisha News

BREAKING NEWS

ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ ଉଦଘାଟିତ;ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ଭାଷାର ଲେଖକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର:  ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦୁଇଦିନିଆ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ‘ଜନଜାତୀୟ ଗୌରବ ଦିବସ’ ପାଳନ ଉପଲକ୍ଷେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ଜାତୀୟ ସ୍ତରୀୟ ସାହିତ୍ୟିକ ସମାବେଶରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଆଦିବାସୀ ଭାଷାର ଲେଖକ ଅଂଶଗ୍ରହଣ କରିଥିଲେ ।ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଛି ।

ଏହି ସମ୍ମିଳନୀରେ ଆସାମ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ଲେଖକମାନେ ଅଂଶଗ୍ରହଣ କରିଛନ୍ତି। ସେମାନେ ଆଓ, ବଞ୍ଜାରା, ବୈଗାନୀ, ଭିଲି-ରଥୱା, ଦେଶିଆ, ଗାରୋ, ଗୋଣ୍ଡି, ହାଲବି, ହକ୍କିପିକ୍କି, ହୋ, କାର୍ବି, ଖଡ଼ିଆ, କୋଟା, ମିଜୋ, ମୁଣ୍ଡାରୀ, ମୁଥୁଭାନ, ନିଶି, ସଉରା, ଟୋଡା, ୱାଗଡି ଏବଂ ୱାର୍ଲି ଆଦି ବିଭିନ୍ନ ଆଦିବାସୀ ଭାଷାର ସମୃଦ୍ଧ ଭାଷାଗତ ଓ ସାଂସ୍କୃତିକ ବିବିଧତାର ପ୍ରତିନିଧିତ୍ୱ କରି ବକ୍ତବ୍ୟ ପ୍ରଦାନ କରିବା ସହିତ ଗଳ୍ପପାଠ ଏବଂ କବିତା ପାଠ କରିଥିଲେ।

ଏହି ସମ୍ମିଳନୀକୁ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ଉଦଘାଟନ କରିବା ସହ ଜନଜାତି ସାହିତ୍ୟର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ଓଡ଼ିଶାର ସାଂସ୍କୃତିକ ଚେତନାରେ ଜନଜାତୀୟ ପରମ୍ପରାଗୁଡ଼ିକର ଅବଦାନ ଅତ୍ୟନ୍ତ ଗଭୀର ଓ ଗୁରୁତ୍ୱପୂର୍ଣ୍ଣ। ମହେନ୍ଦ୍ରଗିରି ଓ ପୂର୍ବଘାଟର ପାର୍ବତ୍ୟ ଅଞ୍ଚଳ ଶତାବ୍ଦୀ ଶତାବ୍ଦୀ ଧରି ଜନଜାତୀୟ ଜୀବନ, ଆସ୍ଥା ଓ ପରମ୍ପରାର ପ୍ରମୁଖ କେନ୍ଦ୍ର ହୋଇ ରହିଆସିଛି। ପ୍ରକୃତି ଉପାସନା, ଦାରୁ ଦେବତା ଓ ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ହିଁ ଭାରତର ଆତ୍ମା, ଯାହା ବିବିଧତା ମଧ୍ୟରେ ଏକତା ଏବଂ ବିଭିନ୍ନ ସାଂସ୍କୃତିକ ପରମ୍ପରାର ସହାବସ୍ଥାନରେ ପ୍ରତିଫଳିତ ହୋଇଥାଏ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେ ଯେ, ଆଦିବାସୀ ଜନଜୀବନ ଓ ସାହିତ୍ୟ ସମାଜର କେବଳ ପରିଚୟ ନୁହେଁ, ବରଂ ସମଗ୍ର ଭାରତବର୍ଷର ଏକ ଅଭିନ୍ନ ଅଙ୍ଗ ।

​ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଆଦିବାସୀ ଲେଖକ ଡକ୍ଟର ପି. ଶିବରାମକୃଷ୍ଣ ମୂଳ ଭାଷଣ ପ୍ରଦାନ କରିଥିଲେ।

ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ବରୁଣ ଗୁଲାଟି ପ୍ରାରମ୍ଭିକ ଅଭିଭାଷଣରେ ଭଗବାନ ବିର୍ସା ମୁଣ୍ଡାଙ୍କର ଉଲ୍‌ଗୁଲାନ ଏକ ଐତିହାସିକ ବିପ୍ଳବ, ଏହା ଜଳ, ଜଙ୍ଗଲ, ମାଟି, ଅସ୍ମିତା ଓ ସ୍ୱାଭିମାନର ଉଦ୍‌ଘୋଷ ବୋଲି ବକ୍ତବ୍ୟ ରଖିଥିଲେ।

ସମ୍ମିଳନୀର ପ୍ରଥମ ଅଧିବେଶନରେ କେ. ଏମ. ମୈତ୍ରୀଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଭାଷା ସଂରକ୍ଷଣର ମହତ୍ତ୍ୱ ପ୍ରସଙ୍ଗରେ ଆଲୋଚନା କରିଥିଲେ ଗୌରହରି ଦାସ, ଦିଲୀପ କୁମାର କଲିତା, ଧର୍ମେନ୍ଦ୍ର କୁମାର ପରେ ଏବଂ ଉପେନ୍ଦ୍ର ଅନୁ ।

ସେହିପରି ଦ୍ଵିତୀୟ ଅଧିବେଶନରେ ବହୁଭାଷୀ କ୍ଷୁଦ୍ରଗଳ୍ପ ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଗ୍ୟେଶ ଝା ସଭାପତିତ୍ବ କରିଥିବାବେଳେ ଗଳ୍ପପାଠ କରିଥିଲେ ଶେଯଲ ରାଠୱା, ଇମଲା ନରେ, ଦୀନେଶ ପଞ୍ଚାଲ ଏବଂ ମାହେଶ୍ୱରୀ ଗଭୀତ ।

ତୃତୀୟ ଅଧିବେଶନରେ ବହୁଭାଷୀ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ବ କରିଥିଲେ ଚୈତନ୍ୟ ପ୍ରସାଦ ମାଝୀ ଏବଂ କବିତା ପାଠ କରିଥିଲେ ରପାବେନଲା, ରୋଜାମେରୀ ସାଙ୍ଗମା, ୱେଲସିଂ ହାନସେ, ଲାଲନୁମାଇ ଏବଂ ନବମ ନାକା ହୀନା । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାହିତ୍ୟ ଅକାଦେମିର ଉପ ସଚିବ ଏନ ସୁରେଶ ବାବୁ ।

ତେବେ ଆସନ୍ତାକାଲି ଅପରାହ୍ନରେ ହେବାକୁ ଥିବା ଉଦ୍‌ଯାପନୀ ଅଧିବେଶନରେ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକ ଅଧ୍ୟକ୍ଷତା କରିବେ। ସୁପରିଚିତ ଲେଖକ ତଥା ଓଡ଼ିଶାର ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଲଲାଟେନ୍ଦୁ ସାହୁ ସମାପନୀ ବକ୍ତବ୍ୟ ପ୍ରଦାନ କରିବେ। ହାୱଡ଼ାସ୍ଥିତ ହିନ୍ଦୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନନ୍ଦିନୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରର ଆୟୋଜନ କରାଯାଇଛି।

Leave A Reply

Your email address will not be published.