Latest Odisha News

BREAKING NEWS

ହେଲଥକାର୍ଡ ବଣ୍ଟନକୁ ଘରୋଇ ହସ୍ପିଟାଲ୍ ସଂଘର ବିରୋଧ

ପୁରୀ: ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହେଲଥକାର୍ଡ ବଣ୍ଟନ କରୁଛନ୍ତି । ଏହି ଯୋଜନାରେ ସବୁ ଜିଲ୍ଲା ଯୋଡ଼ିବାକୁ ସରକାର ଯୋଜନା ରଖିଛନ୍ତି । ହେଲେ ଯୋଜନାରେ ଲୋକେ କେତେ ଉପକୃତ ହେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଯୋଜନାରେ ଆଉ ରୋଗୀଙ୍କୁ ସୁବିଧା ଯୋଗାଇବା ସମ୍ଭବ ନୁହେଁ ବୋଲି ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ କହିଛି ।

ବୀମା କାର୍ଡରେ ପୁରୁଷଙ୍କ ପାଇଁ ୫ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ବୀମା ରହିଛି । ହେଲେ ଏହା କାର୍ଯ୍ୟକାରୀ ହୋଇନାହିଁ । ସରକାର ବିଭିନ୍ନ ଚିକିତ୍ସାକୁ ନେଇ ଏକ ନିର୍ଦ୍ଦିଷ୍ଟ ଦେୟ ରଖିଛନ୍ତି । ଯଦି କୌଣସି ରୋଗୀର ଚିକିତ୍ସାରେ ଅଧିକ ଟଙ୍କା ଖର୍ଚ୍ଚ ହୁଏ ତେବେ ତା’ର ଭରଣା କିଏ କରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ଅଧିକ ଚିକିତ୍ସା ଦେୟ ଅଧିକ ହେଲେ ରୋଗୀଙ୍କୁ ଏହା ଭରଣା କରିବାକୁ ପଡ଼ିବ । ଅନେକ ଚିକିତ୍ସା ପାଇଁ ଯେତିକି ଅର୍ଥ ଦେୟ ନିର୍ଦ୍ଧାରିତ ଥାଏ ସରକାର ତା’ଠାରୁ ଯଥେଷ୍ଟ କମ୍ ଅର୍ଥ ସ୍ଥିର କରିଛନ୍ତି । ଯାହାଦ୍ୱାରା କମ୍ ଅର୍ଥରେ ଚିକିତ୍ସା ସେବା ଯୋଗାଇଦେବା ସମ୍ଭବ ହେବ ନାହିଁ । ସରକାରଙ୍କ ସହିତ ବିଭିନ୍ନ ଘରୋଇ ହସ୍ପିଟାଲ୍ କରିଥିବା ଏମଓୟୁ ଅନୁଯାୟୀ ୩୦ ଦିନରେ ଚିକିତ୍ସା ଦେୟ ସରକାର ଭରଣା କରିବେ । କିନ୍ତୁ ଗତ ୪ମାସ ହେବ ସରକାର ଏହା ଦେଉ ନାହାନ୍ତି । ଫଳରେ ଅନେକ ଘରୋଇ ହସ୍ପିଟାଲ ପରିଚାଳନା କରିବାରେ ସମସ୍ୟା ସୃଷ୍ଟି ହେଲାଣି ।

ସେହିପରି ବିଏସକେ ଅଧୀନରେ ରୋଗୀମାନେ ସିଡିଏମଓଙ୍କ ରେଫର ସାର୍ଟିଫିକେଟ୍ ଆଣିଲେ ହିଁ ଘରୋଇ ଚିକିତ୍ସା ଯୋଗାଇ ଦେବେ । ଯାହାକି ଅଧିକାଂଶ ହିତାଧିକାରୀ ଜାଣିନାହାନ୍ତି । ସେମାନେ ସିଧାସଳଖ ନିଜ ରୋଗୀକୁ ଆଣି ଘରୋଇ ହସ୍ପିଟାଲରେ ଭର୍ତ୍ତି କରୁଥିବା କାରଣରୁ ବିଏସକେ ବୀମାରେ ଚିକିତ୍ସା ସେବା ଯୋଗାଇ ହେଉନାହିଁ । ଯଦ୍ୱାରା ଅନେକ ସମୟରେ ଗଣ୍ଡଗୋଳ ଘଟୁଛି ।

ସରକାରଙ୍କୁ ଏନେଇ ଘରୋଇ ହସ୍ପିଟାଲ୍ ସଂଘ ପକ୍ଷରୁ ଶୀଘ୍ର ଅବଗତ କରାଯିବ । ସରକାର ଏହି ସମସ୍ୟାର ତୁରନ୍ତ ସମାଧାନ ନକଲେ, ଆଗାମୀ ଦିନରେ ଘରୋଇ ହସ୍ପିଟାଲ୍ ଚିକିତ୍ସା ଯୋଗାଇ ଦେବା ଅସମ୍ଭବ ବୋଲି ଘରୋଇ ମେଡିକାଲ ସଂଘ କହିଛି । ଆଗାମୀ ଦିନରେ ଏହି ହେଲଥକାର୍ଡ ଅକାମି ହୋଇଯିବ । ଘରୋଇ ମେଡିକାଲ ସଂଘ ପକ୍ଷରୁ ସୂଚନା ପରେ ଏହା ସ୍ପଷ୍ଟ ହୋଇଛି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଭୋଟ ହାତେଇବାକୁ ଏହି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଥିବା ଚର୍ଚ୍ଚା ହେଉଛି ।

Comments are closed.