Latest Odisha News

BREAKING NEWS

ଭୂତ ନେଇଗଲା ଘର, ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କାମାକ୍ଷାନଗର : ଲୋକଙ୍କ ପାଇଁ ସରକାର କରିଛନ୍ତି ମାଳମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ପାଉନାହାଁନ୍ତି ଘର ଭୂତ ହଡ଼ପ କରୁଛି ଘର । ଏଭଳି ଘଟଣା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରେ ଘଟିଛି  । ଜଣେ ଦଳିତ ବସ୍ତିର ଲୋକଙ୍କ ଘର ହଡ଼ପ ହୋଇଥିବା ଅଭିଯୋଗ ହୋଇଛି  । ପଞ୍ଚାୟତ ସମିତିର କାର୍ଯ୍ୟାଦେଶ ସଂଖ୍ୟା-୨୪୫୪ ଅନୁଯାୟୀ ବାଉଁଶପାଳ ଗାଁର ବଟକୃଷ୍ଣ ଦେହୁରୀ ୨୦୦୭ରେ ଗୋଟିଏ ଘର ନିର୍ମାଣ ପାଇଁ ଓ୍ୱାର୍କ ଅର୍ଡର ପାଇଥିଲେ ହେଲେ ଘର ବାବଦକୁ କୌଣସି ଅର୍ଥରାଶି ପାଇନଥିଲେ  ।

BjdElectrycity

ତେବେ ସବୁଠାରୁ କୌତୁକର ବିଷୟ ହେଉଛି ସେ କୋଭିଡ ସମୟରେ ଘର ମରାମତି ପାଇଁ ୩ ହଜାର ଟଙ୍କା ସରକାରୀ ସହାୟତା ରାଶି ପାଇଥିଲେ । ଯାହାକୁ ନେଇ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । RTI ରେ ନିଜ ଘର ସମ୍ପର୍କରେ ତଥ୍ୟ ମାଗିଥିଲେ ବଟକୃଷ୍ଣ ଆଉ ଜାଣିବାକୁ ପାଇଥିଲେ ଯେ ୨୦୧୮ ମସିହାରେ ଘର କାମ ଶେଷ ହୋଇଯାଇଛି । ତେବେ ବଟକୃଷ୍ଣ ଏହି ଘର କରିନଥିବା ବେଳେ ତାଙ୍କ ଘରକାମ ଶେଷ ହୋଇଥିବାର ରିପୋର୍ଟ ଆସିଲା କିପରି ତାହା ଆଶ୍ଚର୍ଯ୍ୟକର ବିଷୟ !

ଏହି ଘଟଣାର ନ୍ୟାୟ ପାଇବା ପାଇଁ ସେ କାମାକ୍ଷାନଗର ବ୍ଲକକୁ  ଯାଇଥିଲେ ଆଉ ଘଟଣାକ୍ରମ ବିଷୟରେ ସବୁ ଜଣାଇଥିଲେ । ତେବେ ଏହି ଗରିବ ବଟକୃଷ୍ଣଙ୍କ ଘର ହଡ଼ପ କଲା କିଏ ? ଘର ହୋଇନଥିବା ବେଳେ ମରାମତି ପାଇଁ କେମିତି ଆସିପାରୁଛି ଟଙ୍କା ? ଓ୍ୱାର୍କ ଅର୍ଡ଼ର ବଟକୃଷ୍ଣଙ୍କ ନାଁରେ ଆସିଥିବା ବେଳେ ଆକାଉଣ୍ଟକୁ ଟଙ୍କା ନ ଆସି ଟଙ୍କା ଗଲା କୁଆଡ଼େ ? ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ନ୍ୟାୟ ପାଇଁ ବଟକୃଷ୍ଣ ଦାବୀ କରିଛନ୍ତି । ତେବେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.