ଭୁବନେଶ୍ୱର: ରାଜ୍ୟର ଅନ୍ୟ ୮ଟି ସହରରେ ଗଡ଼ିବ ଆମ ବସ୍। କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ବର ଓ ରାୟଗଡ଼ାରେ ଆମ ବସ ଗଡ଼ିବ। ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି। ଇଲେକ୍ଟି୍ର ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ରଖାଯାଇଥିବା ବେଳେ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି। ଏଥିସହିତ ସୁରକ୍ଷିତ ଡ୍ରାଇଭିଂ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ।
ଅଧିକାଂଶ ସମୟରେ ଆମ ବସର ଡ୍ରାଇଭରମାନେ ଦୁର୍ଘଟଣା ଘଟାଉଥିବା ଅନେକ ଅଭିଯୋଗ ଆସୁଛି। ଏହାକୁ ପ୍ରତିହତ କରିବା ପାଇଁ ଡ୍ରାଇଭରଙ୍କୁ ଉପଯୁକ୍ତ ତାଲିମ ଦିଆଯାଇ ପରେ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଯାତ୍ରୀଙ୍କ ଉତ୍ତମ ସେବା ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ। ସେହିଭଳି ପ୍ରତ୍ୟେକ ସହରରେ ଡ଼ିଜିଟାଲ୍ ପାସ୍ ବ୍ୟବସ୍ଥା ରହିବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି। ଏଥିରେ ଯାତ୍ରୀମାନଙ୍କ ପ୍ରତି ଉତ୍ତମ ସୁରକ୍ଷା ଏବଂ ଗୁଣବତ୍ତା ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ କ୍ରୁଟ୍ର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ଏବଂ ସମୀକ୍ଷା ହୋଇଛି।
Comments are closed.