Latest Odisha News

BREAKING NEWS

୧୫ ହଜାର ପିଲା ଦେଇନାହାନ୍ତି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ବେଳେ ଅନେକ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଏହାପରେ ଏବେ ନବମ ଶ୍ରେଣୀରେ ମଧ୍ୟ ଅନେକ ପିଲା ପରୀକ୍ଷା ଦେଇନଥିବା ଜଣାପଡିଛି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ଏହି ସୂଚନା ଦେଇଛି। ଯେଉଁଥିରୁ ଜଣାପଡିଛି ଚଳିତ ଥର ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେଇନାହାନ୍ତି ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ନବମ ଶ୍ରେଣୀ ପରୀକ୍ଷାରେ ୧୪ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ବୋର୍ଡ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁୟାୟୀ ନବମ ଶ୍ରେଣୀ ପରୀକ୍ଷା ପାଇଁ ୫ ଲକ୍ଷ ୬୬ ହଜାର ୨୬୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୫ ଲକ୍ଷ ୫୧ ହଜାର ୩୩୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୪ ହଜାର ୯୩୫ ଜଣ ଅନୁପସ୍ଥିତ ରହିଥିଲେ।

ସେହିପରି ମଧ୍ୟମା ପରୀକ୍ଷା ପାଇଁ ୩୩୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ସେଥିମଧ୍ୟରୁ ୩୨୭୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୨୯ ଜଣ ଅନୁପସ୍ଥିତ ରହିଥିଲେ। ନବମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଦଶମ ଶ୍ରେଣୀକୁ ପଦୋନ୍ନତି ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ନିକଟରେ ଚଳିତ ଥର ଶେଷ ହୋଇଥିବା ମାଟ୍ରିକ ପରୀକ୍ଷାରେ ୪୩ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ନେଇ ସୂଚନା ମିଳିଥିଲା। ଏଥିମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ କିଏ ପରୀକ୍ଷା ପାଇଁ ଭଲ ଭାବେ ପାଠ ପଢିନଥିବାରୁ ପରୀକ୍ଷା ହଲକୁ ଆସିନଥିଲେ ତ ଆଉ କିଏ ପରିବାରର ଆର୍ଥିକ ଅବସ୍ଥା ଖରାପ ଥିବାରୁ କେଉଁଠୁ ମଜୁରୀ ଲାଗୁଥିଲେ। ଏବେ ନବମ ଶ୍ରେଣୀ ପରୀକ୍ଷାରେ ଅନୁପସ୍ଥିତ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଚିନ୍ତାର ବିଷୟ ।

ନିକଟରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି କିମ୍ବା ସ୍କୁଲ ଆସୁନାହାନ୍ତି ତାର କାରଣ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.