ମୁମ୍ବାଇ: ଗିରଫ ହେଲେ ପୁଷ୍ପାରାଜ୍ ଓରଫ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ଆଜି ତାଙ୍କୁ ଗିରଫ କରିଛି ହାଇଦ୍ରାବାଦ୍ ପୋଲିସ୍ । ହାଇଦ୍ରାବାଦର ଚିକ୍କଡପଲ୍ଲୀ ପୋଲିସ ଷ୍ଟେସନର ପୋଲିସ ଅଧିକାରୀମାନେ ଆଜି ଜୁବିଲି ହିଲ୍ସ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ଆସି ତାଙ୍କୁ ହେପାଜତକୁ ନେଇଛନ୍ତି । ବର୍ତ୍ତମାନ ଅଲ୍ଲୁଙ୍କୁ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ତାଙ୍କୁ ପଚରାଉଚରା କରାଯିବ ନେଇ ସୂଚନା ଦେଇଛି ପୋଲିସ୍ ।
ତେବେ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ଥିଏଟରରେ ତାଙ୍କ ସଦ୍ୟତମ ଚଳଚ୍ଚିତ୍ର ପୁଷ୍ପା-୨: ଦି ରୁଲର ପ୍ରିମିୟର ଶୋ ସମୟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଏହି ଦଳାଚକଟା ଘଟିବାରୁ ଏଥିରେ ଜଣେ ୩୫ ବର୍ଷୀୟା ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ନଅ ବର୍ଷୀୟ ପୁଅକୁ ଶ୍ୱାସରୁଦ୍ଧ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣା ବିବାଦକୁ ଆସିବା ପରେ ନିଜେ ଅଲ୍ଲୁ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ଏହି ଘଟଣାରେ ହାଇଦ୍ରାବାଦ୍ ପୋଲିସ୍ ନିଜ ଆଡୁ ମାମଲା ରୁଜ୍ଜୁ କରି ପଚରାଉଚରା ଜାରି ରଖିଥିବା ବେଳେ ଆଜି ଉକ୍ତ ଘଟଣାରେ ଉପସ୍ଥିତ ଥିବା ଷ୍ଟାର ଅଲ୍ଲୁଙ୍କୁ ଗିରଫ କରିଛି ପୋଲିସ୍ ।
ତେବେ କହିରଖୁଛୁ, ପୁଷ୍ପା ୨- ଦ ରୁଲ୍ ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିବା ବେଳେ ବିଶ୍ବବ୍ୟାପୀ ୧୦୬୪ କୋଟିରୁ ଅଧିକ ରୋଜଗାର କରିଥିବା ବେଳେ ଦେଶରେ ୭୨୭ କୋଟି ରୋଜଗାର କରିସାରିଲାଣି ।