Latest Odisha News

BREAKING NEWS

‘ଭୁଲ ରାଜନୈତିକ ବୁଝାମଣାରୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଅଭିଯୋଗ’, ମାମଲା ପ୍ରତ୍ୟାହାର ପାଇଁ ସତ୍ୟପାଠ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଟାଟା କମ୍ପାନିରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଚର୍ଚ୍ଚାକୁ ଆସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଅଭିଯୋଗକାରୀ ସତ୍ୟପାଠ ଦାଖଲ କରିଛନ୍ତି। ଭୁଲ୍‌ ରାଜନୈତିକ ବୁଝାମଣା ଯୋଗୁଁ ସେ ଏତଲା ଦେଇଥିଲେ ବୋଲି କୋର୍ଟରେ ଓକିଲିଙ୍କ ଜରିଆରେ ସତ୍ୟପାଠ ଦାଖଲ କରିଛନ୍ତି। ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡା ଏହି ସୂଚନା ଦେଇଛନ୍ତି।

ଏହି ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରି ସାରିଥିବା ବେଳେ ମାମଲା ବିଚାରାଧୀନ ରହିଛି। ଏହି ସମୟରେ ହଠାତ୍‌ ୪ ଜଣ ଅଭିଯୋଗକାରୀ ମାମଲା ପ୍ରତ୍ୟାହାର କରିବା ସହିତ ଆଗକୁ ମାମଲା ନବଢୁ ବୋଲି ଓକିଲଙ୍କ ଜରିଆରେ ବ୍ରହ୍ମପୁର ଜେଏମ୍‌ଏଫ୍‌ସି ଶିବାନୀ ମିଶ୍ରଙ୍କ କୋର୍ଟରେ ସତ୍ୟପାଠ ଦାଖଲ କରିବା ମାମଲାକୁ ନୂଆ ମୋଡ଼ ଦେଇଛି।

ଚଳିତ ନିର୍ବାଚନରେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ଠକେଇ ନେଇ ମୋଟ୍ ୫ଟି ମାମଲା ରୁଜୁ ହୋଇଥିଲା। ଏବେ ୪ଟି ମାମଲା ପ୍ରତ୍ୟାହାର ପାଇଁ ଅଭିଯୋଗକାରୀ ସତ୍ୟପାଠ ଦାଖଲ କରିଛନ୍ତି। ଫଳରେ ଏହି ମାମଲା ବର୍ତ୍ତମାନ ଏକ ନୂଆ ମୋଡ଼ ନେଇଛି।

ଠକେଇ ମାମଲାରେ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତ ୨୦୨୦ ନଭେମ୍ବର ମାସରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ଯ୍ୟାୟ କ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା।

ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡ଼ାର ଅଭିଯୋଗକାରୀ ପ୍ରଶାନ୍ତ କର ତାଙ୍କର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଭୁଲ୍‌ ରାଜନୈତିକ ବୁଝାମଣା ଯୋଗୁଁ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଟଙ୍କା ଠକେଇ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଠକେଇ ବାବଦ ଟଙ୍କା ପାଇ ସାରିଛନ୍ତି। ଏବେ ବୟସ ୫୧ ବର୍ଷ। ସ୍ବାସ୍ଥ୍ୟଗତ ସମସ୍ୟାରେ ରହିଥିବାରୁ ସତ୍ୟପାଠରେ ଦର୍ଶାଇ ମାମଲା ପ୍ରତ୍ୟାହାର କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସେହିପରି ଅନ୍ୟତମ ଅଭିଯୋଗକାରୀ ଗୋଳନ୍ଥରା ଥାନା ମାଝିଗାଁର ବି. ଶିବ ପାତ୍ର ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ଠକେଇ ବାବଦ ଟଙ୍କା ପାଇ ସାରିଛନ୍ତି ବୋଲି କହିଛନ୍ତି। ଭୁଲ୍‌ ରାଜନୈତିକ ବୁଝାମଣା ଯୋଗୁଁ ସେ ମାମଲା ଦାଏର କରିଥିଲେ।ଏବେ ସେ ନିଜର କ୍ୟାରିୟର୍‌କୁ ଦେଖୁଛନ୍ତି। ଏଣୁ ଏହି ମାମଲାକୁ ସେ ଆଗକୁ ବଢ଼ାଇବାକୁ ଚାହୁଁନଥିବା ସତ୍ୟପାଠରେ କହିଛନ୍ତି।

ଅନ୍ୟତମ ଅଭିଯୋଗକାରୀ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୁଣପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ନାୟକ ଓ କେଲୁଆପଲ୍ଲୀର ପ୍ରଭାତ କୁମାର ନାୟକ ମଧ୍ୟ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ମାମଲାର ବିଚାରଣା ଆଗକୁ ନବଢ଼ାଇବାକୁ ସତ୍ୟପାଠ ଜରିଆରେ ଅନୁରୋଧ କରିଛନ୍ତି।

Comments are closed.