Latest Odisha News

BREAKING NEWS

ବ୍ୟକ୍ତିଗତ ଭାବେ ମୁଁ ବାଜପେୟୀଙ୍କ ପରି ଏକ ଶୁଭଚିନ୍ତକଙ୍କୁ ହରାଇଲି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦଳମତ ନିର୍ବିଶେଷରେ ରାଜ୍ୟର ନେତୃମଣ୍ଡଳୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ ବାଜପେୟୀଙ୍କ ସ୍ମୃତିରେ ଆଜି ପ୍ରଦର୍ଶନୀ ପଡ଼ିଆ ଠାରେ ଏକ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବାଜପେୟୀଙ୍କୁ ସ୍ୱାଧିନ ଭାରତର ଅପ୍ରତିମ ଓ ଅସାଧାରଣ ଜନନାୟକ ଭାବେ ବର୍ଣ୍ଣନା କରାଯାଇଛି । ଦେଶ ମାତୃକାର ସେବା, ବିଚକ୍ଷଣ ନେତୃତ୍ୱ ଏବଂ ଉଦାରବାଦୀ ଚିନ୍ତାଧାରା ମାଧ୍ୟମରେ ବାଜପେୟୀ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଯାଇଛନ୍ତି ବୋଲି ବିଭିନ୍ନ ଦଳର ରାଜନୈତିକ ନେତାମାନେ ଶ୍ରଦ୍ଧାସୂମନ ଅର୍ପଣ ପୂର୍ବକ କହିଛନ୍ତି ।

ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ, ବାଜପେୟୀଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଥିଲେ । ସେ ଜଣେ ଆଦର୍ଶବାଦୀ ନେତା, ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଏବଂ କବି ଭାବେ ସର୍ବଜନ ବିଧିତ । ବାସ୍ତବରେ ତାଙ୍କ ବିୟୋଗରେ ଭାରତୀୟ ରାଜନୀତିର ଏକ ଯୁଗାବସାନ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ୟକ୍ତିଗତ ଭାବେ ମୁଁ ବାଜପେୟୀଙ୍କ ପରି ଏକ ଶୁଭଚିନ୍ତକଙ୍କୁ ହରାଇଲି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମୃତିସଭାରେ ବାଜପେୟୀଙ୍କୁ ସ୍ମୃତିଚାରଣ କରି କହିଛନ୍ତି ।

ସମାବେଶରେ ନିଜର ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଧିନ ଭାରତରେ ପଣ୍ଡିତ ନେହେରୁଙ୍କ ପରେ ବାଜପେୟୀଙ୍କୁ ଜଣେ ଅଦ୍ୱିତୀୟ ନେତା ଭାବେ ଅଭିହିତ କରିଥିଲେ । ସେ କହିଥିଲେ ଯେ, କାଶ୍ମୀର ପାଇଁ ଲଢ଼େଇରେ ସ୍ୱର୍ଗତ ବାଜପେୟୀ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଏକ ହୋଇ ସଂଗ୍ରାମ ଚଳାଇଥିଲେ । କାଶ୍ମୀର ଯେପରି ଭାରତର ଅବିଛେଦ୍ୟ ଅଂଗ ହୋଇ ରହିବ ସେଥିଲାଗି ତାଙ୍କ ସଂଗ୍ରାମ ଜାରି ରହିଥିଲା । କାଶ୍ମୀର ସମସ୍ୟାକୁ ସେ ସଠିକ୍ ଭାବେ ବୁଝିଥିଲେ, ଯାହାକୁ କି ପରବର୍ତି କାଳରେ ଫାରୁକ ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଏବଂ ମେହେବୁବା ମୁଫତି ହୃଦୟଙ୍ଗମ କରିଥିଲେ ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ତିନୋଟି ନୂତନ ବିଭାଗ ସୃଷ୍ଟି କରିଥିଲେ । ସେଗୁଡିକ ହେଲା – ଉତର-ପୂର୍ବାଂଚଳ ବିକାଶ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ତଥା ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ । ଦେଶର ଅନୁନ୍ନତ ଅଂଚଳର ବିକାଶ ତଥା ଆଦିବାସୀ ବର୍ଗର କଲ୍ୟାଣ ପାଇଁ ତାଙ୍କର ଭାବନା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ସ୍ୱର୍ଗତ ବାଜପେୟୀ ଜଣେ ରାଷ୍ଟ୍ରନୀତିଜ୍ଞ ହିସାବରେ ଦେଶକୁ ଯେଉଁ ଦିଗ୍ଦର୍ଶନ ଦେଇଛନ୍ତି ତାକୁ କେବେହେଲେ ଦେଶବାସୀ ଭୁଲି ପାରିବେ ନାହିଁ । ତାଙ୍କର ଅମାୟିକ ବ୍ୟବହାର ଓ ସରଳତା ଯୋଗୁଁ ବାଜପେୟୀ ବିରୋଧିଙ୍କ ମଧ୍ୟରେ ରହି ଅନେକ ମିତ୍ର ଅର୍ଜନ କରିଥିଲେ ବୋଲି ଶ୍ରୀ ଓରାମ କହିଥିଲେ ।

ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଶ୍ରୀ ନିରଞ୍ଜନ ପଟନାୟକ, ଶ୍ରୀ ନରସିଂହ ମିଶ୍ର, ଶ୍ରୀ ବ୍ରଜ କିଶୋର ତ୍ରିପାଠୀ, ଶ୍ରୀ ଆଶିଷ କାନୁନଗୋ, ଡା. ଦାମୋଦର ରାଉତ, ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଶ୍ରୀ ଐର ଖାରବେଳ ସ୍ୱାଇଁ, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର, ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରମୁଖ ନିଜ ନିଜର ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ବାଜପେୟୀଙ୍କ ବହୁମୂଖୀ ଚିନ୍ତାଧାରା ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ ।

ଏମ୍ସ ଭଳି ପ୍ରତିଷ୍ଠାନ ନିର୍ମାଣ, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ସ୍ୱର୍ଣ୍ଣ ଚତୁର୍ଭୂଜ ଯୋଜନା, ଭିତିଭୂମି କ୍ଷେତ୍ରର ବିକାଶ, ଆର୍ଥିକ ଉଦାରୀକରଣ ଏବଂ ଆଣବିକ ଶକ୍ତିର ବିକାଶ ଆଦି ସ୍ୱର୍ଗତ ବାଜପେୟୀଙ୍କ ବିଭିନ୍ନ ଅବଦାନ ମଧ୍ୟରୁ ଅନ୍ୟତମ ବୋଲି ବକ୍ତାମାନେ କହିଥିଲେ ।

ପରିଶେଷରେ ବିଜେପିର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିପୂର୍ବରୁ ଗତକାଲି ସ୍ୱର୍ଗତ ବାଜପେୟୀଙ୍କ ଚିତାଭସ୍ମ ଏକ ଶୋଭାଯାତ୍ରାରେ ପୁରୀ ନିଆଯାଇ ସେଠାରେ ମହୋଦଧିରେ ପାରମ୍ପରିକ ରୀତିରେ ବିସର୍ଜନ କରାଯାଇଥିଲା ।

Leave A Reply

Your email address will not be published.