Latest Odisha News

ଅମରେନ୍ଦ୍ର ବଦଳାଇବେ ବାଜି !

ଭୁବନେଶ୍ୱର: ଜଗତସିଂହପୁର ଯୁଦ୍ଧରେ ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ବିଦ୍ରୋହୀ । ଦିନେ ଯିଏ ଥିଲେ ବିଜେଡିର ବଳ ଏବେ ସେ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ । ସେପଟେ ଗତଥରର ପ୍ରତିଦ୍ୱନ୍ଦ୍ୱୀ ଏଥର ବିଜେଡି ଶିବିରରେ । ଜଗତସିଂହପୁରରେ ବିଜେଡିରୁ ପ୍ରଶାନ୍ତ ମୁଦୁଲି, ବିଜେପିରୁ ଅମରେନ୍ଦ୍ର ଦାସ ଓ କଂଗ୍ରେସରୁ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଜଗତସିଂହପୁର ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସବୁବେଳେ ମୁକାବିଲା ହୋଇଥିବା ବେଳେ ଏଥର ପ୍ରଥମ କରି ପଦ୍ମ ଫୁଟାଇବାକୁ ରଣନୀତି କରୁଛନ୍ତି ଅମରେନ୍ଦ୍ର ।

ପ୍ରଶାନ୍ତଙ୍କୁ ଅମରେନ୍ଦ୍ର ଚେକ୍ !
ଅମରେନ୍ଦ୍ର ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ଗତ ୫ବର୍ଷ ହେଲା ସେ ଜଗତସିଂହପୁର ବିଧାନସଭା କ୍ଷେତ୍ରରେ ଭଲ ସଂଗଠନ କରିଥିଲେ । ତେବେ ତାଙ୍କ ବଦଳରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଭରସା କରିଥିଲା ବିଜେଡି । ଏହାପରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଅମରେନ୍ଦ୍ର । ବିଜେପିରୁ ସେ ଏଥର ଜଗତସିଂହପୁର ପ୍ରାର୍ଥୀ । ବିଜେଡି ଭୋଟ୍ ଭାଗ କରି ବିଜୟ ରଣନୀତି କଷୁଛନ୍ତି ଅମରେନ୍ଦ୍ର । ଦିନେ ବିଜେଡିକୁ ତୃଣମୂଳରେ ସଶକ୍ତ କରିଥିବା ଅମରେନ୍ଦ୍ର ଏଥର ବିଜେଡି ବିପକ୍ଷରେ ଠିଆ ହୋଇଛନ୍ତି । ସେ ବିଜେଡି ଭୋଟ୍ ଭାଗ କଲେ ପ୍ରଶାନ୍ତଙ୍କ ପାଇଁ ଅଡୁଆ ହୋଇପାରେ ।

ଚିରଞ୍ଜୀବ ଫ୍ୟାକ୍ଟର
ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଏବେ ବିଜେଡିରେ । ୨୦୧୪ରେ ସେ କଂଗ୍ରେସରୁ ବିଧାୟକ ହୋଇଥିଲେ । ଗତଥର ତାଙ୍କୁ ୮ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ ପ୍ରଶାନ୍ତ । ଏବେ ଉଭୟ ବିଜେଡି ଶିବିରରେ । ସେ ବିଜେଡିରେ ମିଶିବା ସହ ବିଧାୟକ ଟିକେଟ୍ ପାଇଁ ଆଶାୟୀ ଥିବା କୁହାଯାଉଥିଲା । ତେବେ ପ୍ରଶାନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ବି ଚିରଞ୍ଜୀବ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି । ଦଳ ପାଇଁ ପ୍ରଚାର କରୁଛନ୍ତି । ତେବେ ଚିରଞ୍ଜୀବ କଂଗ୍ରେସ ଭୋଟରୁ କେତେ ବିଜେଡି ପାଇଁ ଆଣିପାରିବେ ? ତାଉପରେ ପ୍ରଶାନ୍ତଙ୍କ ବିଜୟ ନିର୍ଭର କରିପାରେ ।

କୁଆଡେ ଯିବ କଂଗ୍ରେସ ଭୋଟ୍ ?
ଚିରଞ୍ଜୀବ ବିଶ୍ୱାଳ ବିଜେଡିକୁ ଆସିବା ପରେ କଂଗ୍ରେସ ଭୋଟ ହାତେଇବାରୁ ନଜର ରଖିଛି ବିଜେଡି । ସେପଟେ ଅମରେନ୍ଦ୍ର ମଧ୍ୟ କଂଗ୍ରେସ ଭୋଟ ନିଜ ସପକ୍ଷରେ ନେବାକୁ ରଣନୀତି କରୁଛନ୍ତି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପ୍ରତିମା ମଲ୍ଲିକ । ଗତଥର ପ୍ରତିମା ଜଗତସିଂହପୁର ଲୋକସଭାରେ ଲଢିଥିଲେ । ତାଙ୍କ ବାପା ଲକ୍ଷ୍ମଣ ମଲ୍ଲିକ ଦୁଇ ଥର ଜଗତସିଂହପୁରରୁ ବିଧାୟକ ହୋଇଥିଲେ ମଧ୍ୟ ପ୍ରତିମାଙ୍କର ପକଡ ଦୁର୍ବଳ । ଚିରଞ୍ଜୀବ ବିଜେଡିକୁ ଯିବା ପରେ କଂଗ୍ରେସ ଭୋଟ ବି ଭାଗ ହୋଇଛି । ଏମିତିରେ କଂଗ୍ରେସ ଭୋଟ ନିଜ ପାଖରେ ରଖିବା ପ୍ରତିମାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହେବ । ତେବେ କଂଗ୍ରେସ ଭୋଟ୍ ଏଥର ଜଗତସିଂହପୁର ଲଢେଇରେ ନିର୍ଣ୍ଣାୟକ ହେବ ।

ଆମଦାନୀ ନେତା ବନାମ ମାଟିର ପୁଅ
ଜଗତସିଂହପୁର ବିଧାନସଭା ଲଢେଇରେ ଆମଦାନୀ ନେତା ବନାମ ମାଟିର ପୁଅ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଆମଦାନୀ ନେତାଙ୍କୁ ସୁଯୋଗ ଦେଇଛନ୍ତି ଏଠାକାର ଭୋଟର । ପ୍ରଶାନ୍ତ ମୁଦୁଲି ବାଲିକୁଦା ଓ ଚିରଞ୍ଜୀବ ବିଶ୍ୱାଳ ତିର୍ତ୍ତୋଲ ବ୍ଲକ ଅଞ୍ଚଳର । ତେବେ ବିଜେପି ପ୍ରାର୍ଥୀ ଅମରେନ୍ଦ୍ର ଜଗତସିଂହପୁର ସହରର । ତେଣୁ ତାଙ୍କୁ ସ୍ଥାନୀୟ ଭୋଟରଙ୍କ ସମର୍ଥନ ମିଳିପାରେ ।

କାହାର କେତେ ଦମ୍ ?
୨୦୧୯ରେ ପ୍ରଶାନ୍ତ ମୁଦୁଲି ଖୁବ୍ କମ୍ ଦିନରେ ପ୍ରାର୍ଥୀ ହୋଇ ଜିତିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ସେ ନିର୍ବାଚନୀ ବୈତରଣୀ ପାର୍ କରିଥିବା କୁହାଯାଇଥିଲା । ପରେ ସେ ଠିକ୍ ଭାବେ ସଙ୍ଗଠନ ରଖିପାରିନଥିବା ଦଳ ଭିତରୁ ସ୍ୱର ଉଠିଥିଲା । ଯେବେକି ଅମରେନ୍ଦ୍ର ସମାନ୍ତରାଳ ସଂଗଠନ କରିଥିଲେ । ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଗତ ୫ବର୍ଷ ହେଲା ନିର୍ବାଚନମଣ୍ଡଳୀ ସହ ସଂପର୍କରେ ନଥିବା କୁହାଯାଉଛି । ଏଭଳି ସ୍ଥିତିରେ ବଦଳିପାରେ ଜଗତସିଂହପୁର ବାଜି ।

Comments are closed.