କୋରାପୁଟ : ତୁଟିବ କୋଟିଆ କଳି । ଏକାଠି ହେଲେ ସମସ୍ତ ଦଳ । କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସାମିଲ ହୋଇଛନ୍ତି । ବୈଠକରେ କୋଟିଆରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାରୁ ଏହାକୁ ସ୍ବାଗତ କରିଛନ୍ତି ତିନି ଦଳର ନେତା ।
ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଆହ୍ୱାନରେ ହୋଇଥିବା ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, କୋରାପୁଟ ବିଧାୟକ ରଘୁରାମ ପଢ଼ାଲ, ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀ ଉପସ୍ଥିତ ଥିଲେ । ବୈଠକରେ ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶରେ କୋଟିଆରେ ପଟ୍ଟା ବଣ୍ଟନକୁ ବିରୋଧ କରାଯାଇଥିଲା ।
ଆଗାମୀ ଦିନରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ଆଲୋଚନାରେ କୋରାପୁଟ ଜିଲ୍ଲାର ସମସ୍ତ ତଥ୍ୟ ଭିତ୍ତିକ କାଗଜ ପତ୍ର ପ୍ରଦାନ କରାଯିବ । ଏଥିସହ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଗଠିତ ହେବାକୁ ଥିବା କମିଟିରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରିବାକୁ ନିବେଦନ କରାଯିବ । ସର୍ବଦଳୀୟ କମିଟି 5T ସଚିବଙ୍କ ସମେତ ଉଭୟ ରାଜ୍ୟର ଶାସନ ସଚିବଙ୍କୁ ଭେଟିବା ପାଇଁ ବନ୍ଦୋବସ୍ତ କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ । ଏହାସହ ଜିଲ୍ଲାରେ ସୀମା ନିର୍ଦ୍ଧାରଣ ପାଇଁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
Comments are closed.