ନୂଆଦିଲ୍ଲୀ:ମଙ୍ଗଳବାର ଦିନ ଜମ୍ମୁ ଏବଂ କାଶ୍ମୀର ସରକାର ଅମରନାଥ ଯାତ୍ରା ରୁଟକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରିଛନ୍ତି। ଏଥିରେ ପହଲଗାମ୍ ଏବଂ ବାଲଟାଲ୍ ଉଭୟ ରୁଟ ଅନ୍ତର୍ଭୁକ୍ତ। ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିର୍ଦ୍ଦେଶରେ ଜମ୍ମୁ ଏବଂ କାଶ୍ମୀର ଗୃହ ବିଭାଗ ଏହି ନୋଟିସ୍ ଜାରି କରିଛି ।
ଜୁଲାଇ ୧ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ UAV, ଡ୍ରୋନ୍, ବେଲୁନ୍ ସମେତ ଯେକୌଣସି ପ୍ରକାରର ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ରହିବ। ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା ଏବଂ ସୁରକ୍ଷା ବାହିନୀ ଦ୍ୱାରା ନିରୀକ୍ଷଣ କ୍ଷେତ୍ରରେ ଏହି ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ ନାହିଁ।
ନିର୍ଦ୍ଦେଶରେ କୁହାଯାଇଛି ଯେ, ୩ ଜୁଲାଇରୁ ଆରମ୍ଭ ହେବାକୁଥିବା ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି, ଯାତ୍ରାର ସୁଗମ ଏବଂ ଶାନ୍ତିପୂର୍ଣ୍ଣ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଉଛି।
ଜମ୍ମୁ-କାଶ୍ମୀର ପ୍ରଶାସନ ଏବଂ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସି ଯାତ୍ରାର ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି, ମଙ୍ଗଳବାର ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଡକାଯାଇଥିଲା, ଯେଉଁଥିରେ ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସିଗୁଡ଼ିକର ଶୀର୍ଷ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ବୈଠକରେ ଯାତ୍ରା ମାର୍ଗର ସୁରକ୍ଷା, ସମ୍ଭାବ୍ୟ ଆତଙ୍କବାଦୀ ବିପଦ, ଗୁଇନ୍ଦା ସୂଚନାର ସମୀକ୍ଷା ଏବଂ ନୂତନ ସୁରକ୍ଷା ପଦକ୍ଷେପ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ସୂଚନାଥାଉକି, ଏଥର ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ କଡ଼ାକଡି କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଅମରନାଥ ଯାତ୍ରାକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକର ସତର୍କତା ଆହୁରି ବୃଦ୍ଧି ପାଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ଯାତ୍ରା ସମୟରେ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିବାର ସମ୍ଭାବନା ରହିଛି। ଏହି ଇନପୁଟ୍ ପରେ, ଯାତ୍ରା ରୁଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
Comments are closed.