Latest Odisha News

BREAKING NEWS

ପରିକ୍ରମା ପ୍ରକଳ୍ପ ଯୋଗୁଁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ଅଭିଯୋଗ ଭିତ୍ତିହୀନ: ବିଜେଡି

ଭୁବନେଶ୍ୱର: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଥିବା ଖବର ଆସିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଏହି ଫାଟ ପାଇଁ ଦାୟୀ ବୋଲି ଦାବି କରି ବିଜେପି ପ୍ରବକ୍ତାଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗକୁ ବିଜେଡ଼ି ପକ୍ଷରୁ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଓ ଦଳର ମୁଖପାତ୍ର ମିହିର ରାୟ ଭିତ୍ତିହୀନ ବୋଲି କହିଛନ୍ତି ।

ମେଘନାଦ ପାଚେରୀର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗର।  ଯାହା କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା । ତେଣୁ ପାଚେରୀରେ ଫାଟ ସୃଷ୍ଟି ହେଲେ, ଆଙ୍ଗୁଳି ନିର୍ଦ୍ଦେଶ  କାହା ଉପରେ ହେବା ଦରକାର ବୋଲି ଶ୍ରୀ ବେହେରାକହିଥିଲେ। ବିଜେପି ରାଜ୍ୟରେ ସରକାରକୁ ଆସିବା ଚାରିମାସ ପୁରିଗଲାଣି । ଶାସନ ଭାର ନେବା ପରେ, ପୁରୀରେ ପ୍ରଥମ କ୍ୟାବିନେଟ ବୈଠକ କରି ସରକାର ଏହି ବାର୍ତ୍ତା ଦେଇଥିଲେ ଯେ, ଜଗନ୍ନାଥଙ୍କ ପାଇଁ ସେମାନେ ସମର୍ପିତ। କିନ୍ତୁ, ପାଚେରୀରୁ ପାଣି ଗଳିବାକୁ ନେଇ ବୟାନ ବାଜି କରିବା ପୂର୍ବରୁ, ରାଜ୍ୟ ସରକାରଏହି ପ୍ରସଙ୍ଗ ପ୍ରତ୍ନତତ୍ତ୍ୱ ବିଭାଗକୁ ଅବଗତ କରିଛନ୍ତି କି ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ସେ ଆହୁରି କହିଛନ୍ତି, ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ କରାଯାଇଥିବା ଖୋଳାଖୋଳି କାରଣରୁ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି ବୋଲି ବିଜେପି ପ୍ରବକ୍ତା ଜାଣିଲେ କେମିତି ? ସେ କ’ଣ ଏହି ବିଷୟରେ ଜଣେ ବିଶେଷଜ୍ଞ ? ପ୍ରବକ୍ତାଙ୍କ ଏହି ଉଦ୍ୟମ ପର୍ବତକୁ ଢେଲା ମାରିବା ସଦୃଶ ବୋଲି ଶ୍ରୀ ବେହେରା କହିଥିଲେ। ପୂର୍ବତନ ସରକାର ଜଗନ୍ନାଥ ମନ୍ଦିରକୁ ଆସୁଥିବା ଅଗଣିତ ଭକ୍ତମାନଙ୍କ ସୁବିଧା ପାଇଁ ପରିକ୍ରମା ପ୍ରକଳ୍ପ ପରି ଏକ ଅଭିନବ ପ୍ରକଳ୍ପ କରିବା ପାଇଁ ସାହସ ଦେଖାଇ ଧାନ୍ୟବାଦର ପାତ୍ର। ସେତେବେଳେ, ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ ବିଜେପିର ନେତାମାନେ ପରୋକ୍ଷରେ ଉଦ୍ୟମ କରିଥିଲେ। ମାମଲା ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ ଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ କେବଳ ମାମଲାକୁ ଖାରଜ କରିବା ସହିତ ଅଭିଯୋଗକାରୀଙ୍କ ଉପରେ ଜରିମାନା ମଧ୍ୟ ଲଗାଇ ଥିଲେ।ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ନିଜର ମତ ରଖିଥିଲେ ଏବଂ ତାଙ୍କ ତରଫରୁ ଏଭଳି କୌଣସି ଅଭିଯୋଗ କରାଯାଇ ନଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମୋଦନ କ୍ରମେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା। ଆଜି ଦେଶ ବିଦେଶରୁ ଆସୁଥିବା ଅଗଣିତ ଭକ୍ତଏହାର ସୁବିଧା ପାଉଛନ୍ତି ବୋଲି ଶ୍ରୀ ବେହେରା କହିଥିଲେ।

Comments are closed.