Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଠେଲାପେଲା, ସତର୍କ ନହେଲେ ଆଗକୁ ବିପଦ! ପୁଣି ବଢ଼ିଲା ଚାରିଦ୍ବାର ଖୋଲିବା ଦାବି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ହେଉଛି। ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ଏକ ପ୍ରକାର ଜୋରଦାର ଅଭିଯାନ ଆରମ୍ଭ କରିଛି ଏହାରି ଭିତରେ ଶୁକ୍ରବାର ପୁରୀ ମନ୍ଦିର ଭିତରେ ହୋଇଥିବା ଦଳଚକଟା ଘଟଣା ଚିନ୍ତାରେ ପକାଇଛି। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଯଦିଓ ସୌଭାଗ୍ୟବଶତଃ କାହାରି ମୃତ୍ୟୁ ହୋଇନି କିନ୍ତୁ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୦ ଜଣ ଭକ୍ତ ଆହତ ହୋଇଛନ୍ତି। “ମଙ୍ଗଳ ଆଳତୀ” ସମୟରେ ଏହି ଘଟଣା ଘଟିଥିଲା, ଯେତେବେଳେ ଭକ୍ତମାନଙ୍କର ଏକ ବଡ଼ ଭିଡ଼କୁ ଏକ ସମୟରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନାଟମଣ୍ଡପ ଓ ଜୟ-ବିଜୟ ଦ୍ୱାର ନିକଟରେ ବ୍ୟାରିକେଡ୍ ନ ଥିବାରୁ ଏଭଳି ଅଘଟଣ ଘଟିଛି। ଫଳରେ ସାତପାହାଚରୁ ନାଟମଣ୍ଡପକୁ ଯିବା ପାଇଁ ଭକ୍ତଙ୍କ ଭିଡ ଜମିଥିଲା।

ପ୍ରଥମେ ନାଟମଣ୍ଡପ ଭିତରେ ଓ ପରେ ଭିତରକଠାକୁ ଭକ୍ତଙ୍କୁ ଗାଇଡ୍ କରିବା ପାଇଁ ଷ୍ଟିଲ୍ ବ୍ୟାରିକେଡ୍ ଓ ଦଉଡ଼ି ଆବଶ୍ୟକ ବୋଲି ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି। ଏହା ଭବିଷ୍ୟତରେ ଦଳାଚକଟା ଘଟଣାକୁ ରୋକିବାରେ ସହାୟକ ହେବ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥଳୀ। ପ୍ରତିବର୍ଷ ଏହା ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ରହିଛି।

ଏପରି ସ୍ଥିତିରେ ଆଗକୁ ନୂଆବର୍ଷ ଆସୁଛି ସେହିପରି କାର୍ତ୍ତିକ ପୂର୍ଣ୍ଣିମା ରହିଛି। ଏପରି ସ୍ଥିତିରେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଏବଂ ନିର୍ବାଚିତ ପ୍ରତିନିଧି ଦାବି କରି ଆସୁଛନ୍ତି। ହେଲେ ରାଜ୍ୟ ସରକାର ଏ ଦିଗରେ ନିଦାବିଷ୍ଣୁ ପାଲଟିବା ଅନେକ ପ୍ରଶ୍ନ ଉଠାଇଛି।

ଏହି ପ୍ରସଙ୍ଗରେ କିନ୍ତୁ ପୁରୀ ଏସପି ଗଣମାଧ୍ୟମକୁ ସିଧା ଆଙ୍ଗୁଠି ଦେଖାଇଛନ୍ତି। ମିଡିଆକୁ ପ୍ରତିକ୍ରିୟା ଦେବା ବେଳେ କୌଣସି ପ୍ରକାର ଦଳାଚକଟା ହୋଇନି ବୋଲି କହି ଘଟିଥିବା ଖବରକୁ ଏଡାଇ ଦେଇଛନ୍ତି। ହେଲେ ଦିନକ ପରେ ଦୀପାବଳି ଓ ପରେ କାର୍ତିକ ପୂର୍ଣ୍ଣିମା ଆସୁଥିବାରୁ ଅଧିକ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ ହେବେ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପୁରୀ ଏସପି ।

ଆଜି ଯେଉଁଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଲା ଏଥିପାଇଁ କିଏ ଦାୟୀ ରହିବେ? ଲୋକଙ୍କ ଦାବିକୁ ଅଣଦେଖା କରି ସରକାର ଏବଂ ପ୍ରଶାସନ ଚୁପ୍ ରହିଲେ ସାଧାରଣ ଲୋକଟେ ଭୋଟ୍ ଦେବା ପରେ ଆଗାମୀ ଦିନରେ ନିଜ ସରକାରଠୁ କ’ଣ ଆଶା ରଖିବ, ତାହା ଏବେ ବଡ ପ୍ରଶ୍ନ?

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ନାର୍ଗାର୍ଜୁନ ବେଶ ବେଳେ ଶ୍ରୀମନ୍ଦିରରେ ଦଳଚକଟା ହୋଇଥିଲା। ଏହାକୁ ନେଇ ରାଜ୍ୟ ସରକାର ବିବାଦୀୟ ହୋଇପଡିଥିଲେ। ଏହାକୁ ନେଇ ଯଦିଓ ତଦନ୍ତ ପାଇଁ  ବିଚାର ବିଭାଗୀୟ କମିଟି ଗଠନ ହୋଇଥିଲା ହେଲେ ଏହାର ରିପୋର୍ଟ ଏଯାବତ ସାର୍ବଜନୀନ ହୋଇନାହିଁ।

Leave A Reply

Your email address will not be published.