Latest Odisha News

ଅମ୍ବାଭୋନା ଥାନା ଭଙ୍ଗା ରାଜନୀତି: ସୁରେଶ କହିଲେ ଯମ ଅଜାଣତରେ ମୃତ୍ୟୁ ଆସେନି..

ଭଟଲି: ବରଗଡ ଅମ୍ବାଭୋନା ଥାନା ଭିତରେ ଯେଉଁଭଳି ସ୍ଥାନୀୟ ଲୋକେ ଭଙ୍ଗାରୁଜା କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ବିଜେପି କହିଛି ଏହି ଭଙ୍ଗାରୁଜା ପଛରେ ସ୍ଥାନୀୟ ବିଧାୟକ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ହାତ ରହିଛି। ତେଣୁ ତାଙ୍କ ସାହସ ପାଇ ଯୁବକମାନେ ଥାନା ଭଙ୍ଗାରୁଜା କରିଛନ୍ତି। ପୋଲିସ ଯଦିଓ ଏହି ମାମଲାରେ 100 ଜଣଙ୍କ ନାଁରେ ମାମଲା ରୁଜୁ କରିଛି ହେଲେ ଏଯାବତ 6 ଜଣ ଗିରଫ ହୋଇଛନ୍ତି। ଅନ୍ୟମାନଙ୍କୁ ଧରିବାରେ ପୋଲିସ ଜାଣିଶୁଣି କୃପଣ ହେଉଛି ବୋଲି ଅଭିଯୋଗ ହୋଇଛି।

ଏହାକୁ ନେଇ ଏବେ ରାଜନୀତି ତେଜିଛି। ବରଗଡ ସାଂସଦ ସୁରେଶ ପୂଜାରୀ ସୁଶାନ୍ତ ସିଂହଙ୍କୁ ଟାର୍ଗେଟ କରି କହିଛନ୍ତି, ଯମର ଅଜାଣତରେ କାହାରି ମୃତ୍ୟୁ ହୁଏନି। ସେହିପରି ଜଣେ ବଡ ନେତାଙ୍କ ହାତ ନଥିଲେ ଥାନାରେ ଭଙ୍ଗାରୁଜା କରିବା ସହଜ ନୁହେଁ। ଏପରି କହି ସେ ଭଟଲି ବିଧାୟକଙ୍କୁ ଚାର୍ଗେଟ କରିଛନ୍ତି। ଆଉ ଏହି ଘଟଣାରେ ପୋଲିସ ସକ୍ରିୟତାର ସହିତ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଛନ୍ତି।

ଏବେ ଏହାର ଜବାବରେ ସୁଶାନ୍ତ ସିଂହ କହିଛନ୍ତି, ତାଙ୍କର ସଂପୃକ୍ତି ରହିଛି ବୋଲି ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାର ସତ୍ୟତା ନାହିଁ। କେନ୍ଦ୍ର ସରକାରଙ୍କ ହାତରେ ଅନେକ କ୍ଷମତା ରହିଛି। ପ୍ରମାଣ କରିଦେଖାନ୍ତୁ ତାଙ୍କର ସଂପୃକ୍ତି ବାବଦରେ। ଯଦି ପ୍ରମାଣ କରିଦେବେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ। ଆଗାମୀ ନିର୍ବାଚନରେ ବରଗଡ ସାଂସଦ ଦେଢ ଲକ୍ଷରୁ ଅଧିକ ଭୋଟରେ ହାରିବେ ବୋଲି ଏହି ଅବସରରେ ଦାବି କରିଛନ୍ତି। ଆଗାମୀ ଦିନରେ ଲୋକେ ଏହାର ଜବାବ ଦେବେ ବୋଲି ସୁଶାନ୍ତ କହିଛନ୍ତି।

ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ସରକାର ଯାହାକୁ ସୁରକ୍ଷା ଦେବେ ତାହେଲେ ପ୍ରମାଣ ଦେବାର ଆବଶ୍ୟକତା ନାହିଁ। ପୂ୍ର୍ବରୁ ଅନେକ ପ୍ରମାଣ ଦିଆଯାଇଛି। ଯେଉଁଠି ଥାନା ସୁରକ୍ଷିତ ନୁହଁ ସେଠାରେ ଲୋକେ କିଭଳି ସୁରକ୍ଷିତ ରହିଥିବେ ଚିନ୍ତା କଲେ ସବୁ ଜାଣିହେଉଛି।

ଉଲ୍ଲେଖଯୋଗ୍ୟ, ଛତିଶଗଡ ଯିବାକୁ ହେଲେ ଓଡିଶାର ଶେଷ ଥାନା ହେଉଛି ବରଗଡର ଅମ୍ବାଭୋନା। ନିକଟରେ ଏହି ଥାନାର ପୋଲିସ ଏକ ଜଙ୍ଗଲରେ ରେଡ୍ ମାରିଥିଲା। କିଛି ଯୁବକ ଭୋଜି କରୁଥିବା ବେଳେ ଗଞ୍ଜେଇ କାରବାର ହେଉଥିବା ସନ୍ଦେହରେ ପୋଲିସ ରେଡ୍ ମାରିଥିଲା। ହେଲେ ବିଫଳ ହୋଇଥିଲା। ଏହି ସମୟରେ ପିକନିକରେ ସାମିଲ ଥିବା ଯୁବଗୋଷ୍ଠୀଙ୍କ ସହ ପୋଲିସର ବଚସା ହୋଇଥିଲା। ପରେ ସଂପୃକ୍ତ ଯୁବକ ଥାନାରେ ପଶି ଭଙ୍ଗାରୁଜା କରିଥିଲେ। ଆଉ ଏହା ସୁଶାନ୍ତ ସିଂହଙ୍କ ଇସାରାରେ ହୋଇଛି ବୋଲି ବିଜେପି ଏକ ଫଟୋ ଜାରି କରି ଦାବି କରୁଛି।

Leave A Reply

Your email address will not be published.