Latest Odisha News

BREAKING NEWS

‘ବିଶ୍ବ ନିୟନ୍ତାଙ୍କ ପାଖରେ ଅର୍ପଣ ହୁଏନି ଭିକ୍ଷା ଚାଉଳ’

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପଞ୍ଚାୟତ ରୁ ପଞ୍ଚାୟତ ଅର୍ପଣରଥ ବୁଲାଇ ଚାଉଳ ଗୁଆ ସଂଗ୍ରହ କରି ଏବେ ବିବାଦରେ ରାଜ୍ୟ ସରକାର । ସଠିକ୍ ସମୟରେ ସଂଗୃହୀତ ଗୁଆ ଚାଉଳ ଶ୍ରୀକ୍ଷେତ୍ରରେ ପହଞ୍ଚି ନଥିବାରୁ ଭକ୍ତମାନଙ୍କ ମନରେ ଆକ୍ରୋଶ ଦେଖାଦେଇଥିବା ବେଳେ ଅନେକ ଜାଗାରେ ମଧ୍ୟ ଅବ୍ୟବସ୍ଥାର ଚିତ୍ର ସହ ମହାପ୍ରଭୁଙ୍କୁ ଅପମାନ କରିବାର ଚିତ୍ର ସାମ୍ନାକୁ ଆସିଛି ।

ତେବେ ଗଜପତି ମହାରାଜାଙ୍କ ବିସ୍ଫୋରକ ପ୍ରତିକ୍ରିୟା ପରେ ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟ ପଦାରେ ପଡିଛି । ଅର୍ପଣରଥ ବୁଲାଇ ଚାଉଳ ଗୁଆ ସଂଗ୍ରହ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନୁହେଁ ବୋଲି ଗଜପତି ମହାରାଜା ରୋକଠୋକ୍ କହିଥିବା ବେଳେ ଏହା ସରକାରଙ୍କ ପ୍ରଚାର ବୋଲି ସିଧାସଳଖ କହିଛନ୍ତି । ସେପଟେ ସଂଗୃହିତ ଚାଉଳ ଗୁଆ ଶ୍ରୀମନ୍ଦିର ରୋଷଶାଳାରେ ରନ୍ଧାଯାଇ ଅନ୍ନ, ଖେଚୁଡି ଇତ୍ୟାଦି ମହାପ୍ରଭୁଙ୍କୁ ଅର୍ପଣ କରାଯିବ ବୋଲି ସୁଆରମହାସୁଆର ନିଯୋଗ କହିଛି ।

ସଂଗୃହିତ ଚାଉଳକୁ ପ୍ରଥମେ କୋଇଲି ବୈକୁଣ୍ଠରେ ରଖାଯିବା ପରେ ଏହାକୁ ବଛାଯାଇ କେଵଳ ଅରୁଆ ଚାଉଳ ମହାପ୍ରଭୁଙ୍କୁ ଅର୍ପଣ ହେବ ଓ ସୁଆରମହାସୁଆର ନିଯୋଗ ଏହାକୁ ରାନ୍ଧି ଭକ୍ତଙ୍କୁ ବଣ୍ଟନ କରିବ ବୋଲି ନିଯୋଗର ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି । ସେପଟେ ସଂଗୃହିତ ଗୁଆ ମଧ୍ୟ ମହାପ୍ରଭୁଙ୍କ ବିଡିଆ ପାନରେ ବ୍ୟବହାର କରାଯିବ ବୋଲି ସମ୍ପାଦକ କହିଛନ୍ତି ।

ସେପଟେ ସୁଆରମହାସୁଆର ନିଯୋଗର ଏଭଳି ନିଷ୍ପତ୍ତିକୁ ସେବାୟତଙ୍କ ସହ ପୁରୀ ବିଧାୟକ ମଧ୍ୟ ପରମ୍ପରା ବିରୋଧୀ କହିଛନ୍ତି । ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ ଓ ବିଧାୟକ ଜୟନ୍ତ ଷଡଙ୍ଗୀ ସଂଗୃହିତ ଚାଉଳକୁ ଭିକ୍ଷାର ଆକ୍ଷା ଦେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସାରା ଜଗତର ମାଲିକଙ୍କ ପାଖରେ ଭିକ୍ଷା ଚାଉଳ ଅର୍ପଣ ହୁଏ ନାହିଁ ବୋଲି ସେ ରୋକଠୋକ୍ କହିଛନ୍ତି ।

Leave A Reply

Your email address will not be published.