ନୂଆଦିଲ୍ଲୀ: ୩ ଜୁନ ୧୯୪୭ । ଏହା ଇତିହାସର ସେହି ଦିନ ଯେବେ ଭାରତର ୪୦ କୋଟି ଲୋକଙ୍କ ସ୍ୱାଧୀନତାର ଦିନ ଭାବେ ୧୫ ଅଗଷ୍ଟକୁ ନିର୍ଣ୍ଣୟ କରାଗଲା । ତାସହିତ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଯାଇଥିଲା ।
ଭାରତ-ପାକିସ୍ତାନର ବିଭାଜନ ପାଇଁ ପାଖାପାଖି ୭୩ ଦିନର ସମୟ ଦିଆଯାଇଥିଲା । କିନ୍ତୁ ଏହି ବିଭାଜନ ଏତେବି ସହଜ ନଥିଲା । ଦେଶର ବିଭାଜନ, ମାଟିର ବିଭାଜନ, ନଈର ବିଭାଜନ, ଭାରତରେ ଥିବା ନଗଦ ଟଙ୍କାର ବିଭାଜନ । ଏହାଛଡା ରିଜର୍ଭ ବ୍ୟାଙ୍କରେ ଥିବା ସୁନା ଇଟା, କଳା କୋତରା ନୋଟ ସହ ଭାରତରେ ଥିବା ଗୋଟିଏ ଗୋଟିଏ ଡାକ ଟିକେଟର ବିଭାଜନ ହେବାକୁ ଥିଲା ।
ଏହି ବିଭାଜନ ବିଷୟରେ ଉଲ୍ଲେଖ ଅଛି ଡୋମିନିକ ଲାପିଅର ଓ ଲେରି କୋଲିନ୍ସଙ୍କ ପୁସ୍ତକ ଫ୍ରିଡ଼ମ ଆଟ୍ ମିଡ ନାଇଟରେ ।
ଏହି ବିଭାଜନ ପାଇଁ ଦୁଇ ଅନୁଭବିଙ୍କୁ ଚୟନ କରାଗଲା । ଯାହାଙ୍କ ଭିତରୁ ଜଣେ ଥିଲେ ଏଚ. ଏମ୍. ପଟେଲ ଓ ଅନ୍ୟ ଜଣଙ୍କ ଥିଲେ ଚୌଧୁରୀ ମହମ୍ମଦ ଅଲ୍ଲୀ ।
ଏହି ଦୁଇ ଅଧିକାରୀଙ୍କ ତଳେ ଅନେକ ଛୋଟ ବଡ଼ ଅଧିକାରୀ ଥିଲେ, ଯେଉଁମାନେ ଅଲଗା ଅଲଗାସ୍ଥାନରୁ ରିପୋର୍ଟ ତିଆରି କରି ଏହି ଦୁଇ ଅଧିକାରୀଙ୍କ ନିକଟକୁ ପଠାଉ ଥିଲେ । ସେହି ରିପୋର୍ଟ ଆଧାରରେ ଦୁଇ ଅଧିକାରୀ ବିଭାଜନର ସିଫରିସ ପ୍ରସ୍ତୁତ କରୁଥିଲେ । ଯାହାକୁ ପରେ ବିଭାଜନ ପରିଷଦ ପାଖକୁ ପଠା ଯାଉଥିଲା । ଏହି ବିଭାଜନ ପରିଷଦର ଅଧକ୍ଷ ଥିଲେ ଲର୍ଡ଼ ମାଉଣ୍ଟ ବେଟଲ।
ବିଭାଜନ ଆରମ୍ଭ ହେଲା ପ୍ରଥମେ ଦେଶର ନାମରୁ । ‘ଭାରତ’ ନାମ ପାଇଁ ଉଭୟ ପାକିସ୍ତାନ ଓ ଭରତ ଭିତରେ ପ୍ରଥମେ ଟଣା ଓଟରା ହୋଇଥିଲା । ସେସମୟରେ କଂଗ୍ରେସ ଏହି ବହୁମୂଲ୍ୟ ସମ୍ପତ୍ତି ର ଦାବି ରଖି ଥିଲା । ଅସଲରେ ଭାରତର ନାମ ବଦଳାଇ ହିନ୍ଦୁସ୍ତାନ ରଖିବାକୁ ପ୍ରସ୍ତାବ ଆସିଥିବା ବେଳେ କଂଗ୍ରେସ ଏହି ପ୍ରସ୍ତାବକୁ ଖାରଚ କରିଦେଇଥିଲା । କଂଗ୍ରେସ କହିଥିଲା “ପାକିସ୍ତାନ ଭାରତକୁ ଛାଡିକି ଯାଉଛି, ତେଣୁ ଭାରତ ନାମର ଅସଲ ହକଦାର ଆମେ ହିଁ ଅଟୁ” । ଏ କ୍ଷେତ୍ରରେ ପାକିସ୍ତାନକୁ ନିରାଶ ହେବାକୁ ପଡିଥିଲା ।
ଏହି ବିଭାଜନ ବେଳେ ସବୁଠୁ ବେଶି
ତୁତୁ- ମେମେ ହୋଇଥିଲା ପଇସାକୁ ନେଇକି । ଝଗଡା ଏତେ ବଢିଗଲା ଯେ, ଏଚ. ଏମ୍ ପଟେଲ ଓ ଚୌଧୁରୀ ମହମ୍ମଦ ଅଲ୍ଲି ଗୋଟିଏ ନିଷ୍ପତ୍ତିରେ ନପହଂଚିବା ଯାଏଁ ସର୍ଦ୍ଦାର ପଟେଲଙ୍କ ଘରର ଗୋଟିଏ ବଖରାରେ ଦୁହିଁଙ୍କୁ ବନ୍ଦ କରିଦିଆଗଲା।
ସେ ଯାହାବି ହେଉ ଅନେକ ଦିନ ସୌଦାବାଜୀ ପରେ, ଏ ଦୁଇ ଜଣ ଏହି ନିଷ୍ପତ୍ତି ନେଲେ ଯେ ଭାରତର ବ୍ୟାଙ୍କରେ ଥିବା ଟଙ୍କା ଓ ଇଂରେଜ ମାନଙ୍କଠାରୁ ମିଳିଥିବା ଟଙ୍କାର ୧୭.୫% ଭାଗ ପାକିସ୍ତାନ କୁ ମିଳିବ । ଏହା ବଦଳରେ ପାକିସ୍ଥାନ ଭାରତ ଉପରେ ଥିବା ଋଣର ୧୭.୫% ସୁଝିବ ବୋଲି ନିଷ୍ପତ୍ତି ନିଆଗଲା ।
ଏହାଛଡା ଭାରତ ସରକାରଙ୍କ ସରକାରୀ କାର୍ଯ୍ୟାଳୟରେ ଥିବା ସମ୍ପତ୍ତି ଭିତରୁ ୮୦ ପ୍ରତିଶତ ଭାଗ ଭାରତକୁ ଓ ୨୦ ପ୍ରତିଶତ ଭାଗ ପାକିସ୍ତାନକୁ ଦିଆ ଯିବାର ନିଷ୍ପତ୍ତି କରାଗଲା । ଚେୟାର ଟେବୁଲ ଠାରୁ ଆରମ୍ଭ କରି ଟାଇପ ରାଇଟର ଯାଏଁ ସମସ୍ତ ଜିନିଷର ଭାଗ ହେବା ଆରମ୍ଭ ହୋଇଗଲା ।
ଏହି ବିଭାଜନରେ ୧୮,୦୭୭ ମାଇଲ ଲମ୍ବ ସଡ଼କରୁ ୪୯୧୩ ମାଇଲ ସଡ଼କ ଓ ୨୬,୪୨୧ ମାଇଲ ରେଳ ଲାଇନରୁ ୭,୧୧୨ ମାଇଲ ରେଲ ଲାଇନ ପାକିସ୍ତାନ ଭାଗରେ ପଡ଼ିଥିଲା ।
ଖାଲି ଏତିକି ନୁହେଁ, ଭରତର ଲାଇବ୍ରେରୀରେ ଥିବା ବହି ଗୁଡିକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ବଣ୍ଟା ଯାଇଥିଲା ।
ଭାରତରେ ନୋଟ ଛାପିବା ପାଇଁ ଗୋଟିଏ ହି ପ୍ରେସ ଥିଲା । ଭାରତ ଏଥିରୁ ଭାଗ ଦେବାକୁ ସଫା ସଫା ମନ କରି ଦେଇଥିଲା । ଯାହାଫଳରେ ଭାରତୀୟ ନୋଟରେ ପାକିସ୍ତାନୀ ମୋହର ମାରି କିଛିଦିନ ପାଇଁ କାମ ଚଳାଇଥିଲା ପାକିସ୍ତାନ ।
ବିଭାଜନର ମାହୋଲ ଏତେ ଚରମ ପରିସ୍ଥିତିରେ ଥିଲା ଯେ କିଛି ପାକିସ୍ତାନୀ ମୁସଲମାନ ଚାହୁଁଥିଲେ କି ତାଜମହଲକୁ ଭାଙ୍ଗୀ ପାକିସ୍ତାନ ନେଇଯିବା ପାଇଁ, ସେହିଭଳି କିଛି ହିନ୍ଦୁ ସାଧୁଙ୍କ ମତ ଆନୁସାରେ ସିନ୍ଧୁ ନଦୀ ଯାହା କୂଳରେ ବସି ଅନେକ ବେଦ ପୁରାଣ ଲେଖା ଯାଇଛି କୌଣସି ବି ପରିସ୍ଥିତିରେ ତାହା ଭାରତରେ ରହିବା ଉଚିତ ।
ସବୁ ବିଭାଜନ ସହ ଭାରତୀୟ ସେନାର ମଧ୍ୟ ବିଭାଜନ କରା ଯାଇଥିଲା । ସମୁଦାୟ ସେନାର ୨/୩ ଯବାନ ଭାରତ ଭାଗରେ ରହିବା ବେଳେ ପାକିସ୍ତାନ ଭାଗରେ ପଡିଥିଲା ୧/୩ ଭାଗ ।
ବିଭାଜନର ଏହି ପ୍ରକ୍ରିୟାରୁ ଗୋଟିଏ ଜିନିଷକୁ ଦୂରରେ ରଖାଯାଇଥିଲା । ଏବଂ ତାହା ହେଉଛି ଭାରତର ଗୁପ୍ତଚର ବିଭାଗ । ଏହି ବିଭାଗର ଏକ ଫାଇଲ ତ ଦୂରର କଥା କାଳି ଟିକେ ମଧ୍ୟ ଦେବାକୁ ଏହାର ଅଧିକାରୀମାନେ ମନା କରି ଦେଇଥିଲେ ।