ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ୨୨ ରନ୍ର ରୋମାଞ୍ଚକର ବିଜୟ ସହ ଭାରତ ୩-୧ରେ ସିରିଜ୍ କବ୍ଜା କରିଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ବିଦେଶ ମାଟିରେ ଏହା ଭାରତର ପ୍ରଥମ ଦିନିକିଆ ସିରିଜ୍ ବିଜୟ । ତେବେ ଏହି ଐତିହାସିକ ବିଜୟ ପରେ ଗୌତମ ଗମ୍ଭୀର ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟକୁ ନେଇ କ୍ରିକେଟ୍ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଟ୍ରଫି ସହ ଭାରତୀୟ ଦଳର ଏକ ଫଟୋ ସେୟାର କରି ଗମ୍ଭୀର ଲେଖିଛନ୍ତି, ବୋଲରମାନେ ହିଁ ଆପଣଙ୍କୁ ସିରିଜ୍ ଜିତାନ୍ତି ! ଆମ ପିଲାମାନଙ୍କ ପାଇଁ ଗର୍ବିତ” । ଗମ୍ଭୀରଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରେ ଏହା ବରିଷ୍ଠ ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରତି ଏକ ତେରଛା ବାଣ କି ବୋଲି ପ୍ରଶ୍ନ ଉଠୁଛି ।
ଏହି ପୂରା ଦିନିକିଆ ସିରିଜ୍ରେ ଭାରତୀୟ ବ୍ୟାଟିଂ ଲାଇନ୍-ଅପ୍ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଚତୁର୍ଥ ଦିନିକିଆରେ ଭାରତ ମାତ୍ର ୮୯ ରନ୍ରେ ଅଲଆଉଟ୍ ହୋଇଥିବା ବେଳେ, ପଞ୍ଚମ ମ୍ୟାଚ୍ରେ ମଧ୍ୟ ୨୦୯ ରନ୍ କରିପାରିଥିଲା । ବିଶେଷକରି ରୋହିତ ଶର୍ମା ୪ଟି ମ୍ୟାଚ୍ରୁ ମାତ୍ର ୩୦ ରନ୍ (ଦୁଇଟି ଶୂନ ସହ) ଏବଂ ବିରାଟ କୋହଲି ମୋଟ ୮୬ ରନ୍ ସଂଗ୍ରହ କରି ନିରାଶ କରିଥିଲେ । ୨୦୯ ରନ୍ର ସ୍ୱଳ୍ପ ଲକ୍ଷ୍ୟକୁ ଅର୍ଶଦୀପ ସିଂ (୩ ୱିକେଟ୍), ମହମ୍ମଦ ସିରାଜ ଓ ଅକ୍ଷର ପଟେଲଙ୍କ ଶାଣିତ ବୋଲିଂ ବଳରେ ଭାରତ ନ୍ୟୁଜିଲାଣ୍ଡକୁ ୧୮୭ ରନ୍ରେ ଅଟକାଇ ଦେଇଥିଲା । ପୂର୍ବରୁ ଚତୁର୍ଥ ଦିନିକିଆ ପରାଜୟ ପରେ ଗମ୍ଭୀର ବ୍ୟାଟରମାନଙ୍କ ପ୍ରଦର୍ଶନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ବୋଲରଙ୍କୁ ଶ୍ରେୟ ଦେଇ ସେ ପରୋକ୍ଷରେ ବ୍ୟାଟରମାନଙ୍କୁ ବାର୍ତ୍ତା ଦେଇଥିବା କ୍ରିକେଟ୍ ପ୍ରେମୀମାନେ ଆଲୋଚନା କରୁଛନ୍ତି ।
