Latest Odisha News

BREAKING NEWS

ଭୁବନେଶ୍ୱରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ: ବିଧାୟକ ଅନନ୍ତ ଜେନା

ଭୁବନେଶ୍ୱର: ଭୁବନେଶ୍ୱର ତିନୋଟି ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ୫ଟି ଆଧାରରେ କାର୍ଯ୍ୟ କରିବାକୁ ଭୁବନେଶ୍ୱର (ମଧ୍ୟ) ନିର୍ବାଚନମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଆହ୍ୱାନ ଦେଇଛନ୍ତି । ଆଜି ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟିର ବୈଠକ ସ୍ଥାନୀୟ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅଧ୍ୟକ୍ଷତା କରି ବିଧାୟକ ଅନନ୍ତ ନାରାୟଣ କହିଲେ ଯେ, ଲୋକମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା, ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ କରିବା ଓ ରାଜଧାନୀର ବିକାଶକୁ ଶୀର୍ଷରେ ପହଞ୍ଚାଇବା ଭୁବନେଶ୍ୱରରେ ଅବସ୍ଥାପିତ ଦକ୍ଷ ଅଧିକାରୀମାନଙ୍କ ଦାୟିତ୍ୱ ।

ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା, ନାଗରିକମାନଙ୍କ ମୌଳିକ ସେବା, ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ଓ ବିଦୁ୍ୟତ ଯୋଗାଣ, ଖାଦ୍ୟ ସୁରକ୍ଷା, ସମବାୟ, କୃଷି, ପର୍ଯ୍ୟଟନ, ବୃକ୍ଷରୋପଣ, ଶ୍ରମିକ କଲ୍ୟାଣ, ନିୟୋଜନ ବ୍ୟବସ୍ଥା ଆଦିର ଉତ୍କର୍ଷ ସାଧନ ପାଇଁ
ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି ଅନନ୍ତ ନାରାୟଣ ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ କହିଲେ ଯେ, ଶିଖରଚଣ୍ଡୀକୁ ଏକ ଉନ୍ନତ ପର୍ଯ୍ୟଟନସ୍ଥଳୀ ରୂପେ ଗଢ଼ି ତୋଳିବା, ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମାଞ୍ଚଳର କୃଷି ଉତ୍ପାଦନ, ଫଳଚାଷ, ପନିପରିବା ଚାଷକୁ ଉତ୍କୃଷ୍ଟ ଓ ଆଦର୍ଶ ସ୍ଥାନୀୟ କରିବା, ଜନହିତୈଷୀ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସବ୍‌ସିଡ଼ି ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ଆବଶ୍ୟକ ।

ଏହି କାର୍ଯ୍ୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ମିଳିତ ପ୍ରଚେଷ୍ଟା ବଳରେ ରାଜଧାନୀକୁ ବିକାଶର ଶ୍ରେଷ୍ଠ କ୍ଷେତ୍ର ରୂପେ ଗଢ଼ି ତୋଳିବା ଦରକାର ବୋଲି ବିଧାୟକ ମତପ୍ରକାଶ କରିଥିଲେ ।

ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ଏହି କମିଟିର ସଭ୍ୟ-ଆବାହକ ରୂପେ ଏଣିକି ନିୟମିତ ଭାବେ ଏହି କମିଟି ବୈଠକ ବସି ରାଜଧାନୀ ବିକାଶକୁ ସଫଳ ଭାବେ ରୂପାୟିତ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେବ ବୋଲି କହିଥିଲେ । ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ତଥ୍ୟ ଯୋଗାଇ ଦେଇଥିଲେ ।

Leave A Reply

Your email address will not be published.