Latest Odisha News

ଜାରି ରହିବ ଜ୍ଞାନବ୍ୟାପିରେ ହିନ୍ଦୁମାନଙ୍କ ପୂଜା, ଅନୁମତି କାଏମ ରଖିଲେ ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଜ୍ଞାନବାପି ମସ୍‌ଜିଦ ମାମଲାରେ ମୁସଲିମ୍‌ ପକ୍ଷର ପିଟିସନକୁ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ଅନୁମତି ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ । ଆଜି ଏହି ମାମଲାର ଶୁଣାଣୀ କରି ଆହ୍ଲାବାଦ ହାଇକୋର୍ଟ ଅନୁମତିକୁ କାଏମ ରଖିଛନ୍ତି । ଆସନ୍ତା ଫେବୃଆରୀ ୨୮ରେ ହେବ ପରବର୍ତ୍ତି ଶୁଣାଣୀ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ବାରାଣାସୀ ସ୍ଥିତ ଜ୍ଞାନବାପି ପରିସରରେ ଥିବା ବ୍ୟାସ ତହଖାନାରେ ହିନ୍ଦୁ ମାନଙ୍କ ପୂଜା ଜାରି ରହିବ କି ନାହିଁ ସେନେଇ ଶୁଣାଣୀ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଏକକ ବେଞ୍ଚରୁ ଏହି ନିଷ୍ପତ୍ତି ନିଆଯାଇଛି। ହିନ୍ଦୁ ମାନଙ୍କୁ ପୂଜା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଜାନୁୟାରୀ ୩୧ରେ ପୂଜା ଆରମ୍ଭ କରିବାକୁ ବାରାଣାସୀ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶକୁ କୋର୍ଟ ସମର୍ଥନ କରିଛନ୍ତି । ହାଇକୋର୍ଟ ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିବାରୁ ଏବେ ମସଜିଦ୍ କମିଟିକୁ ଏକ ବଡ ଝଟକା ଲାଗିଛି ।

ଜ୍ଞାନବାପିକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ, ଆଜି ଆହ୍ଲାବାଦ ହାଇକୋର୍ଟ ଅଞ୍ଜୁମାନ ମସଜିଦ କମିଟିର ଉଭୟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାର ଅର୍ଥ ହେଉଛି କିଛି ଦିନ ଧରି ଜ୍ଞାନବାପିରେ ଯେଉଁଭଳି ଭାବରେ ପୂଜା ଚାଲିଥିଲା, ସେହିଭଳି ଚାଲିବ । ଯଦି ପ୍ରତିପକ୍ଷ ଦଳ ସୁପ୍ରିମକୋର୍ଟକୁ ଯାଆନ୍ତି, ତେବେ ଆମେ ମଧ୍ୟ ସୁପ୍ରିମକୋର୍ଟରେ ଆମର ମତାମତ ଉପସ୍ଥାପନ କରିବୁ ।

ସୂଚନାଯୋଗ୍ୟ ଯେ, ଜାନୁୟାରୀ ୩୧ରେ ବାରାଣାସୀର ଜିଲ୍ଲା ଜଜ୍ ଜ୍ଞାବନାପି ବ୍ୟାସ ତହଖାନାରେ ପୂଜା ପାଇଁ ଅନୁମତି ଦେଇଥିଲେ । ଏହା ପରେ, ଦୀର୍ଘ ୩୧ ବର୍ଷ ପରେ, ଜ୍ଞାନବାପିରେ ବ୍ୟାସ ତହଖାନାରେ ପୁଣି ଥରେ ପୂଜା ଆରମ୍ଭ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ତଥା ମୁଖ୍ୟ ପୁରୋହିତଙ୍କ ତତ୍ତ୍ୱାବଧାନରେ ଏହି ପୂଜାପାଠ କରାଯାଉଛି, ଯାହାକୁ ଅଞ୍ଜୁମନ ମସଜିଦ୍ କମିଟି ବିରୋଧ କରୁଛି ଏବଂ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି ।

 

Comments are closed.